Unknown

 

 

 

 

 

 

 

 

 

 

 

ମହୁ ଚାଷ

ଶ୍ରୀ ମହେନ୍ଦ୍ର ପଟ୍ଟନାୟକ

 

ସୂଚୀପତ୍ର

 

୧.

ମହୁ ଚାଷ

୨.

ଶ୍ରମ ସହଯୋଗ ସଂଚୟ

୩.

ମା’ ରାଣୀ

୪.

କର୍ମ ଅନୁଯାୟୀ ଶ୍ରେଣୀ

୫.

ଶ୍ରମଶୀଳା ମାଛି

୬.

କର୍ମଠ ମାଛିର ସ୍ଵଭାବ

୭.

ଜନ୍ମକଳା

୮.

କର୍ମ ପରଂପରା

୯.

ଘରକାମ ବାହାର କାମ

୧୦.

ବିପ୍ଳବ ଦୀକ୍ଷା

୧୧.

ପରମାୟୁ

୧୨.

ଅଳସୁଆ ଅକର୍ମ ଶୀଳ

୧୩.

ରାଣୀ ମାଛିର ସମ୍ଭୋଗ

୧୪.

ନାରୀ ସଂସାର

୧୫.

ଯୁବରାଣୀ

୧୬.

ଅଣ୍ତାଦେବା ବିଧାନ

୧୭.

ବଞ୍ଚି ରହିବାର ସଂଗ୍ରାମ

୧୮.

ମାଛିର ଭବିଷ୍ୟତ ଜ୍ଞାନ

୧୯.

ବିଚିତ୍ର ବନ୍ଧନ

୨୦.

ଚିହ୍ନା ପରିଚୟ

୨୧.

ମଧୁ ସଂଗ୍ରହ

୨୨.

ରାଣୀ ସଉତୁଣୀ

୨୩.

ମାଛିଙ୍କ ଶତ୍ରୁଭୟ

୨୪.

ଚାରିଜାତି ମହୁ

୨୫.

ମଣିଷ ତିଆରି ମହୁଘରା

୨୬.

ଆଦର୍ଶ ମହୁଘରା

୨୭.

ପୋଷା ମହୁମାଛିଙ୍କ ଯତ୍ନ

୨୮.

ଅସାବଧାନ ହେଲେ ବିପଦ

୨୯.

ଶୁଙ୍କର ବିଷ

୩୦.

ଶୁଙ୍କରୁ ମୁକ୍ତି

୩୧.

ମହୁ କାଢ଼ିବା ଯନ୍ତ୍ର

୩୨.

ମହୁ ସାଇତା

୩୩.

ମହୁର ମୂଲ୍ୟ

୩୪.

ମହଣ

Image

 

ମହୁମାଛି ପାଳନ

 

ବଣର ଜନ୍ତୁ ହାତୀକି ମଣିଷ ମନେଇ ଜାଣେ । ସର୍କସରେ ବାଘକୁ ଛେଳିକି ଏକା ଥାଳିରେ ପାଣି ପିଇବାକୁ ଶିଖାଯାଏ । ଶିକ୍ଷା ପାଇଁ ରଙ୍ଗମଞ୍ଚରେ ବାନର ଅଭିନୟ ଦିଏ । ବଣର ମହୁମାଛିକି ସେପରି ପେଡ଼ିରେ ପୋଷି ତା ଫଣାରୁ ମହୁ ନିଗାଡ଼ି ମଣିଷ ଖାଏ, ବିକେ । ବଣର ପକ୍ଷୀ ପୋଷା ମାନିଲେ କଥା କହେ, ଗୀତ ଗାଏ, ଶିଶି ମାରେ । ମହୁମାଛି ପୋଷା ମାନିଲେ କାମଧେନୁ ପରି ମନକାମନା ପୂର୍ଣ୍ଣ କରେ ।

 

ମହୁମାଛିକି ଆଣି ତାର ଘରା ଭଳି ପେଡ଼ିରେ ପୋଷ । ନିରୋଳା ଜାଗାରେ ଆଗେ ପେଡ଼ିକି ଥୁଅ । କେତେ ଦିନ ପରେ ମାଛିମାନେ ଘର ଲୋକଙ୍କୁ ଚିହ୍ନିଯିବେ । ଘର ପିଲେ ସେହି ବାଟେ ଓଳନାଳ ହେଉଥିବେ, ଖେଳୁଥିବେ, ପାଟି ତୁଣ୍ତ କରୁଥିବେ, କିନ୍ତୁ ମହୁମାଛିମାନେ ଟିକିଏ ହେଲେ ତରକିବେ ନାହିଁ, ଟିକିଏ ହେଲେ ଚାହାଳିଆ ହେବେ ନାହିଁ । ପୋଷା ମହୁମାଛିମାନେ କଂସାରୀ ଘର ପାରା ପାଲଟି ଯାନ୍ତି । କୁଲା ଢାଉଁ ଢାଉଁକୁ ସେମାନେ ଡରନ୍ତି ନାହିଁ । ପୋଷା ମାନିବାର ସେମାନେ ମାନନ୍ତି । କାମଧେନୁ ପହ୍ନା ଟାଣି ବାଛୁରୀକି ଖୁଆଇଲା ବାହାରେ ଯେତେକ ବଳେ ସେତେକ ଦୁହିଁବାକୁ ଦିଏ, ଘରର ଦୁହିତା ସେକାଳରେ ଘରେ ଘରେ ଗାଈ ଦୁହୁଁଥିଲେ ବୋଲି ସେମାନଙ୍କର ଦୁହିତା ନାମ ରହିଛି । ସେକାଳର ବାଳିକା ଯଦି ମହୁମାଛି ପାଳିଥାନ୍ତେ ସେମାନଙ୍କର ନାମ ରହିଥାନ୍ତା ମଧୁପାଳିକା । ଋଷିକୁମାରୀମାନେ ମଳା ଖୋଳି ଫୁଲ ଫଳ ଗଛ ଲଗାଉଥିଲେ ଓ ସେହି ମଳାରେ ପାଣି ଦେଉଥିଲେ । ଆଶ୍ରମ ଋଷିମାନେ ବଣର ମିରିଗ ହରିଣ ପୋଷୁଥିଲେ । ଋଷିକୁମାରୀମାନେ ବଣର ଜନ୍ତୁଙ୍କୁ ପୋଷି ଆପଣାର କରି ନେଉଥିଲେ । ବଣ ଜଙ୍ଗଲର ଆଦିବାସୀମାନେ ବଣର ମହୁଘରାମାନଙ୍କରୁ ମହୁ ସଂଗ୍ରହ କରୁଥିଲେ । ସେକାଳରେ ମହୁମାଛିଙ୍କି ପୋଷି ମହୁଚାଷ କରିବାର ଜଣା ନଥିଲା, ଆବଶ୍ୟକ ନଥିଲା ।

 

ଗାଈ ହରିଣ ଲାତ ବୃକ୍ଷ କୁମାରୀମାନଙ୍କର ଆର୍ଯ୍ୟ ଯୁଗରେ ଥିଲେ ବଡ଼ ପ୍ରିୟ । ଏତେ ପ୍ରିୟ, ଏତେ ଆପଣାର ଥିଲେ ଯେ ଶକୁନ୍ତଳା ପରି ଆଶ୍ରମ କୁମାରୀ ବରଘରକୁ ଗଲା ବେଳେ ସେମାନେ ଋଷି କନ୍ୟା ପଛେ ପଛେ ଗୋଡ଼ାଉ ଥିଲେ ଏବଂ ବିଦାୟ ବେଳେ ଦୀର୍ଘ ନିଶ୍ଵାସ ଛାଡ଼ୁଥିଲେ । ଗଛ ଲତା ପତ୍ର ହଲେଇ ମନର ବେଦନା ପ୍ରକାଶ କରୁଥିଲେ ।
 

 

ମହୁମାଛିଙ୍କି ପାଳିଲେ ସେମାନେ ସେପରି ଘରର ଘରଣୀଙ୍କି, ଘରର ପୁଅଝିଅଙ୍କୁ ଚିହ୍ନି ଯାଆନ୍ତି । ଘର ଛାଡ଼ି ଯିବାକୁ ସେମାନେ ମନକରନ୍ତି ନାହିଁ । ମାଲିକର ଘରଟା ମାଛିମାନଙ୍କୁ ନିଜ ଘର ପରି ଲାଗେ । ମାଲିକ ଯଦି ଜାଣି ଶୁଣି ବାରି ପଦରରେ ସୋରିଷ ବୁଣି ଫୁଲଫୁଟେଇ ଥାଏ, ରାଶି ବୁଣି ଫୁଲ ଫୁଟେଇ ଥାଏ, ଆମ୍ଵ ଗଛରେ ବଉଳ ମେଲେଇ ଥାଏ, ଗୋଲାପ, କନିଅର, ଟଗର, ମାଳତୀ, ଚମ୍ପା, ତରାଟ ଫୁଲର ବଗିଚା କରିଥାଏ, ତାହାହେଲେ ମହୁମାଛି ନିକଟବର୍ତ୍ତୀ ବାଡ଼ି ବଗିଚା ବିଲ ପଦରରୁ ଫୁଲରେଣୁ ସଂଗ୍ରହ କରି ପେଡ଼ି ଘରାକୁ ଫେରି ଆସନ୍ତି । ଦୟାଳୁ ମାଲିକକୁ ମହୁମାଛି ଚିହ୍ନେ । ତାର ନିକଟରେ ଫୁଟନ୍ତା ଫୁଲ ସେ ପାଏ । ଫୁଲରୁ ମଧୁ ଶୋଷି ନେଇଆସିବାକୁ ତାକୁ ବେଶି ଦୂର ଉଡ଼ି ଯିବାକୁ ହୁଏନାହିଁ । ତାର ସେତିକଟି ସୁବିଧା ପାଇଲେ ସେ କାଳ କାଳ ମାଲିକ ଘରେ ରହିଯାଏ ଏବଂ ମାଲିକର ଆବଶ୍ୟକୀୟ ମହୁ ଯୋଗାଏ ।

 

ଯାର ଘର ପାଖରେ ବାଡ଼ି ବଗିଚା ନାହିଁ, ରାଶି ପଦର ନାହିଁ, ସୋରିଷ ପଦର ନାହିଁ, ମୁଗ କିଆରୀ ନାହିଁ, ଆମ୍ଵ ତୋଟା ନାହିଁ, ବଉଳ ଗଛ ନାହିଁ, ଫୁଟନ୍ତା ଫୁଲର ଉଦ୍ୟାନ ନାହିଁ ତା ଘରେ ଖାଲି ଶୁଖିଲା ପେଡ଼ିଟାରେ, ଶୁଖିଲା ସୁଆଗରେ ମହୁମାଛିଙ୍କୁ ମନେଇ ମହୁ ରାଣୀ ବେଣୀ ଦିନ ରହେ ନାହିଁ । ଚାଷ ବାସ ଖାଦ୍ୟ ପାନ ନ ପାଇଲେ ମଣିଷ ଯେପରି ମଧ୍ୟ-ଏସିଆ ଛାଡ଼ି ଭାରତକୁ ଆସେ, ମଙ୍ଗୋଲିଆ ଛାଡ଼ି ମୋଗଲମାନେ ଚୀନ ଭିତରେ ପଶନ୍ତି, ହୂଣ ଓ ଗଲମାନେ ଶ୍ଵେତଦ୍ଵୀପ ଆକ୍ରମଣ କରନ୍ତି, ସେପରି ବଣର ଜନ୍ତୁଙ୍କୁ ମଣିଷ ଖାଇଗଲେ ଗାଁରେ ପଶି ବାଘ ମଣିଷକୁ ଖାଇ ଯାଏ । ସେପରି ଖାଦ୍ୟ ନପାଇ ମଧୁ ସଞ୍ଚୟର ସୁବିଧା ନପାଇ ମହୁମାଛି ମାଲିକର ଅତି ଯତ୍ନର ପେଡ଼ିଘରା ଛାଡ଼ି ଅରଣ୍ୟକୁ ଉଡ଼ିଯାଏ । ଘରର ଦୁହିତାକୁ ଯେପରି ସ୍ନେହରେ ପାଳିବାକୁ ହୁଏ, ମାହୁମାଛିକି ସେପରି ସ୍ନେହ ଅନୁରାଗରେ ପାଳିଲେ, ତାକୁ ପୁଷ୍ପମଧୁ ଯୋଗାଇ ଦେଲେ ସେ ରହିଯାଏ ଘରର ପାଳିତ ଭଳି ଚିରନ୍ତନ ।

Image

 

ଶ୍ରମ ସହଯୋଗ ସଂଚୟ

 

ମହୁମାଛିକି ପାଳିବାକୁ ହେଲେ ବହୁତ କିଛି କଷ୍ଟ ସ୍ଵୀକାର କରିବାକୁ ହୁଏ ନାହିଁ । ଥରେ କୌଶଳରେ ମା’ରାଣୀକି ଧଇଲେ ପ୍ରଜା ପିଲାଏ ତା ପଛେ ପଛେ ଉଡ଼ି ଆସନ୍ତି । ପେଡ଼ିଟି ସଜାଡ଼ି ରଖି ଜାଣିଲେ ହେଲା ଏବଂ ମାଛିକି ଆଧାର ମିଳିଲା ଭଳି ବାଡ଼ି ବଗିଚାର ଫୁଟନ୍ତ ଫୁଲ ଯୋଗାଇ ଦେଲେ ହେଲା ।

 

ଚଣା ଫୁଲ ଫୁଟିଲା ବେଳେ, ସୋରିଷ ଫୁଲ ଫୁଟିଲା ବେଳେ, ରାଶି ଫୁଲ ପୁଟିଲା ବେଳେ, ତିଳ ଫୁଲ ଫୁଟିଲା ବେଳେ, ଋତୁ ଅନରୂପ ଭିନ୍ନ ଭିନ୍ନ ମହୁମାଛି ଶୁଖିଲା ପଡ଼ିଥିବା ବିଲ ହିଡ଼ର ଗଳିଆ ସନ୍ଧିରେ, ଗଛ କୋରଡ଼ରେ, ଗଛ ଟିପର ପୁଆତଳେ ଘରା ବାନ୍ଧେ । ଫୁଲ ମଉଳି ଗଲେ, ନିକଟରେ ଅନ୍ୟ କୌଣସି ଫୁଲର ଖୋଜ ନପାଇ ମାଛି ଦୂର ଦୂରାନ୍ତ ଉଡ଼ିଯାଏ ।

 

ମହୁମାଛିର ଉଇ, ପିମ୍ପୁଡ଼ିଙ୍କ ଭଳି ବୁଦ୍ଧି ଅଛି । ଅଙ୍ଗ ଅନୁପାତରେ ଅଧିକ ବଳ ଅଛି । ଶ୍ରମ ଅଛି, ସହଯୋଗ ଅଛି, ସଂଚୟ ପ୍ରବୃତ୍ତି ଅଛି । ମଣିଷର ଯଦି ସେତକ ଥା’ନ୍ତା ମନୁଷ୍ୟ ମାତ୍ରେ ଗାନ୍ଧୀ, ବିନୋବା, ବୁଦ୍ଧ, ଯୀଶୁ ହୋଇଥାନ୍ତେ । ସାମ୍ୟ, ଶାନ୍ତି, ଶୃଙ୍ଖଳା, ସହଯୋଗ, ବିନିମୟ, ସମନ୍ୱୟ ଆଦି ଯେଉଁ ମାନବ-ଦର୍ଶନ ମହାମାନବ ମହା-ପୁରୁଷମାନେ ଯୁଗ ଯୁଗ ଧରି ପ୍ରଚାର କରି ଆସୁଛନ୍ତି ତାହା ମାନବ ଜାତିର ଆଦିମ ବିକାଶ ଯୁଗରୁ ସଂଶୋଧିତ ହେଇ ଯାଇଥାନ୍ତା । ଶାନ୍ତି ରକ୍ଷା ନିମନ୍ତେ ଆଣବିକ ଅସ୍ତ୍ର ନିର୍ମାଣ କରି ଏକ ଦେଶର ଅନ୍ୟ ଦେଶକୁ ବିଭୀଷିକା ପ୍ରଦର୍ଶନର ପ୍ରୟୋଜନ ହୁଅନ୍ତା ନାହିଁ । ଭୟରୁ ଶାନ୍ତି ଉପୁଜେ ନାହିଁ, ପ୍ରେମ ଉପୁଜେ ନାହିଁ, ଉପୁଜେ ଘୃଣା, ହିଂସା ବିଦ୍ଵେଷ, ପରଶ୍ରୀକାତରତା । ତାର ପରିମାଣ ଯୁଦ୍ଧ । ଯୁଦ୍ଧରୁ କ୍ରୋଧ, କ୍ରୋଧରୁ ଯୁଦ୍ଧ । କ୍ରୋଧରୁ ସମ୍ମୋହ, ସମ୍ମୋହରୁ ସ୍ମୃତିବିଭ୍ରମ, ସ୍ମୃତିଭ୍ରଂମରୁ ବୁଦ୍ଧି ନାଶ, ବୁଦ୍ଧି ନାଶରୁ ବିନାଶ ।

 

ମହୁମାଛି ତା ବୁଦ୍ଧିକି କରେ ସାର୍ବଜନୀନ । ବସୁଧାକୁ ସେ କୁଟୁମ୍ଵ ଜ୍ଞାନ କରେ । କୁଟୁମ୍ଵ ପ୍ରତିପୋଷଣ ପାଇଁ ସେ ଶ୍ରମ କରେ, ସହଯୋଗ କରେ, ସଂଚୟ କରେ । ଦିନ ରାତି ମହୁମାଛି ମଧୁ ଆହରଣରେ ଲାଗିଥାଏ । ଦଳେ ଉଡ଼ି ଯାଆନ୍ତି ଗଗନ ମାର୍ଗରେ ସେଇଠିକି ଯେଉଁଠି ଫୁଟିଥାଏ ଫୁଲ । ଅଗମ୍ୟ ପୋଖରୀ ମଧ୍ୟରେ ଫୁଟିଛି ପଦ୍ମଫୁଲ । ଗଛ ଶିଖରେ ଫୁଟିଛି କଦମ୍ଵ ଫୁଲ । ତହିଁରୁ ସେମାନେ ରେଣୁ ସଂଗ୍ରହ କରନ୍ତି । ବିଭିନ୍ନ କର୍ମଠ ମାଛି ବିଭିନ୍ନ ଦିଗରେ ଉଡ଼ିଯାଇ ମଧୁ ଘେନି ନିର୍ଦ୍ଦିଷ୍ଟ ଘରକୁ ଫେରନ୍ତି । ଘରା ଭୁଲନ୍ତି ନାହିଁ । ସେମାନେ ଘନ ଅନ୍ଧାରରେ, ଘୋର ବର୍ଷାରେ, ଉଦୁଉଦିଆ ଖରାରେ ହାଲିଆ ହୁଅନ୍ତି ନାହିଁ । କ୍ଷୁଦ୍ର ମକ୍ଷିକା, କୁଟୁମ୍ଵ ପୋଷଣ ପ୍ରବୃତ୍ତି ତାକୁ କରେ ଶ୍ରମଶୀଳ, ସହଯୋଗୀ ଓ ସଞ୍ଚୟୀ ।

 

ଜନ୍ମଗତ ସ୍ଵଭାବ ମହୁମାଛିମାନଙ୍କୁ ବିଭିନ୍ନ ଦଳରେ ପରିଣତ କରେ । ଯେଉଁ ମାଛି ଯେଉଁ ଦଳରେ ଆଜନ୍ମରୁ ଭୁକ୍ତ ହୁଏ, ସେହି ମାଛି ସେହି ଦଳର କର୍ମକୁଶଳତା ଶୀଘ୍ର ଶୀଘ୍ର ଶିଖିଯାଏ । ତାର ଆଉ ଅବସର ନଥାଏ । ଦଳେ ଘରା ଜଗିଲେ । ଦଳେ ରାଣୀ ମା’ର ସେବାରେ ଲାଗିଲେ । ଦଳେ ମହଣର ଘରା ବାନ୍ଧିଲେ । ଦଳେ ଠିକ୍ ଛ ଛ କୋଣିଆ ସମାନ ମାପର ଜ୍ୟାମିତିକ ରେଖାରେ କୋଠରୀମାନ ଗଢ଼ିବାରେ ଲାଗିଲେ । ଦଳେ ବୁଦ୍ଧି ବଢ଼େଇବାକୁ ରହିଲେ । ଘରା ଜଗା ରଖା କରିବା ପକ୍ଷୀଙ୍କ ମଧ୍ୟରୁ ବାହାରେ କେତୋଟି ପହରା ଦେଲେ । କେତୋଟି ଶତ୍ରୁକୁ ଦଂଶନ କରି ତଡ଼ିବାକୁ ରହିଲେ । ଦଳେ ମହୁ ତିଆରି କଲେ । ଦଳେ କେଶର ଗଢ଼ିଲେ । ଦଳେ ମହୁ ଓ କେଶରରୁ ମହଣ ବାଛି ତହିଁରେ ଦୁର୍ଗ ତୋଳିଲେ । ବହୁ ସଂଖ୍ୟକ ମାଛି ମହୁଫଣାକୁ ଏପରି ଆବୋରି ରହିଲେ ଯେ କେହି ମହୁ ଫଣାକୁ ଦେଖିବାକୁ ପାଇଲା ନାହିଁ । ମହୁ ଫଣାକୁ ଯେ ଦେଖିଲା ସେ ଭାବିଲା ଏଇଟା ଗୋଟିଏ ମାଛିର ସମାବେଶ । ମହୁ ଫଣା କେବେ ପବନରେ ଉଡ଼ିଯାଏ ନାହିଁ । ଏପରି ମଜଭୁତ ଭାବେ ତାର ଭିତ୍ତି ପ୍ରତିଷ୍ଠା ହୋଇଥାଏ ।

 

ଦଳେ ଦଳକୁ ସାହାଯ୍ୟ କରିବା, ଏକ ଅପରକୁ ସହଯୋଗ କରିବା ମଧୁମକ୍ଷିକାର ଧର୍ମ-। ତାର ରକ୍ତଗତ ସସ୍କୃତି ପରସ୍ପର ପରସ୍ପରକୁ ସାହାଯ୍ୟ କରିବା, ସହଯୋଗ କରିବା । ସମସ୍ତେ ଏକାଧାରରେ ପରିଶ୍ରମ କରନ୍ତି । କେତେକ ବାହାରେ ମଧୁ ସଞ୍ଚୟରେ ଲାଗନ୍ତି । ସ୍ତରକୁ ସ୍ତର, ପାହାଚକୁ ପାହାଚ, ଦଳକୁ ଦଳ ମହୁ ସଞ୍ଚୟରେ ଲାଗିଥିବା ମହୁମାଛିମାନଙ୍କୁ ସାହାଯ୍ୟ କରନ୍ତି-। ମହୁ ଘରାକୁ ନିର୍ନିମେଷ ନୟନରେ ଚାହିଁ ରହିଲେ ନିରୀକ୍ଷକ ଦେଖିବେ କିପରି ଉଡ଼ନ୍ତା ମାଛିମାନେ ବାହାରୁ ପାଦ ମୁଖ ଭରି ପୁଷ୍ପମଧୁ ଧରି ଘରା ଭିତରକୁ ଆସୁଛନ୍ତି, କିପରି ସେମାନଙ୍କ ପାଦମୁଖରୁ ଅନ୍ୟ ଦଳେ ମାଛି ସଯତ୍ନରେ ତାହା ଆହରଣ କରି ମଧୁ ସଞ୍ଚିକା ମକ୍ଷିକାମାନଙ୍କୁ ତାହା ବଢ଼ାଇ ଦିଅନ୍ତି । ନିରୀକ୍ଷକ ଦେଖିବେ ମହୁ ଘରା ଯେପରି ଏକ ବିପୁଳ ସେନା ସମାବେଶ । ତା’ଭିତରେ କେହି ଶ୍ରମକୁଣ୍ଠ ନାହିଁ, ଅସହଯୋଗୀ ନାହିଁ, ଅପବ୍ୟୟୀ ନାହିଁ । କି ବିପୁଳ ସମାବେଶ, କି ମହାନ ଶିକ୍ଷା !

Image

 

ମା’ ରାଣୀ

 

କୁହାଗଲା, ଶ୍ରମ ସହଯୋଗ ସଂଚୟ ହେଉଛି ଏକମାତ୍ର ନୀତି ଯାହାରି ଉପରେ କି ମହୁଫଣା ଏକାନ୍ତ ନିର୍ଭର କରେ । କିନ୍ତୁ ମହୁମାଛିଙ୍କ ଶ୍ରମ ସହଯୋଗ ସଞ୍ଚୟ ମୂଳରେ ଥାଏ ରାଣୀ ମା’ର ସଙ୍କେତ, ମା’ରାଣୀର ନିର୍ଦ୍ଦେଶ । ମା’ ରାଣୀ ସୃଷ୍ଟିର ମୂଳାଧାର । ମା’ ବିନା ସୃଷ୍ଟି ଅସମ୍ଭବ । ରାଣୀମାଛି ବାସ୍ତବରେ ମାଛି ଜାତିର ରାଣୀ । ମହୁଘରାରେ ରଜା କିଏ ନାହିଁ । ରାଣୀ ହିଁ ସର୍ବେ ସର୍ବା । ସେ ସୃଷ୍ଟି କରେ । ସେ ସ୍ରଷ୍ଟା । ତାର ନିର୍ଦ୍ଦେଶ ମହୁମାଛି ଗୋଷ୍ଠୀର ଶିରୋଧାର୍ଯ୍ୟ । ଯେ ଜନ୍ମ ଦିଏ ତାର ନିୟମ ନିୟନ୍ତ୍ରଣକୁ ନ ମାନିଲେ ଘର ଚଳେ ନାହିଁ, ଗୋଷ୍ଠୀ ଚଳେ ନାହିଁ, ସମାଜ ବା ସଂହତି ଚଳେ ନାହିଁ । ପ୍ରକୃତିର କି ବିଚିତ୍ର ବିଧାନ ! ମହୁମାଛି ମାନେ, ମା’ରାଣୀଙ୍କ ବୋଲ ଅନୁସାରେ ଚଳନ୍ତି । ସମସ୍ତ ଫଣାର ମାଛି ମା’ର ଅନୁସରଣ କରନ୍ତି । ତେଣୁ ମା’ରାଣୀକି ଧରି ଆଣି ଜାଣିଲେ ସମସ୍ତ ମାଛି ପଲ ତା ପଛେ ପଛେ ଗୋଡ଼େଇ ଆସନ୍ତି ।

 

ମାତୃସ୍ନେହ, ବାତ୍ସଲ୍ୟ ଯେପରି ନିମ୍ନଗା ମାତୃଭକ୍ତି ମଧ୍ୟ ସେପରି ଉର୍ଦ୍ଧ୍ଵଗା । ମହୁମାଛି ସମାଜରେ ଏ ଏକ ଅପୂର୍ବ ବିଧାନ । ଏକାଳରେ ପୁଅର ବୋହୂ ଆସିଲେ ମଣିଷ ସମାଜରେ ଯେପରି ଘର ଭାଙ୍ଗେ, ପୁଅ ବୋହୂକୁ ନେଇ ନୂଆ ଘର ବାନ୍ଧେ, ମା ବାପାଙ୍କଠୁଁ ଭିନେ ହୋଇଯାଏ, ନିଜ ପେଟକୁ ନିଜ ପରିବାରକୁ ବଡ଼ କରେ, ମହୁମାଛି ସଂପ୍ରଦାୟରେ ତାହା ନୁହ । ମା’ ରାଣୀ ଥିବା ଯାକ ଫଣାର ଆପଦ ବିପଦ ବେଳେ ଏକ ଠାଁରୁ ଅନ୍ୟ ଠାଁକୁ ଘୁଞ୍ଚି ଯାଇ ପାରେ, ଘରାରୁ ଘରାର ପରିବର୍ତ୍ତନ ହୋଇପାରେ । କିନ୍ତୁ ମା’ ରାଣୀକି ଛାଡ଼ି କେହି କୁଆଡ଼େ ଯାଇ ନ ପାରନ୍ତି । ଗୋଟିଏ ନିୟମ ଗୋଟିଏ ଶୃଙ୍ଖଳା, ଗୋଟିଏ ବିଧାନରେ ସମସ୍ତ ମଧୁମକ୍ଷିକା ପରିବାର ବନ୍ଧା । ଏ ବନ୍ଧନ ଅପୂର୍ବ ସ୍ନେହର ବନ୍ଧନ, ଶ୍ରଦ୍ଧାର ବନ୍ଧନ, ଭକ୍ତିର ବନ୍ଧନ, ଶ୍ରମ ସହଯୋଗ-ସଂଚୟର ବନ୍ଧନ ।

 

ମା’ ଜାଣେ ବାପ, ଖଣ୍ତା ଜାଣେ ଖାପ । ଆଦିମ ମାନବ ସମାଜରେ ମଧ୍ୟ ମହୁଘରାର ରାଣୀ ମକ୍ଷିକା ଭଳି ମା’ ଥିଲା ଘରର କର୍ତ୍ତ୍ରୀ, ଘରର ଘରଣୀ । ଗୃହିଣୀ ଥିଲା କୁଟୀର ରାଣୀ । ସମାଜର ବୈବାହିକ ବନ୍ଧନ ଶିଥିଳ ଥିଲା । ବାପର ନାଁ ଜାଣୁ ନଥିବା ପୁଅ, “ବଶିଷ୍ଠ” ହୋଇ ପାରୁଥିଲା । ଅହଲ୍ୟା ଦ୍ରୌପଦୀ ତାରା କୁନ୍ତୀ ମନ୍ଦୋଦରୀ ପରି ମା’ମାନେ ବହୁପତି ବରଣକରି ସମାଜର ପୂଜ୍ୟା ହେଉଥିଲେ । ପ୍ରଭାତରେ ଏ ପଞ୍ଚକନ୍ୟା ସ୍ମରଣ କରି ସମାଜ ମହାପାତକରୁ ମୁକ୍ତି ପାଉଥିଲା । ସୁପୁତ୍ର ଜନ୍ମକରି ସମାଜ ସେବା କରିବା ଥିଲା ସେମାନଙ୍କର ମହୁରାଣୀ ପରି ଆଦର୍ଶ ।

 

ରାଣୀମାଛି ମହୁଫଣାର ନିର୍ଦ୍ଦେଶକ (ଡିକ୍ଟେଟର) କିନ୍ତୁ ତା ପାଇଁ ପୃଥକ ଘରା ନଥାଏ, ପୃଥକ ଆହାର ନଥାଏ । ସେ ସବୁ ମାଛିଙ୍କ ସାଙ୍ଗରେ ସମାନ ଆସନରେ ବସି ସମାନ ଆହାର ଖାଏ ଏବଂ ଏକା ଘରେ ଥାଏ । ତା ମୁହଁକୁ ସବୁମାଛି ସବୁବେଳେ ଦେଖନ୍ତି, ସେ ସବୁ ମାଛିଙ୍କୁ ସବୁବେଳେ ଦେଖେ । ତାର ଗୋପନ ସଙ୍କେତ ଅଛି । ସେ ସଙ୍କେତ କେବଳ ମହୁମାଛି ବୁଝେ । ମଣିଷ ଏ ପର୍ଯ୍ୟନ୍ତ ତାର ସଙ୍କେତର ଗୋପନ ରହସ୍ୟ ଭେଦ କରି ପାରି ନାହିଁ ।

 

ମଧୁ ପରିବେଷଣରେ ରାଣୀମା’ର ନିର୍ଦ୍ଦେଶ ଥାଏ । ଯେଉଁମାନେ ଶ୍ରମ ଭାର ବହନ କରିଥାନ୍ତି ସେମାନେ ରାଣୀ ମା’ର ସଙ୍କେତରେ ମହୁ ବାଢ଼ି ଦିଅନ୍ତି । ଯେ ଯେତିକି ଖାଇବାର ସେତିକିଟି ଖାଏ । କେହି ଅଧିକା ଖାଏ ନାହିଁକି ଅନ୍ୟର ଆହାରରୁ ଛଡ଼ାଇ ଆଣେ ନାହିଁ । ସଂଚିତ ମହୁ ତାଟରେ କେହି ପାଟି ଦିଏ ନାହିଁ । ସେ ହେଲା ଆପଦ ବିପଦର ଭଣ୍ତାର । ସେ ଦୁର୍ଭିକ୍ଷ ସମୟର ଆଶ୍ରୟ । ଗୋଷ୍ଠୀର ସମ୍ପତ୍ତି, ସଂହତିର କୋଠ ଭଣ୍ତାର ସେହି ମହୁତାଟ । ରାଣୀ ମା’ର ଗୋପନ ସଂକେତ ନ ପାଇଲେ ଘରା ଘୁଞ୍ଚେ ନାହିଁ ଏବଂ ମହୁ ଭଣ୍ତାର ଲୁଟ ହୁଏ ନାହିଁ ।

 

ବିପଦ ଘନେଇ ଆସିଲେ ନିକଟରେ ମହୁ ସଂଗ୍ରହ ପାଇଁ ଶସ୍ୟକେଦାର ନ ମିଳିଲେ ଘରା ଛାଡ଼ି ମହୁମାଛିମାନେ ଅନ୍ୟନ୍ତ୍ର ଉଡ଼ି ଯାଇ ନୂତନ ବସା ବାନ୍ଧନ୍ତି । ମା’ରାଣୀର ସାଂକେତିକ ନିର୍ଦ୍ଦେଶ ପାଇଲେ ସମସ୍ତ ମାଛି ପରିବାର ଦିନକ ଭିତରେ ମଧୁଭଣ୍ତାର ଜୁରି ଦିଅନ୍ତି । ହୁକୁମ ଆସେ ରାଣୀଙ୍କ ଠାରୁ ଏକ ଦୁଇ ତିନି । ରାଣୀମାଛି ଘରା ଛାଡ଼ି ଉଡ଼େ । ପଥ ଦର୍ଶକ ଆଗେ ଆଗେ ଉଡ଼େ-। ମା’ରାଣୀଙ୍କି ଘେରି ସମସ୍ତ ମକ୍ଷିକା ମଣ୍ତଳୀ ଉଡ଼ି ବାହାରନ୍ତି । ରାଣୀମା’କୁ ଘେରି ସମସ୍ତ ଫଣାର ମାଛି ଉଡ଼ିଗଲା ବେଳେ ସମସୁରରେ ଡାକନ୍ତି ମା’ ମା’ ମା’ । ମା’ ଧ୍ଵନି ପ୍ରକୃତିର ଡାକ-। ଗାଈ ବାଛୁରୀର ହମ୍ଵା ରଡ଼ି ସେହି ମା’ର ପ୍ରତିବାଦ ବା ପ୍ରତିଧ୍ଵନି । ବିଶ୍ଵବ୍ୟାପୀ ନୀରବ ନିର୍ଜନ ଘନ ରାତିର “ନିଶାଡ଼ାକ” ସେହି ମା’ର ନାମାନ୍ତର । ମା’ ମାମା, ଆମ୍ମା ପୃଥିବୀର ସବୁ ଜାତିର ସବୁ ଭାଷାର ଏକ ଅଭିନ୍ନ ଧ୍ଵନି । ବିଶ୍ଵବିଧାୟିନୀ ପ୍ରକୃତି ମଧୁମକ୍ଷିକା ମୁଖରେ ଦେଇଛି ସେହି ଏକ ନାମ ମା’ ।

Image

 

କର୍ମ ଅନୁଯାୟୀ ଶ୍ରେଣୀ

 

ମହୁମାଛିମାନେ ଜାତି ଭେଦ ମାନନ୍ତି ନାହିଁ । ଯାହାକୁ ଯେଉଁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଏ ତାକୁ ସେହି କାର୍ଯ୍ୟରେ ଅଭ୍ୟସ୍ତ କରାଯାଏ । ସେ ସେହିକାମ କରିବା ଦଳ ସହିତ ମିଶିଯାଏ । ଯେଉଁ ମାଛି ଯେଉଁ ଶ୍ରେଣୀ ଭୁକ୍ତ ହେଉ ପଛେ ସେ ରାଣୀମା’ ସହିତ ସମାନ ପଂକ୍ତିରେ ବସି ଭୋଜନ କରେ । ମହୁମାଛି ପଲରେ କେହି ବ୍ରାହ୍ମଣ ନାହିଁ କି କେହି ଚଣ୍ତାଳ ନାହିଁ । ଯେଉଁ ମାଛିଦଳ ମହୁତାଟ ପରିଷ୍କାର କରିବାରେ ଲାଗନ୍ତି, ମୃତ ଅଣ୍ତାକୁ ଦୂରରେ ନେଇ ଫିଙ୍ଗି ଆସନ୍ତି, କେଉଁଠି ପର ବା ମଳ ଲାଗି ଥିଲେ ତାକୁ ଝାଡ଼ି ସଫା କରନ୍ତି, ସେହି ମାଛି ଦଳ ମାଛି ସମାଜରେ ହେୟ ନୁହନ୍ତି; ଘୃଣ୍ୟ ନୁହନ୍ତି ବରଂ ରାଣୀ ମା’ର ସେମାନେ ଆଦରର ଧନ । ରାଣୀମା’ର ସେମାନେ ଅଧିକ ସ୍ନେହର ପାତ୍ର । ସେମାନେ ରାଣୀମାର କତିରେ ବସି ମହୁପାନ କରନ୍ତି ।

 

ଦଳେ ମହୁମାଛି ରାଣୀ ମା’ଦେବା ଅଣ୍ତାମାନଙ୍କ ଯତ୍ନରେ ଲାଗିଥାନ୍ତି । ଦଳେ କୀଟ ପରିଷ୍କାର କରନ୍ତି । ଦଳେ ଫଣା ଜଗନ୍ତି । ଦଳେ ଶତ୍ରୁର ସନ୍ଧାନ ନିଅନ୍ତି । ଦଳେ ମଧୁ ସଂଗ୍ରହ କରିବାକୁ ବନ ବନାନ୍ତ ଉଡ଼ି ବୁଲନ୍ତି । ସମସ୍ତେ ମହୁ ତାଟରେ ନିର୍ଦ୍ଦିଷ୍ଟ ସମୟରେ ହାଜର ହୁଅନ୍ତି । କେତେକ କେଶରକୁ ସଜାଡ଼ି ରଖନ୍ତି । କେତେକ କେଶରକୁ ମଧୁରସାୟନରେ ପରିଣତ କରନ୍ତି । କେତେକ କୋଠରୀ ନିର୍ମାଣ କରନ୍ତି । ଯେଉଁ କୋଠରୀ କାହା ପାଇଁ କଣ ପାଇଁ ତିଆରି ହୁଏ ତାହାର ପରିଚର୍ଯ୍ୟା ବୁଝନ୍ତି, ଦଳେ ମାଛି । ସମସ୍ତ ତାଟ ଗୋଟାଏ ବିପୁଳ ସମବାୟର ସମାବେଶ । ସମସ୍ତ ମହୁତାଟ ଏକ ବିଶାଳ ଥାଟ । ଏକ ମାତ୍ର ରାଣୀ ସେହି ବିପୁଳ ଥାଟର ନେତ୍ରୀ ।

 

ମହୁଘରାର ପ୍ରତ୍ୟେକ ମାଛି ପ୍ରତ୍ୟେକ ମାଛିକି ଚିହ୍ନେ । ପ୍ରତ୍ୟେକ ମାଛି ପ୍ରତ୍ୟେକ-ମାଛିର ନିର୍ଦ୍ଦିଷ୍ଟ କାର୍ଯ୍ୟ ଜାଣେ । ଏକ ତାଟର ଦୁଇଟି ମାଛି ଘରାର ବହୁ ଦୂରରେ କୌଣସି ଫୁଟନ୍ତା ଫୁଲ ଭିତରେ ଭେଟିଲେ ପରସ୍ପର ଚିହ୍ନା ଚିହ୍ନି ହୋଇଯାନ୍ତି । ଆପଣା ଦଳର ମାଛିକି ମାଛି ଚିହ୍ନିବାର ପ୍ରବୃତ୍ତି ନୈର୍ସଗିକ । ତାର ନାମ ସ୍ଵଭାବସିଦ୍ଧ ଜ୍ଞାନ ।

 

ଫଣାରକ୍ଷୀ ମହୁମାଛିମାନେ ଦୂରରୁ ଶତ୍ରୁର ସନ୍ଧାନ ପାନ୍ତି । କୌଣସି ଦଳେ ବଳିଷ୍ଠ ମାଛି ଘରା ଭାଙ୍ଗି ଉଡ଼ି ଆସୁଛନ୍ତି । ସେମାନେ ଉଡ଼ି ଆସୁଛନ୍ତି ଫଣା ଦଖଲ କରି ତାର ମଧୁଶୋଷଣ କରି ବିଜୟ ଲାଭ କରିବାକୁ । ମହୁ ତାଟକୁ ପକ୍ଷୀମାନେ ସାବଧାନ କରାଇ ଦିଅନ୍ତି । ମାଛିର ଗୁଞ୍ଜନରେ କି ଅର୍ଥ ଥାଏ କେଜାଣି, ରାଣୀ ମା’ ତାହା ବୁଝିପାରେ । ସମସ୍ତ ସେନାଥାଟ ନିମିଷ ମାତ୍ରକେ ରାଣୀର ନିର୍ଦ୍ଦେଶ ପାଇ ବାହାରକୁ ଉଡ଼ି ଆସନ୍ତି । ଶତ୍ରୁ ବାହିନୀକି ପ୍ରବଳ ବେଗରେ ସେମାନେ ଆକ୍ରମଣ କରନ୍ତି । ଶତ୍ରୁର ସାହାସ ପାଏନାହିଁ । ସେ ଭାଗ୍ୟ ଆଦରି ଉଡ଼ିଯାଇ ଅନ୍ୟତ୍ର ଘରାବାନ୍ଧେ-

 

ପରାଙ୍ଗପୁଷ୍ଟ ମାଛିର ମାଛି ସମାଜରେ ସ୍ଥାନ ନାହିଁ । ପରୋପହରଣ ମହୁମାଛିର ବୃତ୍ତି ନୁହ । ନିଜ ଗୋଡ଼ରେ ଠିଆ ହୋଇ ନିଜ ବାହୁବଳରେ ସେ ତାର ଖାଦ୍ୟ ସଂଗ୍ରହ କରେ, ତାର ଘର ତୋଳେ, ତାର ପରିବାର ପୋଷେ । କର୍ମକୁଣ୍ଠାକୁ ସେ ଘୃଣା କରେ । ଶ୍ରମଶୀଳ ମାଛି ହିଁ ବଞ୍ଚେ । ଯେ କର୍ମକୁଣ୍ଠ ତାର ମୃତ୍ୟୁ ଅନିବାର୍ଯ୍ୟ ।

 

ପରିବାରର ପ୍ରତ୍ୟେକ ସଭ୍ୟକୁ ଶ୍ରମ ସ୍ଵୀକାର କରିବାକୁ ହୁଏ । ପ୍ରତ୍ୟେକକୁ ପ୍ରତ୍ୟେକ ସ୍ନେହ ଚକ୍ଷୁରେ ଦେଖନ୍ତି । ପ୍ରତ୍ୟେକ ପ୍ରତ୍ୟେକର ସହାୟ ହୁଏ, ସହଯୋଗୀ ହୁଏ, ଶ୍ରେଣୀ ଭେଦ, ବୃତ୍ତି ଭେଦ ତାର ଅଛି । କିନ୍ତୁ ନାହିଁ ଜାତିଭେଦ । କର୍ମ ଅନୁସାରେ ଶ୍ରେଣୀ ଗଠିତ ହୁଏ । ଶ୍ରେଣୀ ନ ହେଲେ ସମୂହ ଭାବେ କାର୍ଯ୍ୟ ସଂପନ୍ନ ହୁଏ ନାହିଁ । କୌଣସି ଯୋଜନା ସଫଳ ହୁଏନାହିଁ । ଦେଶର ସମୂହ କଲ୍ୟାଣ ସାଧନ ନିମନ୍ତେ ଯେଉଁ ପଞ୍ଚବାର୍ଷିକ ଯୋଜନା ମାନ ଗଢ଼ାଯାଉଛି ତାହାର ଉଦ୍ୟୋକ୍ତା ଓ କର୍ମୀମାନଙ୍କ ଅପେକ୍ଷା ମହୁଘରାର ମହୁମାଛିମାନଙ୍କ ଦାୟିତ୍ଵ ଜ୍ଞାନ, ନିଷ୍ଠାପରତା, ସାଧୁତା ସହସ୍ର ଗୁଣ ଅଧିକ । ସେଥିପାଇଁ ଦିନକ ଭିତରେ ମକ୍ଷିକାଥାଟ ମହୁତାଟ ରଚନା କରି ପକାନ୍ତି ।

 

ମାନବ ସମାଜ ପକ୍ଷରେ ମଧୁମକ୍ଷିକାମାନଙ୍କ ସଂହତି-ସଂଗଠନ, ସହଯୋଗିତା, ସହାନୁଭୂତି ଓ ସଦ୍‍ଭାବ ବିଶେଷ ଶିକ୍ଷଣୀୟ । ବ୍ୟଷ୍ଟି ଓ ସମଷ୍ଟିର ଶ୍ରମ ହିଁ ମହୁମାଛି ସମାଜକୁ ଯୁଗ ଯୁଗ ଧରି ବଂଚାଇ ଆସିଛି । ଶ୍ରମ ହିଁ ତା ଜୀବନର ସାର୍ଥକତା ।

Image

 

ଶ୍ରମଶୀଳା ମାଛି

 

ମହୁମାଛିଙ୍କ ରାଣୀ ମା’ ଆକାରରେ ଟିକିଏ ବଡ଼ । ଅକର୍ମା ମାଛିଗୁଡ଼ିକ ଗୁଡ଼ିଏ ଖାଇ ଦେହକୁ ମୋଟା କରିଥାନ୍ତି । ଅକାମୀଗୁଡ଼ାକ ରାଣୀ ମା’ ପରି ବଡ଼ ଦିଶନ୍ତି । ନିଜ ପରିବାରର ମାଛି ବୋଲି ଅକର୍ମା ମାଛିଙ୍କୁ ରାଣୀ ମା’ ଅବହେଳା କରେ ନାହିଁ । କିନ୍ତୁ ଯେଉଁଗୁଡ଼ିକ ଦିବା ନିଶି ଖଟି ଖାନ୍ତି ସେଗୁଡ଼ିକ କର୍ମକୁଣ୍ଠ ଅଳସୁଆ ମାଛିଙ୍କୁ ଆଦୌ ଦୁଇ ଆଖିରେ ଦେଖି ପାରନ୍ତି ନାହିଁ ।

 

ଆମ ମଣିଷ ପରିବାରର ପାଞ୍ଚପୁଅ ଭିତରୁ ତିନି ପୁଅ ଦେହ କର୍ଦଳି ଶ୍ରମଦାନ କରି ଭରଣ ଭରଣ ଶସ୍ୟ ଆଣି ଘରେ ସାଇତିବେ ଏବଂ ଦୁଇ ପୁଅ ଖାଲି ଲମ୍ଵ ଓସାର ଲୁଗା ପିନ୍ଧି, ନିଶ ମୋଡ଼ି ସିଂଥା କାଢ଼ି ପାନ ଖାଇ ଦାନ୍ତ ପଚେଇ କେବଳ ସାଇ ସାଇ ବୁଲି ରଙ୍ଗ କାଢ଼ିବେ, ଘରର ମା’ ତାହା ସହିପାରେ; କିନ୍ତୁ ମୁଣ୍ତ ଝାଳ ତୁଣ୍ତରେ ମାରି ପରିଶ୍ରମ କରି ଧନ ଅର୍ଜିବା ଭାଇମାନେ କେତେ ଦିନ ସହିବେ ? ପାଞ୍ଚ ପୁଅର ପାଞ୍ଚ ବୋହୂ ପର ଘରୁ ଆସନ୍ତି । ଅର୍ଜନକାରିଆ ଭାଇମାନଙ୍କ ବୋହୂମାନେ ଅଳସୁଆ ଅକାମିକା ଭାଇମାନଂକୁ ପରଖିଆ ପରାଙ୍ଗପୁଷ୍ଟ ବୋଲି ହେୟ ଜ୍ଞାନ କରନ୍ତି, ହୀନ ଦେଖନ୍ତି । ଅକର୍ମା ଭାଇଙ୍କ ବୋହୂମାନେ ପହିଲେ କଳହ ବୀଜ ରୋପଣ କରନ୍ତି । ଘର ଭାଙ୍ଗି ଛାରଖାର ହୁଏ । ଅଭ୍ୟସ୍ତ ଶ୍ରମଶୀଳ ଭାଇଟିମାନେ ସୁନ୍ଦର ଘର କରନ୍ତି । ଅକର୍ମା କର୍ମକୁଣ୍ଠଯାକ ସମାଜର ଗଳଗ୍ରହ ହୁଅନ୍ତି । ଅଭାବରେ ସ୍ଵଭାବ ନଷ୍ଟ ହେଲେ ଚୋରା, ଡକାଏତ ପାଲଟି କାରାଗାରକୁ ଆଦରନ୍ତି ।

 

ମହୁମାଛି ପରିବାର କର୍ମକୁଣ୍ଠ ମାଛିମାନଙ୍କୁ ଚୋର, ଡକାଏତ ହେବାକୁ ଦିଏ ନାହିଁ । କ୍ଷୁଦ୍ରକାୟ ଶ୍ରମଶୀଳ ମାଛି ଦେଖେ ଦିନୁ ଦିନ ଅକର୍ମା ମାଛିଙ୍କ ସଂଖ୍ୟା ବୃଦ୍ଧି ପାଉଛି, ମଧୁ ସଂଚୟ କମି ଯାଇଛି, ଶ୍ରମିକ ପେଟକୁ ଅଣ୍ଟୁ ନାହିଁ, ଅଳସୁଆ କେବଳ ଖାଇ ଗଣ୍ତିକି ମୋଟା କରୁଛି । ଶ୍ରମିକମାନେ ରାଣୀ ମା’ର ସଂକେତ ଭିକ୍ଷା କରନ୍ତି । ରାଣୀ ମା’ର ନିର୍ଦ୍ଦେଶ ସଙ୍କେତ ପାଇଲେ ଶ୍ରମଶୀଳ ମାଛି ଡାକ ଦିଅନ୍ତି–“ଶ୍ରମିକ କୁଳ ଏକଜୁଟ ହୁଅ । ବସିଖିଆଙ୍କୁ ଘରୁ ନିକାଲ ।” ନବ ଯୁବକ ଶ୍ରମିକ ପଞ୍ଜାଏ କହନ୍ତି–“ଶାଲା ଅକର୍ମା ମୁର୍ଦ୍ଦାବାଦ । ଇସ୍‍କୁ ମାରୋ, ଖତମ କରୋ ।”

 

ରାଣୀ ମା’ର ଆଖିରୁ ଟିକିଏ ଲୁହ ଗଡ଼ିଯାଏ । କିନ୍ତୁ ପର ମୁହୂର୍ତ୍ତରେ ସେ ଭାବେ “ବାରଶ ବଢ଼େଇରେ ଦାଇ ନା ଏକା ଧରମାରେ ଦାଇ ?” ଜୀବନ ମୁରୁଛି ଭେଣ୍ତିଆ ଭେଣ୍ତିଆ ମାଛିମାନେ ଡେଇଁ ପଡ଼ନ୍ତି । ଅକର୍ମା ଅଳସୁଆ ପରାଙ୍ଗପୁଷ୍ଟ ମାଛିଂକୁ ସେମାନେ ମାରି ମାରି ତଡ଼ନ୍ତି, କେବଳ ଦୂରକୁ ତଡ଼ନ୍ତି ନାହିଁ, ମାରି ମାରି ସେମାନଂକୁ ନିଶେଷ କରି ଦିଅନ୍ତି । ମହୁମାଛି ଶ୍ରମିକମାନେ ଭାବନ୍ତି, ତାଙ୍କ ସମାଜର ପରମ ଶତ୍ରୁ କର୍ମକୁଣ୍ଠ ଆଳସ୍ୟପରାୟଣ ପରାଙ୍ଗପୁଷ୍ଟ ମକ୍ଷିକା ।

 

ପ୍ରାଚୀନ ଗ୍ରୀସ ଦେଶରେ ଅକର୍ମା କର୍ମକୁଣ୍ଠ ପରାଙ୍ଗପୁଷ୍ଟର ମାନବ ସମାଜରେ ନଥିଲା ସ୍ଥାନ, ନଥିଲା ସମ୍ମାନ । ଏକ ସମୟରେ ଅକର୍ମାମାନଙ୍କୁ ଅକର୍ମଣ୍ୟମାନଙ୍କୁ ପର୍ବତ ଶିଖରକୁ ନେଇ ଗ୍ରୀକ ବୀରମାନେ ଅତଳ ସମୁଦ୍ରକୁ ଗଡ଼େଇ ଦେଇଥିଲେ । ଶ୍ରମଶୀଳ ଯେକି ସେ ସଂଗ୍ରାମଶୀଳ । ସଂସାର ସଂଗ୍ରାମରେ ଯେ ଲଢ଼ି ନିଜକୁ ରଖି ପାରିଲା ସେ ବଞ୍ଚିଲା । ଯେ ଦୁର୍ବଳ ସେ ମଲା । ଜୀବିକା ଅର୍ଜନ କରି ଜୀବନ ଧାରଣ କରିବାକୁ ହେଉଥିଲା ।

 

ମହୁମାଛି ଭିତରେ ଅଛି ସେହି ଆଦିମ ପ୍ରକୃତିର ବିଧିପରମ୍ପରା । ଶ୍ରମଶୀଳ ମାଛିମାନେ ସବୁତକ ଅକାମୀଂକୁ ମାରି ଦିଅନ୍ତି ନାହିଁ । ଯେଉଁତକ ମଲେ ଖାଦ୍ୟ ଭଣ୍ତାର ଜୁର ହେବ ନାହିଁ ସେହିତକକୁ ଖତମ କରି ଦିଆଯାଏ । ସମାଜ ରକ୍ଷା ଲାଗି, ପରିବାର ରକ୍ଷା ଲାଗି, ମହୁତାଟ ସଂରକ୍ଷଣ ଲାଗି ଯେତେକ ଅକର୍ମା ମାଛିର ପ୍ରୟୋଜନ ସେତେକକୁ ମୁକ୍ତି ଦିଆଯାଏ । ମାଣ୍ତିଆର ମାଡ଼ ଦେଖି ବିରି ତା ମନକୁ ଗଜା ହୋଇଯାଏ । ଅଳସ ଅକର୍ମା ପରାଙ୍ଗପୁଷ୍ଟ ମାଛିମାନେ ମାଡ଼ ଖାଇ ମରିବାର ଦେଖି କେତେକ ଅକର୍ମା କର୍ମଶୀଳ ହୋଇଯାନ୍ତି ।

 

କର୍ମଠ ଶ୍ରମଶୀଳ ମାଛିମାନେ ଆକାରରେ ରାଣୀ ମାଛି କିମ୍ଵା ଅକର୍ମା ମାଛି ଠାରୁ ଟିକିଏ ସାନ ହୁଅନ୍ତି । ଶ୍ରମ ସେମାନଙ୍କୁ କ୍ଷୁଦ୍ରତର କଲେ ହେଁ, କରେ ବଳିଷ୍ଠତର ।

Image

 

କର୍ମଠ ମାଛିର ସ୍ଵଭାବ

 

କର୍ମଠ ରହିବା ଶ୍ରମଶୀଳ ମାଛିର ଜନ୍ମଗତ ପ୍ରକୃତି । ବିଜୁଳି ପରି ଚଞ୍ଚଳ ହେବା, ଅତି ଚଞ୍ଚଳ ନିଜର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସାଧନା କରିବା ତାର ରକ୍ତଗତ ସ୍ଵଭାବ । ଆଗେ କୁହାଯାଇଛି, କର୍ମଶୀଳ ମାଛି କର୍ମକୁଣ୍ଠ ମାଛିଙ୍କ ଅକାରଣ ଅନାବଶ୍ୟକ ସଂଖ୍ୟା ବୃଦ୍ଧି ପସନ୍ଦ କରେ ନାହିଁ । ତାହା ବୋଧହୁଏ ରାଣୀ ମାଛିର ଗୁପ୍ତ ନିର୍ଦ୍ଦେଶ । ମଧୁମକ୍ଷିକା ସୃଷ୍ଟିର ବିଧାନ ସେୟା । ଯିଏ ଶ୍ରମ କରି ଖଟିବ ସେ କୋଠ ଭଣ୍ତାରରୁ ଅସମୟରେ ବସି ଖାଇବ । ଝଡ଼ି ବର୍ଷାରେ, ଅତି ଖରା ଅତି ଶୀତରେ ବସାରେ ବସି ଭଣ୍ତାର ଘରରୁ ମଧୁପାନ କରିବାର ଅଧିକାର ତାର, ଯେ କି ଦିବା ନିଶି ଆପଦ ବିପଦର ସମ୍ମୁଖୀନ ହୋଇ ନାନା ସଙ୍କଟରୁ ନିଜକୁ ବଞ୍ଚାଇ ମଧୁ ସଂଗ୍ରହ କରି ଭଣ୍ତାର ପୂର୍ଣ୍ଣ କରେ । ଯେ ବସି ଖାଏ ତାର ସଂଖ୍ୟା ବୃଦ୍ଧି ଦେଖି କର୍ମଶୀଳ ମାଛି ସହିପାରେ ନାହିଁ । ଅକର୍ମା ମାଛିଙ୍କ ସଂଖ୍ୟା ବଢ଼ିବାର ଦେଖିଲେ କର୍ମଶୀଳ ମାଛିମାନେ ରାଣୀ ମା’ର ସାଙ୍କେତିକ ପରାମର୍ଶରେ ସେମାନଙ୍କ ସଂଖ୍ୟା କମେଇ ଦିଅନ୍ତି ।

 

ତେଣୁ ମହୁତାଟରେ ଦେଖିବାକୁ ମିଳନ୍ତି ବହୁ ସଂଖ୍ୟକ କର୍ମଠ ଚଞ୍ଚଳଗତି ମହୁମାଛି । ବିଶେଷଜ୍ଞମାନେ ଗଣନା କରି ଦେଖିଛନ୍ତି ଗୋଟିଏ ଗୋଟିଏ ମହୁଫଣାରେ କୋଡ଼ିଏ ହଜାରରୁ ଚାଳିଶ ହଜାର ଯାଏଁ କର୍ମଶୀଳ ମାଛି ରହନ୍ତି । ସେମାନଙ୍କ ତୁଳନାରେ ଅକର୍ମା ବା ଅକର୍ମଣ୍ୟ ମାଛିମାନଙ୍କ ସଂଖ୍ୟା ନିହାତି ନଗଣ୍ୟ ।

 

ଆଉ ଏକ ଅଦ୍ଭୁତ ରୀତି ମହୁତାଟରେ ଦେଖିବାକୁ ମିଳେ । ସେ ହେଉଛି, ଅକର୍ମା ଗୁଡ଼ାକ ବସି ବସି ବେଶିଗୁଡ଼ାଏ ଖାନ୍ତି । କର୍ମଠ ବା କର୍ମଶୀଳ ମାଛିମାନେ କମ କମ ଖାନ୍ତି, କିନ୍ତୁ ମହୁତାଟ ନିର୍ମାଣ, ମଧୁ ସଞ୍ଚୟ, କେଶର ଚୟନ ଆଦି ସବୁ କାମ କରନ୍ତି । ବସି ଖାଇଲେ ଗଣ୍ତି ବଢ଼େ । ଦେହଟା ଅତି ବଡ଼ ହେଲେ ମାଛି ଅଳସୁଆ ହୋଇଯାଏ । କିନ୍ତୁ ଆଳସ୍ୟ, ନିର୍ଜୀବତା ସତ୍ତ୍ଵେ ଅକର୍ମା ବେଶୀ ଖାଇବାକୁ ମନ ବଳାଏ । ଅକର୍ମା ବସି ଖାଇବା ମାଛି ଠିକ୍ ଅତିକାୟ ଅତି ଭୋଜନପ୍ରିୟ ବ୍ୟବସାୟୀ ମହାଜନ ପରି । ମହାଜନ ପସରା ମେଲେ । ଡାଲି ଚାଉଳ ଘିଅ ଗୁଡ଼ ସାଇତି ରଖେ । ଅଭାବ ଅନାଟନ ବେଳେ ତାକୁ ଦି’ଗୁଣ ଦରରେ ବିକେ । ମୁଣ୍ତଝାଳ ତୁଣ୍ତେ ମାରି ଯେଉଁ ଶ୍ରମିକ ଉତ୍ପାଦନ କରେ ସେ ଆଣି ମହାଜନ ଦ୍ଵାରରେ ବିକେ । ମହାଜନ ନିନ୍ଦି କିଣେ ଛନ୍ଦି ବିକେ । ଶ୍ରମିକ ଦିବାନିଶି ଶ୍ରମଦାନ କରି ଜଗତର ଆବଶ୍ୟକୀୟ ଅନ୍ନ ବସ୍ତ୍ର ଉତ୍ପାଦନ କରେ । ମହାଜନ କେବଳ କେତୋଟି ସଞ୍ଚିତ ଟଙ୍କା ଖଟେଇ ଜିନିଷତକ ଶ୍ରମିକଠାରୁ କିଣି ନିଏ । ଟଙ୍କାଟା ଖେଳେଇ ମାଲ ସାଇତିବା ତାର ବାହାଦୂରୀ । ସେଇଥିରୁ ଲାଭ ଉଠାଇ ସେ ବସି ଖାଇ ଗଣ୍ତି ମୋଟ କରେ । ମଣିଷ ସମାଜ ଏବେ ଆଉ ଅତିଖିଆ ଅତିମୋଟା ମହାଜନ ସଂଖ୍ୟା ବଢ଼ିବାର ଦେଖି ସମ୍ଭାଳି ପାରୁ ନାହିଁ । ସେହି ସମାଜରୁ ବିନୋବା ବାଭେ ଭଳି ବିପ୍ଳବୀ ଉଠୁଛନ୍ତି । ସଂପତ୍ତି ସମୀକରଣ ପାଇଁ ଦାବି କରୁଛନ୍ତି । ଗାଁ ପରେ ଗାଁ ବାଣ୍ଟି ଦିଆଯାଉଛି । ବସିଖିଆଙ୍କର ଆଉ ସ୍ଥାନ ନାହିଁ ।

 

କର୍ମଶୀଳ ମାଛିଙ୍କ ଭିତରେ ବିପ୍ଳବୀ ସଂଖ୍ୟା ବେଶୀ । ସେମାନେ କମ ଖାନ୍ତି, ବେଶୀ ଖଟନ୍ତି ଏବଂ ଶରୀରକୁ ସବଳ ଅଥଚ କ୍ଷୁଦ୍ର କରନ୍ତି । କ୍ଷୁଦ୍ରକାୟ ଶୂଦ୍ରର ଏ ଯୁଗ । କର୍ମୀ ମହୁମାଛି ଜନ୍ମରୁ କ୍ଷୁଦ୍ର, ଜନ୍ମରୁ ଶ୍ରମିକ ଶୂଦ୍ର । ଏହି ଶ୍ରମିକ ଶୂଦ୍ର ମାଛିମାନଙ୍କୁ ଡିମ୍ଵ ଅବସ୍ଥାରୁ ଧାଇମାନେ କମ କମ ଖାଦ୍ୟ ଦିଅନ୍ତି । କମ କମ ଖାଦ୍ୟ ଖାଇ ବେଶି ବେଶି କାମ କରି କର୍ମଶୀଳ ମାଛିମାନେ ଏପରି ଅଭ୍ୟସ୍ତ ହୁଅନ୍ତି ଯେ ଚଞ୍ଚଳତାରେ କୌଣସି ମାଛି ସେମାନଙ୍କର ସମକକ୍ଷ ହୁଅନ୍ତି ନାହିଁ । ଅକର୍ମା ମହାଜନିଆ ମାଛିଙ୍କ ଅପେକ୍ଷା ସ୍ଵଳ୍ପାହାରୀ ଓ କ୍ଷୁଦ୍ରତର ହେଲେହେଁ ଶ୍ରମିକ ଶୂଦ୍ର ମାଛିଙ୍କ ମୁହଁର ଶୂଙ୍କ ଅପେକ୍ଷାକୃତ ଅଧିକ ଟାଣ ଅଧିକ ବିଷାକ୍ତ । ତାର ଦଂଶନ ସମ୍ଭାଳିପାରେ ନା ଅକର୍ମା ମହାଜନିଆ ମାଛି । ମହୁମାଛି ସମାଜରେ ସେଥି ଯୋଗୁଁ ବସିଥିବା ମହାଜନିଆ ମୋଟା ମାଛିର ସ୍ଥାନ ନାହିଁ ।

Image

 

ଜନ୍ମକଳା

 

ଆଗରୁ କୁହାଯାଇଛି ଯେଉଁ ଘରାଗୁଡ଼ିକ ଡିମ୍ଵ ପାଇଁ ଉଦ୍ଦିଷ୍ଟ ସେହି ଘରାମାନଙ୍କର ରାଣୀ ମାଛି ଗୋଟିଏ ଗୋଟିଏ ଡିମ୍ଵ ଦେଇଯାଏ । ଗୋଟିଏ ଘରାରେ ଗୋଟିଏ ଡିମ୍ଵ । ରାଣୀ ମା’ ଘରା ଭିତରେ ମୁହଁ ତଳକୁ କରି ପଶିଯାଏ । ଘରାଟା ଖାଲି ଅଛି କି ନାହିଁ ପରୀକ୍ଷା କରି ଉପରକୁ ମୁହଁ କରି ଉଠିଆସେ । ଉଠି ଆସୁ ଆସୁ ସେ ଘରା ତଳେ ଅଣ୍ତାଟିଏ ଦେଇ ଆସେ ।

 

ଯେଉଁ ଅଣ୍ତାରୁ ଶ୍ରମଶୀଳ ମାଛି ଉପୁଜେ ସେହି ଅଣ୍ତା ଘରା ଭିତରେ ବଢ଼େ । ଶ୍ରମଶୀଳ କର୍ମୀ ମାଛି ପ୍ରାୟ ମାଇ ଅଣ୍ତାରୁ ଜନ୍ମନ୍ତି । ଅଣ୍ତା ଗୁଡ଼ିକ ଉଭା ଅରୁଆଚାଉଳର ପୋକ ପରି ଦିଶନ୍ତି । ତିନି ଦିନ ଯାଏଁ ଅଣ୍ତା ତା ଘରା ଭିତରେ ଥାଏ । ସେହି ଅଣ୍ତାମାନଙ୍କୁ ଧାଇ ମାଛିମାନେ ଛ ଦିନ ଯାଏଁ ଦାନା ଯୋଗାନ୍ତି । ଧାଇମାନେ ରାଣୀମା’ର ତଇନାତରେ ଥାନ୍ତି ଏବଂ ରାଣୀମା’ର ନିର୍ଦ୍ଦେଶ ସଂକେତକୁ ଚାହିଁ ରହିଥାନ୍ତି । ରାଣୀମା’ର ସଂକେତ ପାଇ ଧାଇମାନେ ଶ୍ରମଶୀଳ ମାଛି ହେବାକୁ ଥିବା ଡିମ୍ଵଛୁଆକୁ ରାଜଭୋଗ ଖୁଆନ୍ତି । କିନ୍ତୁ ସେହି ଛୁଆମାନଙ୍କ ଭାଗ୍ୟରେ ମୋଟେ ତିନିଦିନ ରଜାଖିଆ ଖାନା ଜୁଟେ । ଯେଉଁ ଛୁଆମାନେ ରାଣୀ ହେବାର କଥା ସେମାନଙ୍କର ଭାଗରେ ସବୁଦିନେ ରଜାଖିଆ ଦାନା ଜୁଟେ ।

 

ଦାନା ଅନୁସାରେ ଶ୍ରମଶୀଳ ମାଛି ଠାରୁ ରାଣୀମାଛି ପୃଥକ ଦିଶେ । ଜନ୍ମରୁ ମାଛି ତାର କଳା ନେଇ ଆସିଥାଏ । କର୍ମଶୀଳ ମାଛିର ଅଣ୍ତାକୁ ଧାଈ ମା’ମାନେ ତିନି ଦିନ ଦାନା ଦେଇ ତାଙ୍କ ଘରାର ମୁହଁ ବନ୍ଦ କରି ଦିଅନ୍ତି । ମୁହଁ ବନ୍ଦ ହେବା ଘରାରେ ଶ୍ରମଶୀଳ ମାଛିର ଅଣ୍ତା ଏଗାର ଦିନ ରହେ । ଏଗାର ଦିନ ବିତିଗଲେ ଘରା ମୁହଁ କାଟି ମାଛି ଉପରକୁ ଉଠେ । ଉଠିଲା ବେଳକୁ ଶ୍ରମଶୀଳ ମାଛିର ପର ବା ପତଙ୍ଗ ଲାଗି ଯାଇଥାଏ ।

 

ଶ୍ରମଶୀଳ ମାଛି ତାର ବାର ଦିନ ବୟସରୁ ମହୁଘରାର ସର୍ବବିଧ କାମରେ ନିଜକୁ ଲଗାଇ ଦିଏ । କିମିତି ସେ ଜାଣେ ତାର ସେହି କାମ ନିର୍ଦ୍ଦିଷ୍ଟ, ବଡ଼ ଆଶ୍ଚର୍ଯ୍ୟ । ଆଗେ ସେ ଲାଗିଯାଏ ତାର ବାସ ନିର୍ମାଣରେ । କର୍ମଶୀଳ ମାଛି ଯିମିତି ବଢ଼େ ସିମିତି ତା ପେଟ ତଳୁ ଏକ ଜାତିର ଅଠା ଜାତ ହୁଏ । ସେହି ଅଠାଟା ହୁଏ ମହଣ । ମହଣ ମାଖି ସେ ଘରାକୁ ଖରା ବର୍ଷାରୁ ନିବାରଣ କରେ । ଦିହର ମହଣ ଓ ମୁହଁର ଲାଳ ମିଶିଲେ ଯେଉଁ ରସାୟନ ହୁଏ ତହିଁରେ ସେ ଭିନ୍ନ ଭିନ୍ନ ଗମ୍ଭିରି ଘର ତିଆରି କରେ । ପତ୍ୟେକ ଗମ୍ଭିରି ଛ’ କୁଣିଆ । କିଏ ତାକୁ ତାର ବାର ଦିନ ବୟସରୁ ଏ ଗୃହ ନିର୍ମାଣ କୌଶଳ ଶିଖାଏ, କିଏ ତାକୁ ଏ ଜ୍ୟାମିତିକ ଜ୍ଞାନ ଦିଏ ଭଗବାନ ଜାଣନ୍ତି-

 

କେବଳ ଗୃହନିର୍ମାଣ ନୁହେ, ସାନ ବଡ଼ ଅଣ୍ତାମାନଙ୍କର ପରିଚର୍ଯ୍ୟା ବୁଝନ୍ତି ମଧ୍ୟ ଶ୍ରମଶୀଳ ମାଛି । ଶ୍ରମଶୀଳ ମାଛିଙ୍କ ମୁଣ୍ତରେ ଥାଏ ଏକ ରସ । ତାର ପେଟତଳ ରସରେ ଯେପରି ମହଣ ଘରା ହୁଏ ସେପରି ତାର ମଥାରୁ ନିର୍ଗତ ରସରେ ଏକ ଜାତିର ପିଠା ହୁଏ । ଶ୍ରମିକ ମାଛି ତା ହାତ ପାଟି ସାହାଯ୍ୟରେ ସେଇ ରସର ଯେଉଁ ପିଠା କରେ ତାହା ହୁଏ ମାଛି ଛୁଆଙ୍କ ଆହାର ।

 

ଦେହର ଉତ୍ତାପ ଦେଇ ଶ୍ରମବନ୍ତ ମାଛିମାନେ ମହୁତାଟକୁ ସର୍ବଦା ଗରମ ରଖନ୍ତି । ଥଣ୍ତା ବାଜିଲେ ଅଣ୍ତାମାନେ ମରିଯାନ୍ତି । ଅଣ୍ତା ଘରାମାନ ସେଥିପାଇଁ ଏଗାର ଦିନ ଯାଏ ବନ୍ଦ ଥାଏ । ଅଣ୍ତାରୁ ବ୍ରହ୍ମାଣ୍ତ । ଅଣ୍ତ ବଞ୍ଚିଲେ ମଧୁମୟ ବ୍ରହ୍ମାଣ୍ତ ରହିବ । ଅଣ୍ତବିହୀନ ବ୍ରହ୍ମାଣ୍ତ ମଧୁମୟ ନୁହେ । ତେଣୁ ମଧୁମକ୍ଷିକା ତାର ଅଣ୍ତାର ଯତ୍ନ ପାଇଁ ପ୍ରାଣ ପାତ କରେ ।

 

ଅତି ଖରାରେ ଅତି ଉତ୍ତାପରେ ମହୁଫଣା ଯଦି ତାତି ଯାଏ, ମହଣ ତରଳି ଯିବାକୁ ଆରମ୍ଭ କରେ । ମହଣ ତାତିଲେ ତରଳି ଯାଏ । ଅଣ୍ତା ନଷ୍ଟ ହୁଏ । ମହୁ ନଷ୍ଟ ହୁଏ । ତେଣୁ ଶ୍ରମବାନ ମକ୍ଷିକା ଶ୍ରେଣୀ ମହୁତାଟକୁ ଏପରି ଆବୋରି ରହନ୍ତି ଯେ ବାହାରର ଉତ୍ତାପ ମହୁଫଣାରେ ପ୍ରବେଶ କରିପାରେ ନାହିଁ । ଅତି ଉତ୍ତାପ ହେଲେ ମାଛିମାନେ ନିଜ ନିଜର ପର ଗୁଡ଼ିକ ତଳକୁ ଉପରକୁ କରି ମହୁଫଣାକୁ ପଂଖା କରନ୍ତି । କୋଡ଼ିଏ ହଜାର ମାଛିଙ୍କ ପରପଂଖାରେ ଏପରି ଶୀତଳ ପବନ ଉପୁଜେ ଯେ, କ୍ଷଣକ ଭିତରେ ସମସ୍ତ ମହୁତାଟ ଶୀତଳ ହୋଇଯାଏ ।

 

ଶୀତ ଦିନେ ମହୁଫଣାକୁ ଗରମ ରଖିବା ଏବଂ ଗ୍ରୀଷ୍ମଦିନେ ତାକୁ ଶୀତଳ ରଖିବା ସେମାନେ ଜାଣନ୍ତି ଶୀତବେଳେ ସେମାନେ କିପରି ନିଜ ଦେହରେ ଉତ୍ତାପ ସୃଷ୍ଟି କରନ୍ତି ଏବଂ ଖରାଦିନେ କିପରି ଦେହକୁ ଶୀତଳ ରଖନ୍ତି ସେମାନେ ଏକା ଜାଣନ୍ତି । ବିଧିର ବିଚିତ୍ର ବିଧାନ, ମହୁମାଛିର ସେ କଳା କୁଶଳତା ଜନ୍ମ କଲା ।

Image

 

କର୍ମ ପରଂପରା

 

ରାଣୀମାଛି ଡିମ୍ଵ ଦିଏ । ସୃଜନ ତାର ଲୀଳା । ସେ ପ୍ରକୃତି । ପୁରୁଷ ମାଛିର ସହବାସରେ ସେ ଧରେ ଅଣ୍ତା । ରାଣୀ ମା’ ସହିତ ଯେଉଁ ପୁରୁଷ ପୁଙ୍ଗର ସହବାସ ହୁଏ ସେ ଥାଏ ବଳିଷ୍ଠ, ଚଞ୍ଚଳ, ଶ୍ରମଶୀଳ । ରାଣୀ ମା’ର ବଂଶ ପରଂପରା ରକ୍ଷା କରେ ଶ୍ରମଶୀଳ ମକ୍ଷିକା ।

 

ମହୁଫଣାରେ ପ୍ରଥମ ସ୍ଥାନ ରାଣୀମା’ର, ଦ୍ଵିତୀୟ ସ୍ଥାନ ଶ୍ରମିକ ଶୁଦ୍ରମାନଙ୍କର । ରାଣୀ ମା’ କେବଳ ରାଜଭୋଗ କରେ, ସୁଖ ସୌଭାଗ୍ୟ ଅନୁଭବ କରେ ଏବଂ ଯଥା କାଳରେ ଡିମ୍ଵ ଦିଏ-। ଡିମ୍ଵ ଦେଇ ସାରିଲେ ରାଣୀମା’ର କାମ ତୁଟେ । କିନ୍ତୁ ତାର ଗୋପନ ନିର୍ଦ୍ଦେଶକୁ ପ୍ରତୀକ୍ଷା କରନ୍ତି ଶ୍ରମିକ ଶୂଦ୍ର ।

 

ସମସ୍ତ କର୍ମ ପରଂପରା ପାଇଁ ଦାୟୀ ଶ୍ରମିକ ଶୂଦ୍ର ମାଛି । ଫୁଲରୁ କେଶର ଚୟନ କରିବା ଠାରୁ ମହୁକୁ ପକ୍ଵ ମହୁରେ ପରିଣତ କଲାଯାଏଁ ଟିକି ନିଖି ସବୁ କାମ ପାଇଁ ଶ୍ରମିକ ଶୂଦ୍ର ମାଛି ଦାୟୀ । ପଦ୍ମଫୁଲ ଠାରୁ ବକୁଳ ଫୁଲ ଯାଏଁ ପ୍ରତ୍ୟେକ ଫୁଲର ରେଣୁ ଥାଏ । ଆର୍ଦ୍ର ଶୀତଳ ଆର୍ଦ୍ର କେଶରରେ ଥାଏ ଜଳୀୟ ଅଂଶ । ଶ୍ରମିକ ମାଛିମାନେ ସେହି ମଧୁ କେଶର ସଂଗ୍ରହ କରି ତୃପ୍ତ ହୁଅନ୍ତି ନାହିଁ । କେଶରର ଆର୍ଦ୍ର ଅଂଶକୁ ଦେହ ଉତ୍ତାପ ଦେଇ ଶୁଖେଇ ପକାନ୍ତି । ଜଳୀୟ ଭାଗଟା ଶୁଝିଗଲେ ମାଛିମାନଙ୍କ ଉତ୍ତାପ ଓ ରୌଦ୍ର ଉତ୍ତାପରେ ମଧୁ ସିଦ୍ଧ ହୋଇଯାଏ । ସିଦ୍ଧକୁ ମଧୁକୁ ଭଣ୍ତାରରେ ଭରି ଦିଆଯାଏ । ଭଣ୍ତାର ଏକ ନିପୁଣ କଳାପୂର୍ଣ୍ଣ ଭଣ୍ତାର । କଳିଙ୍ଗ ରାଜ୍ୟର “ଜଉଗଡ଼” କୁ ରାଣୀ ଚାରୁବାକୀ ଯେପରି ଜଉ ପାଚେରୀରେ ଦୃଢ଼ ନିବିଡ଼ କରି ରଖିଥିଲେ ଯେ ତିନିବର୍ଷ ଯୁଝି ଯୁଝି ସୁଦ୍ଧା ମଗଧ ନୃପତି ଚଣ୍ତାଶୋକ ତା ଭିତରେ ପଶି ପାରି ନଥିଲେ, ସେପରି ମହୁ ରାଣୀର ନିର୍ଦ୍ଦେଶରେ ମହୁଭଣ୍ତାର ଏପରି ନିବିଡ଼ ମହଣ ପାଚେରୀ ପରିବେଷ୍ଟିତ ଥାଏ ଓ ଏପରି ବଛା ବଛା ସମସ୍ତ ପ୍ରହରୀ ମକ୍ଷିକାମାନଙ୍କ ଦ୍ଵାରା ସୁରକ୍ଷିତ ଥାଏ ଯେ, ସେଥିରେ ହାତ ଦେବାର କାହାର ଶକ୍ତି ନଥାଏ । ମଧୁଲୁବ୍‍ଧ ଶବରମାନେ ନିଆଁ ହୁଳାରେ ଥାଟ ପୋଡ଼ି ସହସ୍ର ସହସ୍ର ମାଛି ମାରି ମହୁ ସଂଗ୍ରହ କରନ୍ତି ଏବଂ ସମୟେ ସମୟେ ମହୁମାଛିର ଉତ୍କଟ ଦଂଶନ ପାଇ ଓଠ ପାଟି ନାକ କାନ ଫୁଲେଇ ଗଛ ଉପରୁ ଖସି ପଡ଼ନ୍ତି ।

 

ମହୁଫଣାରେ ଯିଏ ହାତ ଦିଏ ସିଏ ରାଣୀମାଛିର ଶତ୍ରୁ, ଶ୍ରମିକ ଶୂଦ୍ର ମାଛିର ଶତ୍ରୁ । ଶତ୍ରୁ ସହିତ ଯୁଦ୍ଧ ନ କରି ପ୍ରାଣପାତ ନ କରି ଶ୍ରମିକ ଶୂଦ୍ର ମାଛି ମହୁ ଛାଡ଼େ ନାହିଁ । “ମନ୍ତ୍ରଂ ବା ସାଧୟେତ ଶରୀରଂ ବା ପାତୟେତ” ହେଉଛି ଶ୍ରମିକ ଶୂଦ୍ର ମାଛିର ଜୀବନ ମରଣ ପଣ ମହୁଫଣାରେ ଶବର ହାତ ଦେବା ପୂର୍ବରୁ ଅନେକ ମହୁମାଛି ମରନ୍ତି । ଅନେକ ନିରାଶାରେ ଉଡ଼ିଗଲା ବେଳେ ମଧୁ ଶୋଷଣ କରି ଉଡ଼ିଯାନ୍ତି । ବହୁ ସଂଖ୍ୟକ ବଳୁଆ ମାଛି ରାଣୀମାଛିଙ୍କୁ ସଙ୍ଗରେ ନେଇ ଉଡ଼ିଯାନ୍ତି । ସବୁ ଯାଉ ରାଣୀ ମା’ ଥାଉ । ରାଣୀମା’ ଥିଲେ ରାତି ପାହୁ ପାହୁ ଯେଉଁ ତାଟକୁ ସେହି ତାଟ ଗଢ଼ି ଉଠିବ, ପୁଣି ବିପୁଳ ମକ୍ଷିକା ଥାଟର ରଚନା ହୋଇଯିବ ।

 

ସେଥିପାଇଁ ଶ୍ରମିକ ଶୂଦ୍ର ମାଛିମାନେ ସବୁ କାମ କରି ରାଣୀ ମା’ ଉପରେ ନଜର ରଖିଥାନ୍ତି । ରାଣୀ ମା’ର ସେବା ଶ୍ରମିକ ମାଛିର ପ୍ରଥମ କର୍ତ୍ତବ୍ୟ । ତା ପର କର୍ତ୍ତବ୍ୟ ହେଉଛି ସମସ୍ତ ତାଟକୁ ସଫା ରଖିବା । ବହୁ ସହସ୍ର ଅଣ୍ତା ଦେଇ ଦେଇ ରାଣୀମା’ର ଦିହ ଯେପରି ଭାଙ୍ଗି ନ ପଡ଼େ ତାକୁ ଶ୍ରମିକମାନେ ସେପରି ଖାଦ୍ୟସାର ଯୋଗେଇ ଦିଅନ୍ତି । ରାଣୀ ମା’ ମନା କଲେ ସୁଦ୍ଧା ଶ୍ରମିକମାନେ ତାକୁ ବଳେଇ ଖୁଆନ୍ତି । ମା’ ଚାହେ ସମସ୍ତେ ସମାନ ଆଧାର ପାଇବେ ସମାନ ସୁଖ ଭୋଗ କରିବେ । କିନ୍ତୁ ମା’ ଜାତିର ପେଟପୁରା ଭୋଜନ, ମନଇଚ୍ଛା ବିଶ୍ରାମ ହେଲେ ତ ତା’ର ଦିହ ରହିବ ? ସେଥିପାଇଁ ଶ୍ରମିକ ଶୂଦ୍ର ମାଛିମାନେ ରାଣୀ ମା’ କତିରେ ଥାନ୍ତି, ତା ପାଖ ପାଖ ଉଡ଼ନ୍ତି ତାର ଅଭାବ ଅସୁବିଧା ବୁଝନ୍ତି ।

 

ଛୁଆଙ୍କୁ ମହୁକେଶର ଓ ମାଛିମାନଙ୍କୁ ମହୁ ଯୋଗାଇ ଶ୍ରମିକ ଶୂଦ୍ର ମାଛିମାନେ ରାଣୀ ମାଛିର ଆଜୀବନ ସେବା ଶୁଶ୍ରୁଷା କରି ଯେଉଁ ସୃଷ୍ଟିପରଂପରା ରଖି ଆସିଛନ୍ତି ତାହା ଅତୀବ ବିଚିତ୍ର-

Image

 

ଘରକାମ ବାହାର କାମ

 

ମହଣ ଦେଇ ମହୁ ଫଣା ତିଆରି କରିବା, ଅଣ୍ତାଠାରୁ ଛୁଆ ହେବା ପର୍ଯ୍ୟନ୍ତ ମାଛିମାନଙ୍କର ସର୍ବବିଧି ଯତ୍ନ ନେବା, ସେମାନଙ୍କୁ ଖାଦ୍ୟସାର ଯୋଗାଇବା, ମହୁତାଟକୁ ଦିହର ଉତ୍ତାପ ଦେଇ ଗରମ ରଖିବା, ମହୁଫଣା ଖରାରେ ଗରମ ହୋଇଗଲେ ତାକୁ ପରରେ ବିଞ୍ଚି ଶୀତଳ କରିବା, ଆପଣାର ମିତ୍ରଦଳ ମାଛିଙ୍କ ଭିତରେ ଅନ୍ୟ ଫଣାର ଶତ୍ରୁ କିମ୍ଵା ଛଦ୍ମଦୂତ ଉଡ଼ି ଆସୁଛି କି ନା ତାର ସନ୍ଧାନ ନେବା, ମହୁଭଣ୍ତାର ଉପରେ ନିରନ୍ତର ଆଖି ରଖିବା, ମହୁର ଜଳୀୟ ଅଂଶ ନିଷ୍କାସନ କରି ତାର ପକ୍ୱ ନିର୍ଯ୍ୟାସ ବାହାର କରି ଥୋଇବା, ସାର ମହୁଭଣ୍ତାରମାନଙ୍କ ମୁହଁ ମହଣ ଦେଇ ବନ୍ଦ କରିବା, ମହୁ ଫଣାକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ରାଣୀ ମା’ର ରକ୍ଷଣାବେକ୍ଷଣ ଭାର ବହନ କରିବା ଆଦି ସକଳ କାମ ଶ୍ରମିକ ଶୂଦ୍ର ମାଛି ମାନେହିଁ ସଂପାଦନ କରନ୍ତି । ଆଉ ସେମାନଙ୍କ ସେହି ସବୁ କାମ ମହୁଫଣା ଭିତରେ ସମାହିତ ହୁଏ । ଫଣା ଭିତରର ଏତିକି କାମରେ ଶ୍ରମିକ ମାଛିମାନଙ୍କର କାର୍ଯ୍ୟ ପର୍ଯ୍ୟବସିତ ନୁହେ, ଏତିକିରେ ସେମାନଙ୍କର କାମ ଶେଷ ନୁହ । ଏ ସବୁ କାମ ତ ଘରର କାମ ।

 

ଘରକାମ ଛଡ଼ା ବାହାରର କାମ ସେମାନଙ୍କର ଅନେକ । ନିକଟବର୍ତ୍ତୀ ପରିସର ଭିତରେ ଅନ୍ୟ ମହୁଘରାମାନ ଅଛି କି ନା, ସେହି ମହୁଘରାମାନଙ୍କରୁ ମହୁମାଛିମାନେ ଛଦ୍ମବେଶରେ ମିତ୍ର ସାଜି ଆପଣା ଘରା ଆଡ଼କୁ ଉଡ଼ି ଆସୁଚନ୍ତି କି ନା ଆପଣା ଦଳର ନିର୍ଦ୍ଦିଷ୍ଟ ଉଦ୍ୟାନ ବା ଶସ୍ୟ କେଦାରରୁ ଅନ୍ୟ ଫଣାର ମାଛିମାନେ ଆସି ପୁଷ୍ପମଧୁ ସଂଗ୍ରହ କରୁଛନ୍ତି କି ନା ତାହାର ଖବର ରଖିବାକୁ ଶ୍ରମିକ ମାଛିମାନେ ବରାବର ପବନ ବେଗରେ ଉଡ଼ି ଘେର ଦେଇଥାନ୍ତି, ପଇନ୍ତରା ମାରୁଥାନ୍ତି । ଦୂର ଦୂରାନ୍ତରୁ ପୁଷ୍ପରେଣୁ ଚୟନ କରି ଆଣିବା କାର୍ଯ୍ୟ ସେମାନଙ୍କର ବାହାର କାମ । ସେହି କାମ ମୁଖ୍ୟକାମ । ପୁଷ୍ପରେଣୁ ଯଥା ସମୟରେ ସଂଗୃହୀତ ନ ହୋଇ ପାରିଲେ ବର୍ଷ ଯାକର ମହୁଭଣ୍ତାର ପୂରା ସାଇତି ହୋଇ ପାରିବ ନାହିଁ । ସେଥିପାଇଁ ସେମାନଙ୍କୁ ନିରନ୍ତର ଉଡ଼ି ବୁଲିବାକୁ ହୁଏ ।

 

ସେହି ମଧୁଚୟନ କାର୍ଯ୍ୟରେ ଶ୍ରମିକ ସଂପ୍ରଦାୟ ପାଳି କରନ୍ତି । ଆଜି ଦଳେ ମହୁସଂଗ୍ରହ ପାଇଁ ଗଲେ ତ, କାଲି ଅନ୍ୟ ଦଳ ବାହାରିଲେ । ତା ପର ଦିନ ଅପର ଦଳ ବାହାରିଲେ । କିନ୍ତୁ ଦଳ ଦଳ ମଧ୍ୟରେ ଦଳଗତ ଭେଦ ନଥାଏ । ସାମ୍ପ୍ରଦାୟିକ ମନୋଭାବ ସେମାନଙ୍କର ଜମା ନଥାଏ । ଦଳ ନିର୍ବିଶେଷରେ ସେମାନେ ପାଳି କରି ମହୁ ସଂଗ୍ରହ କରନ୍ତି । ସନ୍ଧ୍ୟା ପୂର୍ବରୁ ସମସ୍ତ ଶ୍ରମିକ ଦଳକୁ ବସାକୁ ଫେରିବାକୁ ହୋଇଥାଏ । ହଠାତ୍ ଝଡ଼ ତୋଫାନ ହେଲେ ଯେ ଯେତିକି ମହୁ ସଂଗ୍ରହ କରିଥାନ୍ତି ସେ ସେତିକିଟି ଧରି ପବନ ବେଗରେ ବସାକୁ ଉଡ଼ି ଆସନ୍ତି । ଘର ସେମାନଙ୍କର କୋଠ ଘର । ସମ୍ପତ୍ତି ସେମାନଙ୍କର କୋଠ ସମ୍ପତ୍ତି । ଘର ଓ ସମ୍ପତ୍ତି ରକ୍ଷା ପାଇଁ ସେମାନେ ପ୍ରାଣ ଆକୁଳରେ ଉଡ଼ି ଆସନ୍ତି, ଯେତେବେଳେ ବିପଦ ଘନେଇ ଆସେ ସମସ୍ତେ ରୁଣ୍ତ ହୋଇ ମହୁଫଣାକୁ ଆବୋରି ଧରନ୍ତି ଏବଂ ଯେଉଁ ଗଛରେ ଫଣା ଝୁଲୁଥାଏ ସେ ଗଛରେ ଦୁଇଟା ଗୋଡ଼ ଏବଂ ଫଣାରେ ଦୁଇ ଗୋଡ଼ ଦେଇ ହଜାର ହଜାର ମାଛି ଭିଡ଼ି ଧରନ୍ତି । ବତାସରେ ଗଛ ପଛେ ଟଳି ପଡ଼େ ମହୁ ଫଣା ଥାଏ ଅକ୍ଷୁର୍ଣ୍ଣ । ସେପରି ଆପତ୍ତି ପଡ଼ିଲେ ମହୁଫଣାରୁ ସମସ୍ତ ମହୁମାଛି ପେଟପୂରା ଶୋଷଣ କରି ନିଅନ୍ତି ଏବଂ ଖାଲି ତାଟଟାକୁ ଛାଡ଼ିଦେଇ ଅନ୍ୟ ନିରାପଦ ଜାଗାରେ ଘରା ବାନ୍ଧନ୍ତି ।

 

ବାହାର କାମ କରୁ କରୁ ଅର୍ଥାତ୍ ବନଭୂମିରେ, ଉଦ୍ୟାନରେ କେଦାରରେ ପୁଷ୍ପ ରେଣୁ ସଂଗ୍ରହ କରୁ କରୁ ଥରେ ଥରେ ଶତ୍ରୁ ଦଳ ପହଞ୍ଚି ଯାନ୍ତି । ଅନ୍ୟ କୌଣସି ଫଣାର ମାଛି ନିକଟରେ ମଧୁ ସଂଗ୍ରହର କ୍ଷେତ୍ର ନ ପାଇ ଅପର ଫଣାର ମାଛିମାନଙ୍କ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ଚାଲି ଆସିଛନ୍ତି । ଏପରି ସ୍ଥଳେ ଉଭୟଙ୍କ ମଧ୍ୟରେ ସଂଗ୍ରାମ ଉପୁଜି ଯାଏ । ସଂଘର୍ଷ ବେଳେ ପୁଷ୍ପରେଣୁ ଗୁଡ଼ିକ ଦଳେ ସମସ୍ତଙ୍କ ମୁହଁରୁ ତୁରନ୍ତ ସଂଗ୍ରହ କରି ଉଡ଼ି ଆସନ୍ତି ବସାକୁ । ଅନ୍ୟ ଦଳ ଶତ୍ରୁମାନଙ୍କ ସହିତ ଯୁଝୁଥିଲା ବେଳେ ସେମାନେ ଶୀଘ୍ର ଉଡ଼ିଯାଇ ଯଥା ସ୍ଥାନରେ ମହୁ ରଖି ବଛା ବଛା ଯୋଦ୍ଧାମାନଙ୍କୁ ସଙ୍ଗରେ ନେଇ ଚାଲି ଆସନ୍ତି ଭୀଷଣ ରଣଭୂମିକି । ସଂଗ୍ରାମ ହୁଏ । ଉଭୟ ପକ୍ଷରୁ ଅନେକ ବିଷାକ୍ତ ଦଂଶନରେ ଟଳି ପଡ଼ନ୍ତି । ନିଜ ପକ୍ଷର ମାଛିମାନେ ଘରକୁ ଫେରିବାର ଡେରି ହେଲେ ଅନ୍ୟ ଏକ ଦଳ ସେମାନଙ୍କୁ ଖୋଜି ବାହାରନ୍ତି । ସମସ୍ତେ ଘରକୁ ଫେରିଲେ ଭୋଜନ ଆରମ୍ଭ ହୁଏ-। ସବୁ ମାଛି ଏକାଠି ଜମା ନହେବା ଯାଏଁ ରାଣୀମା’କୁ ମହୁ ରୁଚେ ନାହିଁ ।

Image

 

ବିପ୍ଳବ ଦୀକ୍ଷା

 

ଅନେକ ସମୟରେ ବୟସାଧିକ ମାଛିମାନଙ୍କୁ ମହୁ ସଂଗ୍ରହ କାର୍ଯ୍ୟରେ ନିଯୁକ୍ତ କରାଯାଏ । ପ୍ରକୃତିଗତ ବଂଶପରଂପରା ଯୋଗୁଁ ଅଥବା ରାଣୀମା’ର ସାଙ୍କେତିକ ନିର୍ଦ୍ଦେଶ ଯୋଗୁଁ ଅନୁଭୂତିସଂପନ୍ନ ବୟୋଜ୍ୟେଷ୍ଠ ମାଛିମାନେ ମଧୁଚୟନରେ ପଦାକୁ ଉଡ଼ିଯାନ୍ତି । ବଳିଷ୍ଠ ଯୁବକ ମାଛିମାନେ ମହୁଫଣା ରକ୍ଷାଣାବେକ୍ଷଣରେ ମହୁତାଟ ନିର୍ମାଣରେ, ରାଣୀମା’ର ସେବାରେ କିମ୍ଵା ତାର ଅନ୍ୟ ଆଜ୍ଞା ପାଳନରେ ନିଜ ନିଜକୁ ନିୟୋଜିତ କରନ୍ତି । ନବଯୁବକ ମାଛିମାନେ ମହୁ ଫଣାରେ ରହି ଯାବତ ଘରକାମ ଶିଖି ଯାନ୍ତି । ଅବସର ବେଳେ ସେମାନଙ୍କ ମଧ୍ୟରୁ କେତେକ ନବଯୁବକ ରାଣୀମା’ର ଇଙ୍ଗିତରେ ଅନୁଭବୀ ବୟସ୍କ ମାଛିମାନଙ୍କ ସାହାସ ସହିତ କୁସୁମପରାଗ ଚୟନ ନିମନ୍ତେ ଉନ୍ମୁକ୍ତ ସଂସାରକୁ ଉଡ଼ି ବାହାରନ୍ତି । ଦଳକୁ ଦଳ ଯୁବକ ସେପରି ମଧୁଚୟନ ଅନୁଭୂତି ଅର୍ଜନ କରନ୍ତି । ଶତ୍ରୁଙ୍କ ସହିତ ଲଢ଼ିବା, ବିପଷ ବଳର ମାଛିଙ୍କ ମୁହଁରୁ ମଧୁଚୟନ କରି ବର୍ତ୍ତି ଆସିବା, ଆପଣା ମହୁତାଟର ନିର୍ଦ୍ଦିଷ୍ଟ କ୍ଷେତ୍ର ବା କେଦାରମାନଙ୍କୁ ଚିହ୍ନିବା ଆଦି ବାହ୍ୟ ଜଗତର କାର୍ଯ୍ୟାନୁଭୂତି ବେଳସୁଁ ଦଳ ଦଳ ଯୁବକ ମାଛିଙ୍କୁ ଅର୍ଜନ କରିବାକୁ ହୁଏ । ଅସମୟରେ ବିପଦ ଆପଦ ବେଳେ ନବ ଯୁବକମାନଙ୍କର ସାହାର୍ଯ୍ୟ ସାହଚର୍ଯ୍ୟ ବଡ଼ ଦରକାର ହୁଏ ।

 

ଯେଉଁ ଶ୍ରେଣୀର ମାଛି ସନ୍ତତ ମଧୁ ସଂଗ୍ରହରେ ବ୍ୟସ୍ତ ସେମାନେ ଏକାଧାରରେ ଶ୍ରମିକ ଓ ଯୋଦ୍ଧା । ତାର ମଧୁସଂଗ୍ରହରେ ଯେପରି ଅଭ୍ୟାସ, ଉଡ଼ିବାରେ ଯେପରି ଚଞ୍ଚଳତା, ଲଢ଼ିବାରେ ସେପରି ପାରଗତା । ସେ ଜାତିର ମାଛି କୃଷକ ପଦାତିକ ଉଭୟ । ମହୁଚାଷରେ ସେହି ଶ୍ରେଣୀର ମାଛିମାନେ ଦିବାନିଶି ମାତନ୍ତି ଯେପରି, ଶତ୍ରୁ ମୁହଁରୁ ସଂଗୃହୀତ ମହୁକୁ, ମଧୁକେଦାରକୁ ତଥା ମହୁଫଣାକୁ ଉଦ୍ଧାର କରନ୍ତି ସେପରି । ସେମାନେ ହେଉଛନ୍ତି ଲଢ଼ୁଆ କୃଷକ । ଶାନ୍ତି ବେଳେ କୃଷି ଏବଂ ଯୁଦ୍ଧ ବେଳେ ସଂଗ୍ରାମ ହେଲା ମଧୁସଂଗ୍ରାହକ ମକ୍ଷିକାର ବୃତ୍ତି ଓ କର୍ତ୍ତବ୍ୟ ।

ସେଥିପାଇଁ ସେହି ଶ୍ରମଶୀଳ କୃଷକ ଯୋଦ୍ଧା ମାଛିମାନେ ଆମ ଦେଶର ଚଷା-ପାଇକମାନଙ୍କ ପରି ଗତିଶୀଳ, ସୁସ୍ଥକାୟ, କ୍ଷୀଣତନୁ । ଯେଉଁ ମାଛିମାନେ କେବଳ ମହୁତାଟରେ ବସି ରହନ୍ତି ଏବଂ କୌଣସି ଦେହସରା କାମ କରିବାକୁ କୁଣ୍ଠାବୋଧ କରନ୍ତି ସେମାନେ ଆମ ସମାଜର କୁମୁଟିଆ, ମାରବାଡ଼ିଆ, ବସିଖିଆ, ମହାଜନିଆଙ୍କ ପରି । କିନ୍ତୁ ଶେଷୋକ୍ତ ଶ୍ରେଣୀର ଅଳସୁଆ କର୍ମକୁଣ୍ଠ ମାଛିଙ୍କର ମହୁମାଛି ସମାଜରେ ଦୀର୍ଘକାଳ ସ୍ଥାନ ନଥାଏ, ନଥାଏ ମଧ୍ୟ ସେମାନଙ୍କର ପରମାୟୁ ।

ନବଯୁବକ ମାଛିମାନେ, ଆଳସ୍ୟ ପରାୟଣ ବସିଖିଆ ମାଛିଙ୍କ ମୋଟା ଦେହ, ବେଶି ଆହାର ଦେଖି ସେହି ପାରନ୍ତି ନାହିଁ । ବିପ୍ଳବ ଆରମ୍ଭ ହୁଏ ନବଯୁବକ ସମାଜରେ । ଶ୍ରମିକ-ଯୋଦ୍ଧା ମାଛିଏ ଯୁବକଙ୍କ ବିପ୍ଳବରେ ଯୋଗ ଦିଅନ୍ତି । ବିପ୍ଳବୀ ମାଛିମାନେ କୁମୁଟିଆ ବସିଖିଆ ମାଛିଙ୍କୁ ଦିନେ ମାରି ମାରି ଖତମ କରିଦିଅନ୍ତି । ରାଣୀ ମା’ ସହିତ ଭାବ ରଖି ବସିଖିଆ ମହାଜନିଆ ମାଛି ଯେତେବେଳେ ମଧୁଭଣ୍ତାରକୁ ହାତ ବଢ଼ାନ୍ତି, ଅମିତ ଆହାରରେ ଗଣ୍ତିକି ମୋଟାକରନ୍ତି ସେତେବେଳେ ବିପ୍ଳବୀ ଦଳ ରାଣୀ ଫାଣୀ କାହାକୁ ନ ମାନି ବସିଖିଆଙ୍କୁ ଦଂଶନ କରନ୍ତି । ମାଛି ସମାଜରେ ବିପ୍ଳବୀ ଦଳ କାହାରିକୁ ପୁଞ୍ଜିପତି ହେବାକୁ ଦିଅନ୍ତି ନାହିଁ ।

ଗାନ୍ଧୀଙ୍କ “କୁଟିଖାଅ, କାଟି ପିନ୍ଧ” ନୀତି ଉପରେ ମହୁଫଣା ଗଢ଼ିହୁଏ । ବିନୋବା ବାଭେଙ୍କ “ଖଟିଖାଅ ବାଣ୍ଟିଖାଅ, ସମାନପାଅ ସମାନ ଖାଅ” ନୀତି ଦ୍ଵାରା ସମସ୍ତ ମଧୁମକ୍ଷିକା ସମାଜ ପରିଚାଳିତ ।

 

ସେହି ନୀତି ବେଳୁସୁଁ ନବ ଯୁବକମାନଙ୍କୁ ଶିକ୍ଷା ଦିଆ ଯାଏ । ମହୁତାଟରେ ଗୁରୁ କୁଳାଶ୍ରମ ଅଛି । ଗୁରୁ ଶିଷ୍ୟ ଏକତ୍ର ଆହାର କରି ଏକତ୍ର ବାସ କରନ୍ତି । ଗୁରୁମନ୍ତ୍ରରେ ଦୀକ୍ଷିତ ହୋଇ ନବ ଯୁବକ ଦଳ ଗୁରୁ ପଦରେ ଆତ୍ମସମର୍ପଣ କରନ୍ତି । ନବଯୁବକ ମାଛିମାନେ ନବଦୀକ୍ଷାରେ ଦୀକ୍ଷିତ ହୋଇ ରହିଲେ ଘର ସଜେଇବାରେ ଲାଗନ୍ତି । ଘରକୁ ଆପଣାର କୁଟୁମ୍ଵ ଜ୍ଞାନ କରନ୍ତି, ଗୃହ ସେବାରେ ଧାଈଙ୍କ ଭଳି ଖଟନ୍ତି ଏବଂ ଘରକୁ ଆଦରିବାର ଶିଖନ୍ତି ସ୍ନେହ ସୌହାର୍ଦ୍ଦ୍ୟ ଶ୍ରଦ୍ଧା ଭକ୍ତି, ଅନୁରାଗ ଉଦାରତା, ନୀତି ନିୟମ କର୍ତ୍ତବ୍ୟ ସବୁ ଆଗେ ଘରେ ଶିଖିବାକୁ ହୁଏ ।

 

ଫଣାର ମହୁ ବସିଖିଆମାନେ ନିଃଶେଷ କରି ଆସିବାର ଦେଖିଲେ, ଶ୍ରମିକ ମାଛିମାନେ ବିପ୍ଳବୀଗୁରୁଙ୍କ ମହାମନ୍ତ୍ରରେ ଦୀକ୍ଷିତ ହୋଇ ଏକ ମୁହୂର୍ତ୍ତରେ ସ୍ଳୋଗାନ୍ (ଡାକ) ଦିଅନ୍ତି ମିଳିତ କଣ୍ଠରେ “ଦୋକାନ୍ ଛୋଡ଼୍ ମକାନ୍ ଛୋଡ଼୍” । ରାତି ପାହିଲେ କଣ ଖାଇବେ, ଏ ଚିନ୍ତା ଯେଉଁ ଶ୍ରମିକ-କୃଷକ-ସଂଗ୍ରାହକ ମାଛିଙ୍କୁ ଘାରି ପକାଏ ସେହି ମାଛିଏ ଫ୍ରାନ୍‍ସର କିମ୍ଵା ଋଷିଆର ବିପ୍ଳବୀଙ୍କ ପରି ହଠାତ୍ ଏକ ନିମିଷକେ ସାମନ୍ତ ଶାସନର ପୁଞ୍ଜିବାଦ ଧ୍ଵଂସ କରି ଦିଅନ୍ତି ଏବଂ ସାମନ୍ତ କୁଳ ବୁଡ଼ାଇ ଦିଅନ୍ତି ।

Image

 

ପରମାୟୁ

 

ରାଣୀ ମା’ ତିନି ବର୍ଷ ବଞ୍ଚେ । ବଞ୍ଚେ ସିନା ତିନି ବର୍ଷ କିନ୍ତୁ ଅଣ୍ତା ଦିଏ ପ୍ରାୟ ଦେଢ଼ ବର୍ଷ ବା ଦୁଇ ବର୍ଷ । ତାର ଅଙ୍ଗର ବଳ କମି ଆସିଲେ ସେ ସମ୍ଭୋଗ ଛାଡ଼ି ଦିଏ । ବିନା ଦ୍ଵେଷ ବିନା ଅସୂୟାରେ ସେ ଅନ୍ୟ ବଳିଷ୍ଠ ମାଈ ମାଛିକି ସଂସାର ଧର୍ମ ରକ୍ଷା କରିବାକୁ, ପଂରପରା ପାଳନ କରିବାକୁ ତାଲିମ କରେ । ଭାବୀ ରାଣୀ ମା’ ରାଣୀ ମା’ର ପାଖେ ପାଖେ ଥାଏ । ସହବାସ ଠାରୁ ଡିମ୍ଵ ଦେବା ପର୍ଯ୍ୟନ୍ତ ଭାବୀ ରାଣୀ ମା’ ସବୁ ନିରୀକ୍ଷଣ କରେ ।

 

ରାଣୀ ମା’ର ସଂକେତରେ ସେପରି ପୌରୁଷ ବା ପୁରୁଷାର୍ଥ ଥିବା ପୁରୁଷ ମାଛିକୁ ବଛା ଯାଇ ଥାଏ । ସେ କେବଳ ସେତେବେଳେ ଭାବୀ ରାଣୀ ମାଛି ସହିତ ସହବାସ କରେ ଯେତେବେଳେ ରାଣୀ ମା’ ନିର୍ଦ୍ଦେଶ ଦିଏ । ଅନ୍ୟ ମାଈ ମାଛି ଯେଉଁ ଦିନ ରାଣୀ ମାଛି ଆସନ ଅଳଂକୃତ କରେ ସେହି ଦିନ ରାଣୀମା’ ଗର୍ଭ ଧାରଣରୁ ଅପସରି ଯାଏ । ବାନପ୍ରସ୍ଥ ଅବଲମ୍ଵନ କରି ସେ ସମାଜରେ ସମ୍ମାନ ପାଉଥାଏ । ଯଥା କାଳରେ ସେ ମରଣ ବରଣ କରି ମୁକ୍ତି ପାଏ ।

 

ମା’ ରାଣୀର ସଂକେତରେ ଯେଉଁ ଶ୍ରମଶୀଳ ମାଛିମାନେ ମହୁ ଫଣାରେ କାମ କରନ୍ତି ସେମାନଙ୍କୁ ଧାଈ ମାଛି କୁହାଯାଏ; କାରଣ ଧାଈଙ୍କ ଭଳି ସେମାନେ ଅଣ୍ତାମାନଙ୍କର ଯତ୍ନ ନିଅନ୍ତି ଏବଂ ଶିଶୁ ମାଛିମାନଙ୍କୁ ପାଳନ୍ତି, ପୋଷନ୍ତି ।

 

ମାଛିକି ଦୁଇ ସପ୍ତାହ ହୋଇଗଲେ ସେ ନିଜ ପରରେ ଉଡ଼େ, ନିଜ ଗୋଡ଼ରେ କାମ କରେ । ତା ମୁଣ୍ତରୁ ଏକ ପ୍ରକାର ରସ ନିର୍ଗତ ହୁଏ । ସେହି ରସ ହୁଏ ଅଣ୍ତାର ଖାଦ୍ୟ । ତିନି ଚାରି ସପ୍ତାହ ବୟସ ହୋଇଗଲେ କର୍ମଶୀଳ ମହୁମାନେ ମଧୁ ସଂଗ୍ରାହକ ଦଳରେ ଭୁକ୍ତ ହୋଇଯାନ୍ତି । ସଂଗ୍ରହ ହେଉଛି ସବୁଠୁଁ ବଡ଼ କାମ ଓ ବଡ଼ କଷ୍ଟସାଧ୍ୟ କାମ । ଘରେ ବସି ରାଣୀ ମା’ ଅଣ୍ତା ଦେବା ସହଜ, ଅଣ୍ତାମାନଙ୍କ ମୁହଁରେ ଆହାର ଦେବା ସହଜ, ଘର ସଜାଡ଼ିବା ସହଜ, କିନ୍ତୁ ଶତ୍ରୁଙ୍କ ସହିତ ଲଢ଼ି ପ୍ରାଣ ମୂରୁଛି ନାନାଆଡ଼ୁ ମଧୁରେଣୁ ସଂଗ୍ରହ କରି ଆଣିବା ସହଜ ନୁହେ । ତେଣୁ ସେହି କାମ ପାଇଁ ଦୁଇ ସପ୍ତାହ ବୟସର ମାଛିଙ୍କୁ ତାଲିମ କରାଯାଏ ।

 

ଏପରି ସମୟ ମଧ୍ୟ ଆସେ ଯେତେବେଳେ ଦୁଇ ସପ୍ତାହରୁ ଉଣା ବୟସର ମାଛିଙ୍କୁ ମଧ୍ୟ ଘରକରଣା ଓ ମଧୁ ସଂଗ୍ରହ ଉତ୍ତୟ କାର୍ଯ୍ୟରେ ତାଲିମ କରାଯାଏ । ବଡ଼ ଆଶ୍ଚର୍ଯ୍ୟ, ନିଜର ଗୋଷ୍ଠୀ ପାଇଁ, ଦଳ ପାଇଁ ଦୁଇ ସପ୍ତାହ ବୟସରୁ ଖଟି ଖଟି ଶ୍ରମଶୀଳ ମାଛିମାନେ ଛ’ ସପ୍ତାହ ବୟସରେ ପ୍ରାଣତ୍ୟାଗ କରନ୍ତି । ଅତି ବେଶୀ ହେଲେ କୌଣସି କୌଣସି ଶ୍ରମିକ ମାଛି ତିନି ମାସ ଯାଏଁ ବଞ୍ଚନ୍ତି-। ଶୀତ ଦେଶ ଅପେକ୍ଷା ଗରମ ଦେଶରେ ମହୁମାଛିମାନେ ଅଳ୍ପ କାଳ ଜୀବନ ଧାରଣ କରନ୍ତି-। ଶୀତ ଦେଶରେ ବଡ଼ ଶୀତ ବେଳେ କର୍ମଶୀଳ ମାଛିମାନେ ଘରାରୁ ପଦାକୁ ବାହାରି ପାରନ୍ତି ନାହିଁ-। ଅଣ୍ତାମାନେ କାଳେ ଅତି ଶୀତରେ ମରିଯିବେ ବୋଲି ଦେହର ଉତ୍ତାପ ଦେଇ ସେମାନେ ଅଣ୍ତାଙ୍କୁ ଆବୋରି ବସି ରହନ୍ତି ।

 

ଶୀତ ଦେଶର ଶ୍ରମିକ ମହୁମାଛିମାନଙ୍କର ଆୟୁଷ ମଧ୍ୟ ତିନି ମାସ । ତିନି ମାସର ପରମାୟୁ ନେଇ ସଂସାରକୁ ଆସି ମହୁମାଛି ଏତେ ପରିଶ୍ରମ କରେ ? ସେମାନଙ୍କ ସ୍ଥାନ ପୂରଣ ପାଇଁ ବଂଶପରଂପରା ରକ୍ଷା କରିବା ପାଇଁ ମା’ରାଣୀ ଅଣ୍ତା ଦେବାରେ ନିୟତ ରତ ଥାଏ । ଶ୍ରମଶୀଳ ମାଛିମାନଙ୍କର ପରମାୟୁ ଅଳ୍ପ ଥିବାର ଜାଣି ମା’ରାଣୀ ଅଧିକରୁ ଅଧିକ ଅଣ୍ତାଦିଏ । ମା’ରାଣୀ ତିନି ବର୍ଷ ବଂଚି ରହେ । କିନ୍ତୁ ତା ଗର୍ଭର ଛୁଆମାନେ ତିନି ସପ୍ତାହରେ ଯୌବନ ପ୍ରାପ୍ତ ହୋଇ ଛ’ ସପ୍ତାହରେ ଇହଧାମ ତ୍ୟାଗ କରନ୍ତି । କି ବିଚିତ୍ର ଓ ବିପୁଳ ଜୀବନ ଦାନ ।

 

ମଧୁମକ୍ଷିକାମାନଙ୍କ ତ୍ୟାଗରୁ ହିଁ ମଧୁର ଉତ୍ପତ୍ତି । ମଧୁସୃଷ୍ଟି ମୂଳରେ ଅଛି ଅକୁଣ୍ଠିତ ଶ୍ରମ-। ମଧୁ ସଂଚୟ ସଂରକ୍ଷଣରେ ଅଛି ମକ୍ଷିକାମାନଙ୍କ ସାମୂହିକ ସହଯୋଗ, ପରସ୍ପର ଅନୁରାଗ ଓ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟରେ ନିଷ୍ଠା । ଦିନେ ଆମ ଆର୍ଯ୍ୟ ଭାରତରେ ଏକାନ୍ନବର୍ତ୍ତୀ ପରିବାର ତଥା ଗୁରୁ କୁଳାଶ୍ରମ ମଧୁମକ୍ଷିକା ଆଦର୍ଶରେ ଅନୁପ୍ରାଣିତ ଥିଲା ।

Image

 

ଅଳସୁଆ ଅକର୍ମ ଶୀଳ

 

ଏ ପର୍ଯ୍ୟନ୍ତ ମା’ ରାଣୀ ଓ ଶ୍ରମିକ ବା ଶ୍ରମଶୀଳ ମାଛିମାନଙ୍କ ବିଷୟରେ କୁହାଗଲା । ବର୍ତ୍ତମାନ ଆସନ୍ତୁ ଅଳସୁଆ ଅକର୍ମ ଶୀଳ ମାଛି ବିଷୟରେ ଆଲୋଚନା କରିବା । ଆଗରୁ କୁହାଯାଇଛି ଅଳସୁଆ ବସିଖିଆ ପରାଙ୍ଗପୁଷ୍ଟ, ପର ଅର୍ଜନ ଖିଆ ହେବା ଯୋଗୁଁ ସେମାନଙ୍କୁ ଅକର୍ମା କିମ୍ଵା ଅକର୍ମ ଶୀଳ ମାଛି କୁହାଯାଏ ।

 

ଜନ୍ମରୁ ଏ ମାଛିମାନେ ଅକର୍ମଶୀଳ ହେବାର ଜଣା ଯାଇ ଥାଏ । ଡିମ୍ଵ ଅବସ୍ଥାରୁ ସେମାନଙ୍କର ସ୍ଥାନ ନିରୂପଣ କରା ହୋଇଥାଏ । ଯେଉଁ ପୁରୁଷ ମାଛିର ବୀରତ୍ଵ ନଥାଏ ସେ ମାଛିର ଅଣ୍ତା ଦିହରେ ସହଜରେ ଚିହ୍ନା ପଡ଼ିଯାଏ । ମା’ରାଣି ଜାଣି ଜାଣି ସେମାନଙ୍କ ଅଣ୍ତାକୁ ପୃଥକ ଘରା ବା ଗମ୍ଭିରୀରେ ପାରି ଦିଏ । ସେମାନେ ଅକର୍ମ ଶୀଳ ହୋଇ ବଢ଼ିବେ ବୋଲି ମା’ ରାଣୀ ତାର ସ୍ଵଭାବ ସିଦ୍ଧ ବୁଦ୍ଧିରେ ଜାଣି ଯାଇ ଥାଏ । ଅନୁଭୂତିସମ୍ପନ୍ନ ବୟଃପ୍ରାପ୍ତ ଶ୍ରମିକ ମାଛିମାନେ ରାଣୀ ମାଛିର ଉଦ୍ଦେଶ୍ୟ ଓ ସୂଚନା ବୁଝି ଯାଇ ଥାନ୍ତି ।

 

ସେଥିପାଇଁ ଦୁଇ ପୃଥକ ଗମ୍ଭିରୀ ଗଢ଼ା ହୋଇ ଥାଏ । ସେ ଗମ୍ଭିରୀକି ମାଛିଙ୍କ ଏନ୍ତୁଡ଼ିଶାଳ କହିଲେ ଚଳିବ । ଅକର୍ମ ଶୀଳ ମାଛିମାନେ ଯେଉଁ ଅଣ୍ତାରୁ ବଢ଼ନ୍ତି ସେହି ଅଣ୍ତାଙ୍କ ପାଇଁ କୋଠରୀ ବା ଗମ୍ଭିରୀମାନ ନିର୍ଦ୍ଦିଷ୍ଟ ରଖା ହୋଇ ଥାଏ । ଅକର୍ମା ମାଛି ଯେଉଁ ଅଣ୍ତାରୁ ବାହାରନ୍ତି ସେହି ଡିମ୍ଵ ପାଇଁ ନିର୍ଦ୍ଦିଷ୍ଟ ବଖରା ଥାଏ କିଂଚିତ ଲମ୍ଵା । ସେହି ଲମ୍ଵା ଲମ୍ଵା ବଖରାମାନଙ୍କ ଭିତରେ ପଶି ରାଣୀ ମାଛି ଆଗେ ଉଣ୍ତି ଆସେ ଏବଂ ତାର ମୁହଁକୁ ଉଠି ତହିଁରେ ଅକର୍ମା ମାଛିର ଅଣ୍ତା ପାଡ଼ି ଦିଏ । ସେହି ଏକା ଗର୍ଭରୁ ରାଣୀ ମାଛି କର୍ମଶୀଳ ଅଣ୍ତା କିପରି ଏକ ନିର୍ଦ୍ଦିଷ୍ଟ କୋଠରୀରେ ଦିଏ ଏବଂ ଅକର୍ମ ଶୀଳ ମାଛିଙ୍କ ଅଣ୍ତା ଅନ୍ୟ ନିର୍ଦ୍ଦିଷ୍ଟ କୋଠରୀରେ ଦିଏ; ଆଉ ସାନ କୋଠରୀକୁ ଆସିଲା ବେଳେ ତା’ ଗର୍ଭରୁ କିପରି ଅକର୍ମା ମାଛିର ଅଣ୍ତା ଖସି ପଡ଼େ, ସେ ଏକ ବିଚିତ୍ର ବିଧାନ ।

 

ରାଣୀ ମାଛିର ନିବାସ ଯେପରି ମହୁଫଣା ଧାରରେ ମହଣ ଘେରା ପାଚେରୀ ଭିତରେ ତିଆରି ହୋଇ ଥାଏ, କର୍ମଶୀଳ ମାଛିମାନଙ୍କର ଗମ୍ଭିରୀମାନ ମଧ୍ୟ ସେହିପରି ମହଣ ପାଚେରୀ ଭିତରେ ତିଆରି ହୋଇ ଥାଏ । ଅକର୍ମା ମାଛିଙ୍କ ଗୃହ ଶ୍ରେଣୀ ମଧ୍ୟ ସେହି ମହଣ ପାଚେରୀ ଘେରା ଗମ୍ଭିରୀ । ସାଧାରଣତଃ ଅକର୍ମ ଶୀଳ ଯେଉଁ ଏନ୍ତୁଡ଼ୀଶାଳମାନଙ୍କରୁ ଉପୁଜନ୍ତି ସେହି ଏନ୍ତୁଡ଼ିଶାଳ କିମ୍ଵା ଗମ୍ଭିରୀ ମହୁତାଟ ତଳକୁ ଥାଏ ।

 

ଅକର୍ମା ମାଛି ମାତ୍ରେ ପୁରୁଷ ମାଛି । କେବଳ ଛୁଆ ଜନ୍ମ କରେଇବାର ପୁରୁଷତ୍ଵ ଥାଏ ସେମାନଙ୍କର; ବୀରତ୍ଵ ନଥାଏ; ମାଡ଼ ଖାଇ ମରନ୍ତି । ଦିନ ତିନିଟା ଭିତରେ ଅକର୍ମା ମାଛିମାନେ ଅଣ୍ତା ଭିତରୁ ବାହାରି ପଡ଼ନ୍ତି । ଧାଈ ମା’ମାନେ ସେହି ଅକର୍ମା ମାଛି ଛୁଆଙ୍କୁ ପ୍ରଥମ ତିନି ଦିନ ରାଜଭୋଗ ଖୁଆନ୍ତି । ତା’ପରେ ଲାଗେ ଲାଗେ ଧାଈମାନେ ସେମାନଙ୍କୁ ଘନ ମହୁ ଖୁଆନ୍ତି । ଧାଈ ମା’ମାନେ କେଜାଣି କାହିଁକି ଏହି ଅକର୍ମା ପୁଅ ମାଛିମାନଙ୍କୁ କର୍ମଶୀଳ ମାଛି ଛୁଆଙ୍କ ଅପେକ୍ଷା ଉତ୍କୃଷ୍ଟତର ଏବଂ ଅଧିକତର ବଳକାରକ ଦାନା ଖୁଆନ୍ତି ।

 

ଲମ୍ଵା କୋଠରୀରେ ଅଣ୍ତା ବେଳୁଁ ବଢ଼ିବା ଯୋଗୁଁ ଏବଂ ଅଧିକତର ପୁଷ୍ଟିକାରକ ଖାଦ୍ୟ ପାଇବା ଯୋଗୁଁ ଅକର୍ମଶୀଳ ପୁରୁଷ ମାଛି ଆକାରରେ ବଡ଼ ହୁଅନ୍ତି । ପୂରା ତେର ଦିନ ବିତିଗଲେ ଅକର୍ମା ମାଛିମାନେ ଅଣ୍ତକୋଷ ବା ଏନ୍ତୁଡ଼ୀଶାଳରୁ ବାହାରି ଆତ୍ମ ପ୍ରକାଶ କରନ୍ତି ।

 

ଧାଈ ମା’ ମାନେ ଏହି ଅକର୍ମା ମାଛିମାନଙ୍କୁ ବେଳସୁଁ କାହିଁକି ଅଧିକତର ପୁଷ୍ଟିକର ଖାଦ୍ୟ ଯୋଗାନ୍ତି ଏବଂ ସେମାନେ କର୍ମକୁଣ୍ଠ ହୋଇ ବସି ଖାଇବେ ବୋଲି ଜାଣି ଶୁଣି ସୁଦ୍ଧା ସେମାନଙ୍କର ଅଧିକତର ଯତ୍ନ ନିଅନ୍ତି, ତାର କାରଣ ସେମାନଙ୍କ ମଧ୍ୟରୁ ବଛା ବଛା ସୌଷ୍ଠବସମ୍ପନ୍ନ ସୁଗଠିତ ତନୁ ପୁରୁଷପୁଙ୍ଗବମାନେ ରାଣୀ ମା’ ସହିତ ସହବାସ କରନ୍ତି ।

 

ଧାଈ ମାଛିମାନଙ୍କର ଉଦ୍ଦେଶ୍ୟ ଆଂଶିକ ସଫଳ ହୁଏ । ବଛା ବଛା କେତୋଟି ପୁରୁଷ ମାଛି ତିଷ୍ଠି ରହନ୍ତି । ଭାବୀ ରାଣୀ ମା’ର ବିକାଶ ପର୍ଯ୍ୟନ୍ତ ତହିଁରୁ କେତୋଟି ପୁରୁଷ ରହନ୍ତି । ବାକିତକ ଶ୍ରମିକ, କୃଷକ, ମଧୁସଂଗ୍ରାହକ ମାଛିମାନଙ୍କ କବଳରେ ଅଚିରେ ପ୍ରାଣ ହରାନ୍ତି । ଭଣ୍ତାରରେ ମହୁ ଭର୍ତ୍ତି ହୋଇ ରହିବାଯାଏଁ ଏବଂ ବାହାରୁ ପ୍ରଚୁର ମଧୁ ଆସୁଥିବା ଯାଏଁ ପୁରୁଷ ଅକର୍ମା ମାଛି ମାଛି ଗୋଷ୍ଠୀର ସଭ୍ୟ ରୂପେ ସ୍ନେହ ସମ୍ମାନ ପାନ୍ତି । ମଧୁଚୟନ କମି ଗଲେ, ମଧୁ ଭଣ୍ତାରରେ ସମସ୍ତେ ଯେତେବେଳେ ମୁହଁ ମାଡ଼ନ୍ତି, ସେତେବେଳେ କର୍ମଶୀଳ ଶ୍ରମିକମାନେ ଅକର୍ମା ପରାଙ୍ଗପୁଷ୍ଟ ବସିଖିଆ ମହାଜନଙ୍କୁ ଦି ଆଖିରେ ଦେଖି ପାରନ୍ତି ନାହିଁ । ସେତେବେଳେ ଶ୍ରମିକ ଦଳ ଏକଜୁଟ ହୋଇ ଅକର୍ମା କୁମୁଟିଆମାନଙ୍କ ପକ୍ଷୀ ଉପୁଡ଼େଇ ତଳେ ପକାଇ ସେମାନଙ୍କୁ ଯଦୁବଂଶ କୃଷ୍ଣ ଧ୍ଵଂସ କଲା ଭଳି ଧ୍ଵଂସ କରି ପକାନ୍ତି ।

Image

 

ରାଣୀ ମାଛିର ସମ୍ଭୋଗ

 

ଅକର୍ମା ଗୁଡ଼ାକ ଅଣ୍ତିରା ମାଛି । ସେମାନଙ୍କର ସଂଖ୍ୟା ବୃଦ୍ଧିକି ମହୁମାଛି ଦି’ ଆଖିରେ ଦେଖି ପାରନ୍ତି ନାହିଁ । ବସିଖିଆଙ୍କୁ କିଏ ପସନ୍ଦ କରେ ? ରାଣୀ ମାଛି କିନ୍ତୁ ସେହି ଅକର୍ମା ପୁରୁଷ ମାଛିଙ୍କ ମଧ୍ୟରୁ ଗୋଟିଏ ଦିଓଟିକୁ ଭଲପାଏ । ସେହି ପୁରୁଷ ମାଛିକି ରୂପ ଗୁଣ ଦେଇ ବେଳୁସୁଁ ଗଢ଼ା ହୋଇଥାଏ । ଧାଈ ମାଛିମାନେ ସେହି ପୁରୁଷ ମାଛିଙ୍କୁ ଛୁଆ ବେଳରୁ ଯତ୍ନ ନେଇ ପାଳନ୍ତି ଏବଂ ସଂସାର ରକ୍ଷା ନିମନ୍ତେ ସେମାନଙ୍କୁ ଭଲଖୁଆଇ ଭଲ ବାସ ଦେଇ ସୁଖରେ ସୁବିଧାରେ ରଖେଇ ଥାନ୍ତି ।

 

ଧାଈ ମାଛିମାନେ ସୁପୁରୁଷ ସୌଷ୍ଠବସଂପନ୍ନ ପୁରୁଷ ମାଛି ମାନଙ୍କୁ ସ୍ଵୟଂବର ସଭାରେ ସମବେତ କରାନ୍ତି । ଏ ସ୍ଵୟଂବର ସଭା ବସେ ଏକ ନିର୍ଦ୍ଦିଷ୍ଟ ଦିନ ଦି’ ପହର ବେଳେ । ରାଣୀ ମାଛିର ଯେଉଁ ପୁରୁଷ ପୁଙ୍ଗବ ମାଛିଟି ବିଶେଷ ଭାବେ ଯୌନ ଆକର୍ଷଣ କରେ ରାଣୀମାଛି ସେହି ମାଛିଟିକି ସଂକେତ ଦିଏ । ରାଣୀମାଛି ଏବଂ ନିର୍ବାଚିତ ପୁରୁଷ ମାଛି ମହୁଫଣା ଛାଡ଼ି ଦୂର ବନଭୂମିକି ଉଡ଼ି ଯାନ୍ତି । ଫଣାର ଅନ୍ୟ ମାଛିମାନେ ଯେ ଯାହାର କାମରେ ଲାଗିଯାନ୍ତି । ଅନ୍ୟ ପୁରୁଷ ମାଛିମାନେ ମୁହଁକୁ ମୁହଁ ଚୁହାଁଚୁହିଁ ହୋଇ ନିଜ ନିଜର ଘର ମାନଙ୍କରେ ଥକି ଯାନ୍ତି । ମନର ଅସୁୟା ମନରେ ମାରି ଅନ୍ୟ ପୁରୁଷ ମାଛିମାନେ ରହିଯାନ୍ତି । କେହି ଆଉ ରାଣୀ ମାଛି ଓ ରାଣୀ ମନୋନୀତ ପୁରୁଷ ମାଛି ପଛରେ ଯାଏନାହିଁ । ସୀତା ସେହି ଗୋଟିଏ ରାମକୁ ସଙ୍ଗରେ ନେଇ ଉଦ୍ୟାନ ବିହାର କରିବାକୁ ଉଡ଼ିଯାଏ । ପରଶୁରାମ ତାର ବାଟ ଓଗାଳେ ନାହିଁ । ଦ୍ରୌପଦୀ ଗୋଟିଏ ମାତ୍ର ଅର୍ଜୁନକୁ ବାଛିନିଏ ଏବଂ ତାକୁ ଧରି ଉଆସ ଛାଡ଼ି ବଣକୁ ପଳାଏ । ଯୁଧିଷ୍ଠିର ଭୀମ, ନକୁଳ, ସହଦେବ କେହି ହେଲେ ଦ୍ରୌପଦୀ-ଅର୍ଜୁନ ପଛରେ ଗୋଡ଼ାନ୍ତି ନାହିଁ । ଗାଈ ପଛରେ ଏକାଧିକ ଷଣ୍ଢ ଗୋଡ଼େଇବାର ଦେଖାଯାଏ । କିନ୍ତୁ ରାଣୀ ମାଛି ସହିତ ସେହି ଗୋଟିଏ ମାତ୍ର ପୁରୁଷ ମାଛି ଉଡ଼ିଯାଏ-ସେହି ଗୋଟିକ ପୁରୁଷ ମାଛି ଯାହାକୁକି ରାଣୀ ନିର୍ବାଚନ କରିଥାଏ ।

 

ରାଣୀମାଛି ସହିତ ତାର ବରିତ ପୁରୁଷ ମାଛିର ବିହାର ହୁଏ ଘନ ଅରଣ୍ୟର ଏକ ପ୍ରସ୍ଫୁଟିତ କୁସୁମ ଭିତରେ କିମ୍ଵା ପୁଷ୍କରିଣୀର ଅଗମ୍ୟ ପଦ୍ମଫୁଲ ଭିତରେ । କୁସୁମ ସୌରଭ ଭିତରେ ପ୍ରକୃତିର ଉନ୍ମୁକ୍ତତା ଭିତରେ ଦିବାଲୋକର ଦୀପ୍ତି ଭିତରେ ରାଣୀ ମାଛି ତାର ନିର୍ବାଚିତ ପୂର୍ଣ୍ଣ ଯୌବନ ପ୍ରାପ୍ତ ପୁରୁଷ ମାଛିକୁ ରତି ଦାନ କରେ ।

 

ରାଣୀମାଛିର ପତି ନିର୍ବାଚନରେ ଆଉ ଏକ ରହସ୍ୟ ଅଛି । ରାଣୀ ମାଛି କେବଳ ପୁରୁଷ ମାଛିର ରୂପରେ ମୁଗ୍ଧ ନଥାଏ । ରୂପ ସହିତ ତା ଚଞ୍ଚଳତା ମଧ୍ୟ ସେ ପରୀକ୍ଷା କରି ନେଇଥାଏ । ଦିନେ ସେ ବଛା ବଛା ପୁରୁଷ ମାଛିମାନଙ୍କ ସହିତ ଉଡ଼ିବାକୁ ବାହାରେ । ଉଡ଼ିବାରେ ଏକ ପ୍ରତିଯୋଗିତା ହୁଏ । ଯେଉଁ ପୁରୁଷ ପୁଙ୍ଗବ ମାଛିଟି ସବୁ ପୁରୁଷମାନଙ୍କୁ ପଛରେ ପକାଇ ରାଣୀ ମାଛିକୁ ସୁଦ୍ଧା ଉଡ଼ିବାରେ ଟପିଯାଏ, ରାଣୀମାଛି ତାହାକୁ ହିଁ ବରଣମାଳା ଦିଏ ।

 

ବରିତ ବରମାଛି ସହିତ ତା’ପରେ ବନ ବନାନ୍ତରେ ରାଣୀ ମାଛିର ସଂଗମ ହୁଏ । ମହୁଫଣାରେ କଦାପି ସଙ୍ଗମ ହୁଏନାହିଁ । ମହୁଫଣାରେ ରାଣୀ ମାଛିକୁ ଘେରି ରହିଥାନ୍ତି ପୁରୁଷ ମାଛିମାନେ କିନ୍ତୁ ଫଣା ବା ଘରା ଭିତରେ କୌଣସି ପୁରୁଷ ମାଛି ସହିତ ରାଣୀ ମାଛିର କଦାପି ସଙ୍ଗମ ହୁଏନାହିଁ । କୌଣସି ପୁରୁଷ ମାଛି ରାଣୀ ମାଛିକୁ ରତିଦାନ ଲାଗି ନିବେଦନ କରେନାହିଁ । ପାରା, କାବତା, ଚଟିଆ ଯେପରି ନାରୀପକ୍ଷୀର ରତିଭିକ୍ଷା କରିବାର ଦେଖାଯାଏ, ମହୁମାଛି ସେପରି ରାଣୀ ମାଛିର ରତିଭିକ୍ଷା କରେନାହିଁ । ରାଣୀ ମାଛି ଯେଉଁ ପୁରୁଷ ମାଛିକି ପସନ୍ଦ କରେ ସେହି ମାଛି କେବଳ ତାର ଅନୁଗମନ କରେ ।

 

ରାଣୀମାଛି ସହିତ ତାର ମନୋନୀତ ପୁରୁଷ ମାଛିର ସହବାସ ହୁଏ ଉଦାର ଅନନ୍ତ ଉଦ୍ୟାନରେ । ରତି ଦାନକରି ରାଣୀମାଛି ମନ ଆନନ୍ଦରେ ଫଣାକୁ ଫେରି ଆସେ । ସେ ସୃଷ୍ଟି ନିୟମ ପାଳିଛି; ବିଧାତାର ନିର୍ଦ୍ଦେଶ ମାନିଛି, ତାର ନାରୀ ଜୀବନ ସାର୍ଥକ ହୋଇଛି, ଏହି ଚିନ୍ତା ତାକୁ ଅପାର ଆନନ୍ଦ ଦିଏ । ସେହି ଆନନ୍ଦ ଉଲ୍ଲାସ ନେଇ ରାଣୀମାଛି ଘରାକୁ ଫେରେ । କିନ୍ତୁ ତା’ ସହିତ ଯେଉଁ ପୁରୁଷ ମାଛିଟି ଯାଇ ସହବାସ କଲା, ଯେଉଁ ନିର୍ବାଚିତ ବରିତ ମନୋନୀତ ମାଛିଟି ରାଣୀମାଛିର ଯୌବନ ସମ୍ଭୋଗ କଲା, ସେହି ପୁରୁଷ ମାଛି ଆଉ ଫଣାକୁ ଫେରେ ନାହିଁ । ରାଣୀ ହିଁ ବସାକୁ ଏକାକୀ ଫେରେ । ସେହି ସମ୍ଭୋଗବିଳାସୀ ପୁରୁଷ ମାଛିଟି ରାଣୀକି ଭୋଗ କଲାପରେ ସେହି ଉଦ୍ୟାନରେ ଟଳି ପଡ଼େ । ବୀର୍ଯ୍ୟ ଦାନକରି ବୀର ପୁରୁଷ ପ୍ରାଣପାତ କରେ । ପ୍ରାଚୀନ ଭାରତର ଗୁରୁକୂଳ ମାନଙ୍କରେ ବ୍ରତଚାରୀ ବ୍ରହ୍ମଚାରୀ ଶିଷ୍ୟମାନଙ୍କୁ ଗୁରୁଦେବ ମାନଙ୍କ ନିର୍ଦ୍ଦେଶ ଥିଲା “ମରଣଂ ବିନ୍ଦୁ ପାତେନ” । ମଧୁମକ୍ଷିକା ଜୀବନରୁ କବି ଦ୍ରଷ୍ଟା ଋଷି ବର୍ଗ ସେହି ଚାକ୍ଷୁଷ ପ୍ରମାଣ ପାଇଥିଲେ ।

Image

 

ନାରୀ ସଂସାର

 

ରାଣୀ ମାଛିର ପ୍ରଧାନ ଲକ୍ଷ୍ୟ ସୃଜନ । ସୃଷ୍ଟିର ପରଂପରା ରକ୍ଷା କରିବା ତା’ ଜୀବନର ଏକମାତ୍ର ସାଧନା । ତାର ସେହି ସାଧନା ସିଦ୍ଧ ହେଲେ ତା’ ଜୀବନ ହୁଏ ସାର୍ଥ । ମାତୃତ୍ଵର ବିକାଶରେ ରାଣୀ ମାଛିର ଆନନ୍ଦ । କେବଳ ରେତ ଦାନ ପାଇଁ ପୁରୁଷର ସୃଷ୍ଟି । ରେତ ଦାନ ପରେ ତାର ଆଉ ବଞ୍ଚିବା ନିଷ୍ପ୍ରୟୋଜନ । ଲାଳନ ପାଳନ ରକ୍ଷଣ ବେକ୍ଷଣ କେବଳ ନାରୀର କର୍ମ । ପୁରୁଷ ନିମିତ୍ତ ମାତ୍ର । ମହୁମାଛି ସମାଜରେ ଏହା ଏକ ପରୀକ୍ଷିତ ସତ୍ୟ ।

 

ଆଦିମ ମାନବ ସମାଜରେ ବୈଧାନିକ ବିବାହ ନ ଥିଲା । ବିବାହ ଥିଲା ମନୋମତ । ନାରୀ ପୁରୁଷର ପରସ୍ପର ମନ ମିଳନରେ ସଂସାର କ୍ରିୟା ସଂପନ୍ନ ହେଉଥିଲା । ପୁରୁଷ ଫୁଲରୁ ଫୁଲ-ମଧୁ ସଂଗ୍ରହ କରୁଥିଲା ଫୁଲ କେବଳ ଧାରଣ କରୁଥିଲା ଫଳ । ବୀଜ ପରିବେଷଣ କରୁଥିଲା ଫଳ । ନାରୀ ତାର ସନ୍ତାନର ଯତ୍ନ ନେଉଥିଲା । ବାଘୁଣୀ ବିଲେଇ ଯେପରି ବାଘ କବଳରୁ ଓ ଭୁଆ କବଳରୁ ନିଜ ନିଜର ଛୁଆସବୁ ବଂଚାଇ ରଖେ, ନାରୀ ମଧ୍ୟ ସେପରି ପୁରୁଷର ଦୌରାତ୍ମ୍ୟରୁ ତାର ଶିଶୁକୁ ବଞ୍ଚାଇ ରଖୁଥିଲା । ମା’ ଥିଲା ଘରର ସର୍ବେସର୍ବା । ମା’ ଯୋଗୁଁ ସଂସାର ଥିଲା । ମା’ ଥିଲା ଗୃହିଣୀ, ଜନନୀ ଅଧିଷ୍ଠାତ୍ତ୍ରୀ । ଏ ପର୍ଯ୍ୟନ୍ତ ଭାରତର କେରଳ (ମାଳାବାର) ରେ ନାରୀର ରହିଛି ପ୍ରାଧାନ୍ୟ । ଯା’ ଘରେ କୁମାରୀ ତା’ ଘରେ କୁମାର ଘର ଜୁଇଆଁ ହୋଇ ରହେ, ନାରୀର ହୁଏ କ୍ରୀତଦାସ । କେରଳରେ ନାରୀ ହିଁ ସଂପତ୍ତିର ଅଧିକାରୀଣୀ । ବ୍ରହ୍ମ ଦେଶରେ ମଧ୍ୟ ନାରୀର ହିଁ ସ୍ଵାତନ୍ତ୍ର । ଆମ ଓଡ଼ିଶାର ଜୟପୁର-ବସ୍ତର ଠାରୁ କଳାହାଣ୍ତି ବଲାଙ୍ଗିର ଦେଇ ସମ୍ଵଲପୁର ପର୍ଯ୍ୟନ୍ତ ଦକ୍ଷିଣ କୋଶଳରେ ହାଟବାଟରେ ନାରୀ ହାତରେ ସବୁ କିଣା ବିକା । ସେ କାଳରେ ନାରୀର ଥିଲା ସ୍ଵୟଂବର ।

 

ଏ କାଳରେ ମହୁମାଛି ସମାଜରେ ସେହି ସୃଷ୍ଟି ପରଂପରା ରହିଛି । ମହୁମାଛି ପରିବାର ଏକ ନାରୀ ସଂସାର । ନାରୀ କରେ ସର୍ଜନା ନାରୀ । କରେ ଗର୍ଭଧାରଣ । ନାରୀ କରେ ପ୍ରସବ । ନାରୀ କରେ ଶିଶୁ ପାଳନ । ନାରୀ କରେ ଗୃହ ନିର୍ମାଣ । ନାରୀ କରେ ବଂଶବୃଦ୍ଧି । ନାରୀ କରେ ମଧୁ ସଂଗ୍ରହ । ନାରୀ କରେ ସଞ୍ଚୟ । ନାରୀ କରେ ପରିବେଷଣ । ନାରୀ ତା କୁଟୁମ୍ଵର ସଂଖ୍ୟାନୁପାତରେ “ଅର୍ଥନୀତି” ସମସ୍ୟା ସାଧନା କରେ । ସର୍ବେ ସୁଖୀନୋ ଭବନ୍ତୁ, ନାରୀର ଲକ୍ଷ୍ୟ-। ବହୁ ସଂଖ୍ୟକ ମହୁମାଛିର ଯଦ୍ଵାରା ବହୁ ପରିମାଣରେ କଲ୍ୟାଣ ସାଧିତ ହୋଇ ପାରିବ ସେହି ପଂଥା ହେଉଛି ମାଈ ମାଛିର ନିତ୍ୟ ପ୍ରଚଳିତ ପଂଥା । “ନାନ୍ୟଃ ପଂଥା ବିଦ୍ୟତେ ଅୟନାୟ ।”

 

ବୀର୍ଯ୍ୟଦାନ ପାଇଁ ପୁରୁଷ ମାଛିର ଜନ୍ମ । ବୀର୍ଯ୍ୟଦାନ ପରେ ତାର ମୃତ୍ୟୁ । ଅକର୍ମା ମାଛିର ସମାଜରେ ସ୍ଥାନ ନାହିଁ । ମହୁଫଣା ଏକ ନାରୀ ସଂସାର । ନାରୀର ନିର୍ଦ୍ଦେଶରେ ମହୁମାଛିର ସଂସାର ଚଳେ । ନାରୀ ସ୍ରଷ୍ଟା । ନାରୀ ହର୍ତ୍ତା କର୍ତ୍ତା ବିଧାତା । ମାଈ ମାଛି ସୃଜନ କରେ, ପାଳନ କରେ, ନାଶନ କରେ । ସୃଷ୍ଟି ସ୍ଥିତି ପ୍ରଳୟ ସବୁ କରେ ନାରୀ ମକ୍ଷିକା ।

 

କେବଳ ସମ୍ଭୋଗ ସୁଖ ପାଇଁ ଏବଂ ସୃଷ୍ଟି ସର୍ଜନା ପାଇଁ ରାଣୀମାଛି ପୁରୁଷ ମାଛିର ଜନ୍ମ ଦିଏ । ପୁରୁଷମାଛି ଠାରୁ ବୀର୍ଯ୍ୟ ସଂଗ୍ରହ କରି ରାଣୀ ମାଛି ପୁରୁଷକୁ ମାରିଦିଏ । ରାଣୀମାଛି ପୁରୁଷମାଛି ଠାରୁ ଏପରି ବୀର୍ଯ୍ୟ ଶୋଷଣ କରିଆଣେ ଯେ ତାର ମୃତ୍ୟୁ ହୁଏ ଅନିବାର୍ଯ୍ୟ । ରାଣୀମାଛି ତହୁଁ ସୃଷ୍ଟିକରେ ବହୁପରିମାଣରେ ମାଈମାଛି । ମାଈ ମାଛିମାନେ ଧାଈରୂପେ ଡିମ୍ଵ ପାଡ଼ିବା ପାଇଁ ଘରାମାନ ନିର୍ମାଣ କରି ଦିଅନ୍ତି । କେଉଁ ଘରାରେ ଅଣ୍ତିରା ଡିମ୍ଵ ପାଡ଼ିବାକୁ ହେବ, କେଉଁ ଘରାରେ ମାଈ ଡିମ୍ଵ ପାରିବାକୁ ହେବ କେଉଁ ଘରାରେ ଭାବୀ ରାଣୀ ଡିମ୍ଵ ପାଡ଼ିବାକୁ ହେବ ଧାଈ ମା’ ମାନେ ଆଗରୁ ଜାଣନ୍ତି । ସେହି ସେହି ଘରା ଦେଖି ସେହି ଘରା ମାନଙ୍କରେ ମା’ ରାଣୀ ଅନୁରୂପ ଅଣ୍ତା ଦେଇ ଆସେ । ମା’ରାଣୀ ଯେଉଁ ଯେଉଁ ଅଣ୍ତା ଦିଏ ଧାଈମା’ ମାନେ ସେହି ସେହି ଅଣ୍ତାରୁ ଯଥାବିଧାନରେ ଛୁଆ ଉପୁଜାଇ ଦିଅନ୍ତି । ଧାଈମାଛିମାନଙ୍କର ଏବଂ ରାଣୀମାଛିର ସର୍ବୋପରି ଦୃଷ୍ଟି ଥାଏ; କିପରି ସ୍ଵଳ୍ପ ସଂଖ୍ୟକ ହୃଷ୍ଟପୁଷ୍ଟ ପୁରୁଷ ପୁଅ ଜନ୍ମିବେ ଏବଂ କିପରି ବହୁ ସଂଖ୍ୟକ ଝିଅ ଜନ୍ମିବେ । ଅତଏବ ମହୁମାଛି ସମାଜରେ ନାରୀ ହିଁ ମୁଖ୍ୟ, ପୁରୁଷ ଗୌଣମାତ୍ର, ନିମିତ୍ତ ମାତ୍ର । “ଯନ୍ତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ତତ୍ର ରମନ୍ତି ଦେବତାଃ”–ଯେଉଁଠି ନାରୀର ପୂଜା ସେହିଠି ଦେବତା ମାନେ ରମଣ କରନ୍ତି–ବିହାର କରନ୍ତି । ସେହିଠି “ମଧୁଃ ବାତାୟତେ ମଧୁଃ କ୍ଷରନ୍ତି ସିନ୍ଧବଃ ।”

Image

 

ଯୁବରାଣୀ

 

ବିଧିର ବିଚିତ୍ର ଲୀଳା ? ସମସ୍ତ ମହୁଫଣାର ମାଛିପଲ ମା’ରାଣୀର ସେବାକୁ ଶୀର୍ଷ ସ୍ଥାନ ଦିଅନ୍ତି । ମା’ରାଣୀର ସେବାହିଁ ମହୁମାଛିର ଜୀବନର କର୍ତ୍ତବ୍ୟ । ମଧୁସଂଗ୍ରହ, ଅଣ୍ତାର ଯତ୍ନ, ବସା ନିର୍ମାଣ, ମଧୁ ପ୍ରସ୍ତୁତି, ମହଣ ତିଆରି, ଛୁଆଙ୍କ ଭୋଜନ ଭାଜନ ଆଦି ସବୁ କାର୍ଯ୍ୟ ସେହି ଏକମାତ୍ର ରାଣୀମା’ଙ୍କ ଉଦ୍ଦେଶ୍ୟରେ ସାଧିତ ହୁଏ । ରାଣୀ ମାଛି ମାଛି ପଲର ଏକାଧାରରେ ରାଣୀ ଓ ଜନନୀ । ଜନନୀ ପ୍ରତି ଭକ୍ତି କୃତଜ୍ଞତା ଓ ରାଣୀ ପ୍ରତି ସେବା ପରାୟଣତା, ମାଛିମାନଙ୍କୁ କର୍ତ୍ତବ୍ୟନିଷ୍ଠ କରିଥାଏ ।

 

ଅଣ୍ତା ଦେବା ହେଉଛି ରାଣୀ ମାଛିର ମୁଖ୍ୟ କର୍ମ । ସଂସାର ସର୍ଜନା ନିମନ୍ତେ ତାର ଜନ୍ମ-। ପ୍ରତିଦିନ ସେ ଶତ ଶତ ଅଣ୍ତା ପ୍ରସବ କରେ । ବସନ୍ତ ଋତୁରେ ଫୁଲ ଫୁଟେ । କୁସୁମିତ ଉପବନରୁ କୁସୁମ ପରାଗ ସଂଗ୍ରହ କରିବାର ସୁବିଧା ହୁଏ । ସେତେବେଳେ ଫଣାର ମହୁପରିମାଣ ବଢ଼ିଯାଏ । ଏତେ ମହୁ ସଂଚିତ ହେବାର ଜାଗା କାହିଁ ? ମହୁ ତାଟରେ ଏତେ ମହୁ ରହିବ କିପରି-? ବସନ୍ତ ପରେ ପରେ ଆସି ଯିବ ଭୀଷଣ ଗ୍ରୀଷ୍ମ । ଗ୍ରୀଷ୍ମର ଉତ୍ତାପରେ ମହୁ ତରଳି ବୋହିଯିବ-। ତାକୁ ସମ୍ଭାଳିବ କିଏ ? ରାଣୀ ମାଛିର ସ୍ଵାଭାବିକ ବୁଦ୍ଧି, ନୈସର୍ଗିକ ଭବିଷ୍ୟ ଜ୍ଞାନ ତାକୁ ଜାଗ୍ରତ କରି ଦିଏ । ସିଏ ସେତେବେଳେ ତାଙ୍କ କୁଳବୃଦ୍ଧି ନିମନ୍ତେ ଅସଂଖ୍ୟ ଅଗଣିତ ଅଣ୍ତା ଦିଏ । ଏମନ୍ତକି ଦିନକୁ ସେ ପ୍ରାୟ ଦୁଇ ହଜାର ଅଣ୍ତା ପାଡ଼େ ଏକା ବସନ୍ତ ସମୟରେ । ବସନ୍ତ ମଧ୍ୟ ତାର ଋତୁ ସମୟ । ସେତେବେଳେ ତାର ଯୌନ ପ୍ରବୃତ୍ତି ବେଶି ବିକାଶ ପାଏ । ଦିନକୁ ଦିନ ଅଧିକରୁ ଅଧିକ ଯୁବ ପୁରୁଷ ସହିତ ଏକାନ୍ତ ବନରେ ସେ ଉଡ଼ି ଆସେ–ଉଡ଼ି ଆସେ ଥରେ କେବଳ ଗୋଟିଏ ପୁରୁଷ ମାଛି ସହିତ ଏବଂ ପୁରୁଷକୁ ରତି ଦାନ ଦେଇ ଫେରିଆସେ ଏକାକୀ । ରତି ରସିକ ନାଗର ମକ୍ଷିକା ରାଣୀକି ଭୋଗ କରି ସେହି ନନ୍ଦନ କାନନରେ ଢଳି ପଡ଼େ ।

 

ଇମିତି ରାଣୀ ମାଛି ତିନିବର୍ଷ ବଂଚେ ଏବଂ ତାର ଜୀବନ ସାର୍ଥକ କରି ଯାଏ । ସେ ଯେତେବେଳେ ଡିମ୍ଵ ପଡ଼ିବାର ଶକ୍ତି ହରାଇ ବସେ, ସେତେବେଳେ ତାକୁ ଘରାରେ ସେ ପଡ଼ିବାକୁ ହୁଏ । ତାର ତା’ପରେ ସ୍ଵାଭାବିକ ମୃତ୍ୟୁ ହୁଏ ।

 

ରାଣୀ ମାଛିର ଫଳ ଫଳିବାର ସମୟ ବିତିଗଲେ ଯୁବରାଣୀର ନିର୍ବାଚନ ହୁଏ । ଯୁବରାଣୀ ନିର୍ବାଚନ କରି ବିଚିତ୍ର ବିଧାନ । ସବୁ କୁମାରୀ ମାଛିମାନେ ଯୁବରାଣୀ ହୁଅନ୍ତି ନାହିଁ । ଯାହା ଭାଗ୍ୟରେ ରାଣୀ ମା’ ହେବାର ଥାଏ ସେ କେବଳ ହୁଏ ଯୁବରାଣୀ । ରାଣୀମା’ର ଯେଉଁ ଦିନ ଅକର୍ମଣ୍ୟତା ଆସି ଯାଏ, ଯେଉଁ ଦିନ ତାର ଫଳ ଧାରଣ ଶକ୍ତି ହ୍ରାସ ବୋଧହୁଏ, ସେହି ଦିନ ନିର୍ବାଚିତ ହୁଏ ଯୁବରାଣୀ । ଯୁବତୀ କୁମାରୀ ମାଛିମାନଙ୍କର ହୁଏ ଏକ ପ୍ରତିଯୋଗିତା । ପହିଲେ କୁମାରୀ ମାଛିମାନେ ଉଡ଼ିବାରେ ପ୍ରତିଯୋଗିତା କରନ୍ତି । କୁମାରୀଙ୍କ ମଧ୍ୟରୁ ଯେଉଁଟି ସବୁ କୁମାରୀଙ୍କୁ ଟପି ଯାଏ ତାକୁ ପ୍ରଥମ ଆସନ ଦିଆଯାଏ । ତା’ପରେ ଯୁବକ କୁମାର ମାଛିମାନଙ୍କର ହୁଏ ଉଡ଼ନ୍ତା ପ୍ରତିଯୋଗିତା । ଯେଉଁ ଯୁବକ କୁମାର ସବୁ କୁମାରଙ୍କୁ ଟପିଯାଏ ସେ ପାଏ ଶୀର୍ଷ ସ୍ଥାନ । ତା ପରେ ଶ୍ରେଷ୍ଠ କୁମାର ଓ ଶ୍ରେଷ୍ଠ କୁମାରୀ ଉଡ଼ନ୍ତି । କୁମାର ଯଦି କୁମାରୀକୁ ଉଡ଼ିବାରେ ଟପିଯାଏ କୁମାରୀ ତାକୁ ପତି ରୂପେ ବରଣ ବରେ । କୁମାର ଯଦି ହାରିଯାଏ ତାର ଆଉ ସମାଜରେ ସ୍ଥାନ ନଥାଏ । ତାପରେ ପୁନଃ ନିର୍ବାଚନ ହୁଏ କୁମାର ମାନଙ୍କର । ଯେଉଁ କୁମାର ମାଛି ଉଡ଼ିବାରେ ଶ୍ରେଷ୍ଠ ନିର୍ବାଚିତ ହୁଏ, ତାର ପୁଣି ପ୍ରତିଯୋଗିତା ହୁଏ ସେହି ବିଜୟିନୀ କୁମାରୀ ସହିତ-। ଏପରି ପ୍ରତିଯୋଗିତା ହେଉ ହେଉ ଯେଉଁ ଯେଉଁ ନିର୍ବାଚିତ କୁମାର ନିର୍ବାଚିତ କୁମାରୀକୁ ଉଡ଼ିବାରେ ଟପିଯାଏ ସେ ପାଏ ଯୁବ ରାଣୀର ସ୍ଥାନ । ବୃଦ୍ଧରାଣୀ ମା’ ଓ ସମାଜରେ ପ୍ରତିନିଧିମାନଙ୍କ ସଂକେତରେ ନିର୍ବାଚିତ କୁମାର ଓ ନିର୍ବାଚିତା କୁମାରୀ ପରସ୍ପର ପରସ୍ପରକୁ ବରଣ କରି ଏକାନ୍ତ ଉଦ୍ୟାନକୁ ଉଡ଼ି ଯାନ୍ତି । ଉଭୟରେ ସେଠାରେ ବିହାର ହୁଏ, ସଂଗମ ହୁଏ । ଯୁବରାଣୀ ବୀର୍ଯ୍ୟ ଧାରଣ କରି ବସାକୁ ଫେରି ଆସେ ଏବଂ ଯୁବକର ସେହିଠି ପତନ ହୁଏ । ବୀର୍ଯ୍ୟ ପାତ ହେଲେ ପୁରୁଷ ମଧୁ କକ୍ଷିକା ଆଉ ବଂଚେ ନାହିଁ । ଆର୍ଯ୍ୟ ଋଷି ବନାଶ୍ରମରେ ଏହା ଦେଖି ଅନୁଭବ କରି ରହିଛନ୍ତି “ମରଣଂ ବିନ୍ଦୁ ପାତେନ’

 

ଏପରି କୁମାରୀ ମାଛି ଅଛନ୍ତି ଯେଉଁମାନେ କି ପୁରୁଷ ମାଛି ସହିତ ବିହାର କରିବାକୁ ଯାନ୍ତି କିନ୍ତୁ ରତିଦାନ କରି ଜାଣନ୍ତି ନାହିଁ । ପୁରୁଷ ମାଛିକୁ ସଙ୍ଗରେ ନେଇ ନିର୍ବାଚିତ କୁମାରୀ ବସାକୁ ଫେରି ଆସେ । ଉଭୟେ ଫେରି ଆସିଲେ ମକ୍ଷିକା କୁଟୁମ୍ଵ ଜାଣେ ଯେ ସେମାନଙ୍କର ସଂଗମ ହୋଇନାହିଁ । ସଂଗମ ହୋଇଥିଲେ ପୁରୁଷ ମାଛି ବସାକୁ ଫେରନ୍ତା କିପରି ? ତା ପର ଦିନ ଉଭୟେ ପୁଣି ଉଡ଼ି ଯାନ୍ତି । ଏପରି କ୍ରମଶଃ ଏକୋଇଶ ଦିନ ନିର୍ବାଚିତ କୁମାର କୁମାରୀ ଉଡ଼ି ଆସନ୍ତି । ତଥାପି ଯଦି ଉଭୟର ସଂଗମ ନହୁଏ ତେବେ କୁମାରୀ ରହିଯାଏ ଚିର କୁମାରୀ । ସେ ହୋଇଯାଏ ବାଂଝା ତାର ହୁଏ ମୃତ୍ୟୁ । ତା ପରେ ଅନ୍ୟ ଯୁବରାଣୀର ନିର୍ବାଚନ ହୁଏ ।

Image

 

ଅଣ୍ତାଦେବା ବିଧାନ

 

ନିର୍ବାଚିତା ଯୁବରାଣୀ ଏକାନ୍ତରେ ଯୁବମାଛି ସହିତ ଉଡ଼ିଯାଇ ଏକୋଇଶ ଦିନ ମଧ୍ୟରେ ଯୋଡ଼ ଗଲାକି ନାହିଁ ତାହା ମହୁମାଛି କୁଟୁମ୍ଵ ପକ୍ଷରେ ବଡ଼ ଏକ ଭାବନାର କଥା । ନିର୍ବାଚିତା ରାଣୀ ଯଦି ନିର୍ବାଚିତ ପୁରୁଷ ମାଛି ସହିତ ସହବାସ ନ କରେ ମହୁମାଛି ପରିବାରର ସୃଷ୍ଟିରେ ବ୍ୟତିକ୍ରମ ଘଟିବ, ମାଛି କୁଟୁମ୍ଵରେ ବିଶୃଙ୍ଖଳା ଉପୁଜିବ ।

 

ଯେଉଁ ନବ ନିର୍ବାଚିତା କୁମାରୀ ମାଛି ରାଣୀ ମା’ ହେବା କଥା ସେ ଯଦି ତାର ନିଜ ଦୋଷରୁ ଅଥବା ପୁରୁଷ ମାଛିର ଦୋଷରୁ ସହବାସ କରିପାରେ ନାହିଁ ଏକୋଇଶ ଦିନ ଅନ୍ତେ ସେ ବାଂଝ ହୋଇ ରହିଯାଏ ଅଥବା ତାର ଯଥାକାଳରେ ମୃତ୍ୟୁ ହୁଏ । ମହୁମାଛିମାନଙ୍କ ମଧ୍ୟରେ ଅକର୍ମା ଯେପରି ଅଳ୍ପାୟୂ ବାଂଝ ମଧ୍ୟ ସେପରି ଅଳ୍ପାୟୂ । ଯାର ସୃଜନ ଶକ୍ତି ନାହିଁ କିମ୍ଵା କର୍ମଠତା ବା କର୍ମଣ୍ୟତା ନାହିଁ ତାର ଜୀବନଧାରଣର ଆବଶ୍ୟକତା ନାହିଁ । ବନ୍ଧ୍ୟା ଏବଂ ଅକର୍ମ ଶୀଳର ଶ୍ରମଶୀଳ ଖଟିଖିଆ ସମାଜରେ ସ୍ଥାନ ନାହିଁ । ତାର ମରଣ ଅନିବାର୍ଯ୍ୟ ।

 

ଯେଉଁ ନିର୍ବାଚନ ଓ ପ୍ରତିଯୋଗିତାରେ ବିଜୟିନୀ ଯୁବତୀ ମାଛି ନିର୍ବାଚିତ ଯୁବକ ମାଛି ସହିତ ସହବାସ ନ କରି ବଂଚିଯାଏ ଏବଂ ଦୈବାତ ସେ ଯଦି ମାତୃତ୍ଵର ବିକାଶ ପାଇଁ ଲାଳାୟିତା ହୁଏ ତେବେ ସେ ପୁରୁଷର ବିନା ସହବାସରେ ମଧ୍ୟ ଅଣ୍ତା ଦେଇପାରେ, କିନ୍ତୁ ସେ ଯେଉଁ ଅଣ୍ତା ଦିଏ ସେ ସବୁ ପୁଅ ଅଣ୍ତା ହୋଇଯାଏ । ଏକୁଟୀ ମାଈ ରାଜ ହଂସ ଅଣ୍ତା ଦେବାର ଦେଖାଯାଏ; କିନ୍ତୁ ସେ ଅଣ୍ତାକୁ ମାଈ ହଂସ କେତେ ଉସୁମେଇଁ ବସିଲେ ମଧ୍ୟ ପୁଟେ ନାହିଁ; ତହିଁରୁ ଛୁଆ ଉପୁଜେ ନାହିଁ । ଯୋଡ଼ ନ ଯିବା ମାଇ ମାଛିର ଅଣ୍ତାରୁ କିନ୍ତୁ ପୁଅ ମାଛି ଜନ୍ମିଥାଏ । ଗୁଡ଼ାଏ ପୁଅ ଜନ୍ମ ହେଲେ ମହୁମାଛି ପରିବାରର ବଡ଼ ବିପଦ, ବଡ଼ ଅଭାବ, ବଡ଼ ସଂଘର୍ଷ ଉପୁଜେ ।

 

ରାଣୀ ମାଛି ଯଦି ପୁରୁଷ ମାଛି ସହିତ ସହବାସ କରି ପୁରୁଷକୁ ମାରି ତାର ବୀର୍ଯ୍ୟଧାରଣ କରି ଆସି ଥାଏ ତାହା ହେଲେ ସେ ସବୁ ପ୍ରକାର ମାଛିର ଅଣ୍ତା ଦେଇପାରେ । ସେ ଯେଉଁ ଅଣ୍ତା ଦିଏ ତହିଁରୁ ଜାତ ହୁଏ କର୍ମୀ ମାଛି, ଅକର୍ମା ମାଛି ଓ ମାଈ ମାଛି ।

 

ବିଚିତ୍ର ସେ ବିଧିର ବିଧାନ । ଯେଉଁ ଯୁବରାଣୀ ପୁରୁଷପୁଙ୍ଗବ ମାଛି ସହିତ ସହବାସ କରି ତାକୁ ବନ ପ୍ରାନ୍ତରେ ନିର୍ବୀର୍ଯ୍ୟ କରି ମାରି ଆସେ, ଆସେ ଯଥେଷ୍ଟ ବଳିଷ୍ଠ ବୀର୍ଯ୍ୟ ଧାରଣ କରି-। ପୁରୁଷକୁ ନିଃଶେଷ କରି ତାର ସମସ୍ତ ବୀର୍ଯ୍ୟ ଚୟନ କରି ଯେଉଁ ଯୁବରାଣୀ ଆସେ ସେ ହୁଏ ରାଣୀ ମା’ । ତାର ବୀର୍ଯ୍ୟ ଧାରଣ ପାଇଁ ପେଟରେ ଥାଏ ଏକ ଥଳୀ । ରାଣୀ ମା’ ତାର ରଜରେଣୁ ସହିତ ସଂଗୃହୀତ ବୀର୍ଯ୍ୟରେଣୁ ଯୋଗ କରି ଅଣ୍ତା ଦିଏ । ସେହି ବୀର୍ଯ୍ୟ ଥଳୀର ମୁହଁ ବନ୍ଦ ଥାଏ-। ରାଣୀ ମାଛିର କିନ୍ତୁ ଇଚ୍ଛାନୁସାରେ ସେ ବୀର୍ଯ୍ୟ ଥଳୀର ମୁହିଁ ଖୋଲିବାର ଶକ୍ତି ଥାଏ । ସେ ଯେତେବେଳେ ପୁରୁଷ ଅଣ୍ତା ଦିଏ ସେତେବେଳେ ତାର ରଜରେତ ସହିତ ସଂଚିତ ପୁରୁଷ ରେତ ସଂଯୋଗ କରେ ନାହିଁ । ଯେତେବେଳେ ତାର ରଜରେତ ସହିତ ପୁରୁଷ ରେତର ମିଶ୍ରଣ ହୁଏ ସେତେବେଳେ ନାରୀ ଅଣ୍ତାର ଉଦ୍ଭବ ହୁଏ ।

 

ରାଣୀ ମାଛିର ସଂଚିତ ବୀର୍ଯ୍ୟ ଯେତେବେଳେ ତା ଉଦର ଥଳୀରୁ ନିଃଶେଷ ହୋଇଯାଏ ଅଭ୍ୟାସ ବଶତଃ ସେ ଅଣ୍ତା ଦେଇ ଚାଲେ । କିନ୍ତୁ ସେହି ଅଣ୍ତାମାନଙ୍କରୁ ସେତେବେଳେ କେବଳ ପୁରୁଷ ମାଛି ଜନ୍ମେ । ମଧୁମକ୍ଷିକା ପରିବାର ସେତେବେଳେ ବଡ଼ ବିପଦ ମଣନ୍ତି । ମହୁମାଛି ପରିବାର କାଳେ ପୁରୁଷମୟ ହୋଇଯିବ, କାଳେ ନିଷ୍କର୍ମାମାନଙ୍କ ସଂଖ୍ୟା ବଢ଼ିଲେ ସଂଚିତ ମଧୁ ଭଣ୍ତାର ଲୁଟ ହେବ, ସେ ଭୟରେ କର୍ମଶୀଳା ମାଈ ମାଛିମାନେ ଅଥୟ ହୁଅନ୍ତି ।

 

ରାଣୀ ମାଛି ଯଦି ପୁରୁଷ ମାଛିଠାରୁ ଯଥେଷ୍ଟ ପରିମାଣରେ ବୀର୍ଯ୍ୟ ସଂଗ୍ରହ କରି ଆଣି ନଥାଏ ତେବେ ତାର ସଂଚିତ ବୀର୍ଯ୍ୟଥଳୀରୁ ଶୀଘ୍ର ପୁରୁଷବୀର୍ଯ୍ୟ ଟିକକ ସରିଯାଏ । ସେପରି ଅବସ୍ଥାରେ ରାଣୀ ମାଛି ଯେଉଁ ଅଣ୍ତା ଦିଏ ସେ ହୁଏ ପ୍ରାୟ ଅଣ୍ତିରା ଅଣ୍ତା । ତହିଁରୁ କେବଳ ପରାଙ୍ଗପୁଷ୍ଟ ପୁରୁଷ ମାଛିମାନେ ଜନ୍ମ ହୁଅନ୍ତି । ଏପରି ସ୍ଥଳେ ରାଣୀ ମାଛି ତାର ପୂର୍ଣ୍ଣ ଯୌବନରେ ସୁଦ୍ଧା ପୁଅ ମାଛି ଗୁଡ଼ାଏ ଜନ୍ମ ଦିଏ । ଯେଉଁ ମହୁତାଟରେ ରାଣୀ ମାଛିର ଅସାବଧାନତା ଯୋଗୁଁ ନାରୀ ଅପେକ୍ଷା ପୁରୁଷ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଦିଶେ ସେହି ତାଟରେ ଭୀଷଣ ବିଦ୍ରୋହ ଜନ୍ମେ । ମହୁ ଭଣ୍ତାର ଯେଉଁ କର୍ମଶୀଳା ନାରୀ ମାଛିମାନେ ପ୍ରାଣପାତ କରି ସଂଗ୍ରହ କରିଥାନ୍ତି ସେହି ମଧୁ ଭଣ୍ତାରକୁ ସେମାନେ ଅକର୍ମ ଶୀଳ ବସିଖିଆଙ୍କୁ ଶୋଷଣ କରିବାକୁ ଦିଅନ୍ତି ନାହିଁ । ନାରୀ ମାଛିମାନେ ରୁଣ୍ତ ହୋଇ ଅକର୍ମା ବା ଅକର୍ମଣ୍ୟ ପୁରୁଷ ପୁଅଙ୍କ ପର ଉପୁଡ଼େଇ ମାରି ଦିଅନ୍ତି-

Image

 

ବଞ୍ଚି ରହିବାର ସଂଗ୍ରାମ

 

ଆଗରୁ କୁହାଯାଇଛି, ମହୁମାଛି ସମାଜରେ ଅକର୍ମଣ୍ୟ, ପରାଙ୍ଗପୁଷ୍ଟ ଅତିବୃଦ୍ଧ ବା ରୁଗ୍‍ଣକାୟର ସ୍ଥାନ ନାହିଁ, ସ୍ଥାନ ନାହିଁ ନପୁଂସକର, ସ୍ଥାନ ନାହିଁ ବନ୍ଧ୍ୟର । ଯେଉଁ ମାଛିର ସୃଜନ ଶକ୍ତି ନାହିଁ, ଯାହାର କର୍ମପଟୁତା ନାହିଁ ତାହାର ମୃତ୍ୟୁ ଅନିବାର୍ଯ୍ୟ । ଗ୍ରୀସ୍ ଦେଶର ଆଥେନ୍‍ସରେ ପ୍ରାଚୀନ କାଳରେ ରୁଗ୍‍ଣ ଅକର୍ମଣ୍ୟ ଓ ଅତିବୃଦ୍ଧର ସମାଜରେ ସ୍ଥାନ ନଥିଲା । ଆଥେନ୍‍ସବାସୀ ଥିଲେ ବୀର ଯୋଦ୍ଧା । ସଂଗ୍ରାମଶୀଳରହିଁ ବଞ୍ଚି ରହିବାର ଅଧିକାର ଥିଲା । ଜୀବନଧାରଣ କରିବାକୁ ହେଲେ ସଂଗ୍ରାମ କରିବାକୁ ହେବ । ସେହି ଯୁଗର ସେହି ପରିସ୍ଥିତିରେ ଆଥେନ୍‍ସରେ ଯେଉଁ ନୀତି ନିୟମ ଥିଲା ଯୁଗ ଯୁଗ ଧରି ମହୁମକ୍ଷିକାର ସର୍ଜନା କାଳରୁ ମହୁମାଛି ସମାଜରେ ସେହି ନୀତି ନିୟମ ବରାବର ପାଳିତ ହୋଇ ଆସୁଛି ।

 

ଦୈବାତ୍ ରାଣୀ ମାଛିର ପୁରୁଷ ମାଛି ସହିତ ସଙ୍ଗମ ବେଳେ ରାଣୀ ମାଛି ଯଦି ପୁରୁଷ ମାଛିକୁ ନିଃଶେଷ କରି ତାର ସମସ୍ତ ବୀର୍ଯ୍ୟ ଶୋଷଣ କରି ଆଣି ନଥାଏ ରାଣୀ ମାଛିର ସଂଗୃହୀତ ବୀର୍ଯ୍ୟ ସରିଗଲେ ସେ କେବଳ ପୁରୁଷ ମାଛିର ଡିମ୍ଵ ପାଡ଼ିଯାଏ । ସେପରି ସ୍ଥଳେ ଅଲୋଡ଼ା ଅକାରଣ ଅଣ୍ତିରା ମାଛିଗୁଡ଼ାଏ ଜନ୍ମ ହୁଅନ୍ତି ଏବଂ ମହୁଭଣ୍ତାର ଲୁଟି ନିଅନ୍ତି । ସେତେବେଳେ କର୍ମଶୀଳା ମାଈ ମାଛିମାନଙ୍କର ବିପଦ ଘନେଇ ଆସେ । ଯେଉଁ ମାଈ ମାଛିମାନେ ଧାତ୍ତ୍ରୀ ରୂପେ ଅଣ୍ତା ଅବସ୍ଥାରୁ ମାଛି ହେବା ଯାଏଁ ପୁଅ ମାଛିମାନଙ୍କ ଲାଳନ ପାଳନ ଭୋଜନ ଭାଜନର ସବୁ ବ୍ୟବସ୍ଥା କରିଥାନ୍ତି ସେହି ମାଈ ମାଛିମାନେ ହଠାତ୍ ହୋଇ ଉଠନ୍ତି ବୀରାଙ୍ଗନା । ବାହାରର ଶତ୍ରୁ ମାଛିମାନେ ସେମାନଙ୍କ ମଧୁଭଣ୍ତାର ଜୁର କରିବା ପାଇଁ ଆସିଲେ କର୍ମଶୀଳା ମାଈ ମାଛିମାନେ ଯେପରି ବୀରତ୍ଵ ସହିତ ଲଢ଼ି ଶତ୍ରୁ ମାଛିମାନଙ୍କୁ ମାରି ମାରି ତଡ଼ି ଦିଅନ୍ତି ସେପରି ବୀରତ୍ଵର ତେଜରେ ସେମାନେ ନିଜର ବହୁ ଯତ୍ନ ପାଳିତ ପୁଅ ମାଛିମାନଙ୍କର ପକ୍ଷ ଉପୁଡ଼େଇ ତଳେ ପକେଇ ମାରି ଦିଅନ୍ତି । ସମାଜ ରକ୍ଷା, ସଂସ୍ଥାରକ୍ଷା, ସୃଷ୍ଟିରକ୍ଷା, ପରଂପରା ରକ୍ଷା କର୍ମଶୀଳା ମାଈ ମାଛିମାନଙ୍କର ପ୍ରକୃତିଦତ୍ତ ବୁଦ୍ଧି । ଅକର୍ମା କର୍ମକୁଣ୍ଠ ବସିଖିଆ ପୁଅଙ୍କ ସଂଖ୍ୟା ବୃଦ୍ଧି ପାଇଲେ ମାଈ ମାଛିର ସେ ପକୃତିଦତ୍ତ ବୁଦ୍ଧି ପ୍ରଖର ହୋଇଉଠେ ।

 

କେବଳ କର୍ମକୁଣ୍ଠ ଅକର୍ମଣ୍ୟ ପରାଙ୍ଗପୁଷ୍ଟ ପୁଅ ମାଛିଙ୍କ ସଂଖ୍ୟା ହ୍ରାସ କରି ମାଇ ମାଛି ତୁନି ହୁଏ ନାହିଁ । ଯେଉଁ ମାଈ ମାଛି ପୁରୁଷ ମାଛି ସଙ୍ଗେ ସହବାସ କରିପାରେ ନାହିଁ ସେ ଏକୋଇଶି ଦିନ ପରେ ବାଂଝ ହୋଇ ଯାଏ । ବାଂଝର ମୁହଁ ଚାହିଁ ପାରେ ନାହିଁ କର୍ମପଟୁ ଶ୍ରମଶୀଳା ମାଈ ମାଛି । ବାଂଝର ମଧ୍ୟ ଶରୀର ପତନ ହୁଏ । ସ୍ଵଂୟ ରାଣୀ ମା’ ଯେ କି ତିନି ବର୍ଷ କାଳ ମାଛି ସଂସାର ବଢ଼େଇ ଆସିଛି, ସମସ୍ତ ମହୁ ଫଣାକୁ ଆପଣାର କରି ଆସିଛି ଏବଂ ସମଗ୍ର ମହୁମାଛି ପରିବାରକୁ ନିଜର ସନ୍ତାନ ନିର୍ବିଶେଷରେ ପାଳି ଆସିଛି, ଆଉ ସମସ୍ତ ମାଛିକୁ ଡିମ୍ଵରୁ ମାଛି କରି ଆକାଶରେ ଉଡ଼େଇଛି ସେ ରାଣୀ ମା’ର ସୃଜନଶକ୍ତି ଲୋପ ପାଇ ଗଲେ ତାର ମଧ୍ୟ ଆଉ ମହୁଫଣାରେ ବଞ୍ଚି ରହିବାର ଅଧିକାର ନଥାଏ । ଯୁବରାଣୀ ମାଛିର ଉଦୟ ଓ ବିକାଶ ହେବା ସଙ୍ଗେ ସଙ୍ଗେ ବୁଢ଼ୀ ରାଣୀ ତା’ ମରଣ ଲୋଡ଼ି ଆଣେ । ନିଜେ ଯଦି ବୁଢ଼ୀ ରାଣୀ ନ ମଲା ଏତେ ଦିନ ଧରି ଯେଉଁ ଧାଈମାନେ ତାର ଯତ୍ନ ନେଇ ଆସୁଥିଲେ, ତାକୁ ନାନା ରଙ୍ଗରେ ଶୃଙ୍ଗାର କରାଉ ଥିଲେ, ତା ଦିହରେ ଧୂଳି ଲାଗିଲେ ସହି ପାରୁ ନଥିଲେ, ତା ପାଇଂ ବିଷେଶଭାବେ ଖାଦ୍ୟସାର ଯୋଗାଉ ଥିଲେ ସେମାନେ ମିଶି ବିଦ୍ରୋହର ସ୍ଳୋଗାନ ଦେଇ ନିମିଷକେ ତାର ପକ୍ଷ ଉପାଡ଼ି ତାକୁ ତଳେ ପକେଇ ମାରନ୍ତି ।

 

ଯୁବରାଣୀ ହୁଏ ରାଣୀ । ମହୁମକ୍ଷିକା ସମାଜ ବର୍ତ୍ତମାନ ନୂଆଁ ରାଣୀର ସେବାରେ ଲାଗିଯାନ୍ତି, ନୂଆଁ ରାଣୀକୁ ଦେବୀ ପରି ମାନନ୍ତି ଏବଂ ତାର ନିର୍ଦ୍ଦେଶ ସଙ୍କେତକୁ ଶିରୋଧାର୍ଯ୍ୟ କରନ୍ତି । ନୂତନ ସଂସାର ଏକ ଦିନରେ ସୁରୁଖୁରୁରେ ଆରମ୍ଭ ହୋଇଯାଏ ।

 

ରାଣୀ ମାଛି ସିନା ତିନି ବର୍ଷ ଯାଏଁ ବଞ୍ଚେ, ବାକି ସବୁ ମାଛିଂକର ଆୟୁ ପ୍ରାୟ ତିନି ମାସ-। ତିନି ମାସର ପରମାୟୁ ଭିତରେ ମାଛିମାନେ ଅତୀତର ଅନୁଭୂତି ନେଇ ବର୍ତ୍ତମାନ ଓ ଭବିଷ୍ୟତ ଗଢ଼ି ଚାଲନ୍ତି । କାଳେ କୌଣସି ଝଡ଼ ତୋଫାନରେ କିମ୍ଵା ଅନ୍ୟ କୌଣସି ଦୌବୀଦୁର୍ବିପାକରେ କର୍ମଶୀଳା ମାଈ ମାଛିମାନଂକର ଯଦି ଅକାଳ ମୃତ୍ୟୁ ହୁଏ ତାହାହେଲେ ମହୁମାଛି ସଂସାର ରହିବ କିପରି ? ଗୋଟିଏ ମାତ୍ର ପୁରୁଷ ମାଛି ଥିଲେ ହେଲା । ତାର ସହବାସରେ ରାଣୀ ମାଛି ଯେଉଁ ବୀର୍ଯ୍ୟ ଧାରଣ କରିବ ସେ ବହୁ କାଳ ତହିଁରେ ଅଣ୍ତା ଦେବାକୁ ସକ୍ଷମ ହେବ । ସେତେବେଳେ ଅବସ୍ଥା ଦୃଷ୍ଟିରୁ ସେ ବହୁସଂଖ୍ୟକ ମାଇଁ ଅଣ୍ତା ଦେଇ ଯିବ । ଏ ଆଉ ଏକ ବିଚିତ୍ର ବିଧାନ-!

Image

 

ମାଛିର ଭବିଷ୍ୟତ ଜ୍ଞାନ

 

କର୍ମଶୀଳା ମାଈ ମାଛିର ପରମାୟୁ ଯେ ଅତି ବେଶୀ ହେଲେ ତିନି ମାସ, ସେ ତାହା ଆଗରୁ ଜାଣିଥାଏ । ତାର ଆୟୁର୍ବଳ ଭିତରେ ସେ ଖଟି ଖାଇବା ହିଁ ଜାଣେ । ଅକର୍ମ ଶୀଳ ଜାଣେ ନା ତାର କେତେବେଳେ ମରଣ ହେବ । ପୁରୁଷ ମାଛିର ଭାଗ୍ୟ ନାରୀ ମାଛି ହାତରେ । ନାରୀ ମାଛିର ଚିତ୍ତ ଜାଣିବା ପୁରୁଷ ମାଛି ପକ୍ଷରେ ସମ୍ଭବ ନୁହେ । ନାରୀ ହାତରେ ପୁରୁଷର ଜୀବନ ମରଣ ନିହିତ । ଅଣ୍ତିରା ମାଛି ଦେଖେ ତାର ବଂଶ ବଢ଼ୁଛି, ତାର ସଂଖ୍ୟା ବଢ଼ୁଛି । ମାଈ ମାଛି ଦେଖେ ମାଈଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ମୁହୁର୍ମୁହୁଃ ବଢ଼ି ଚାଲିଛି । ମାଈ ମାଛିମାନଙ୍କ ଶ୍ରମଲବ୍ଧ ମଧୁଭଣ୍ତାର ଲୁଣ୍ଠନ ପାଇଁ ପୁରୁଷପୁଙ୍ଗବମାନେ ଯେତେବେଳେ ତତ୍ପର ହୁଅନ୍ତି ସେତେବେଳେ ନାରୀ ପୁରୁଷ ମଧ୍ୟରେ ଆସିଯାଏ ଭୀଷଣ ସଂଘର୍ଷ । ବୀର୍ଯ୍ୟବନ୍ତ କେତୋଟି ପୁରୁଷ ମାଛିଙ୍କ ବ୍ୟତୀତ ପ୍ରାୟ ସମସ୍ତ ପୁରୁଷ ମାଛିର ପକ୍ଷ ଉପୁଡ଼େଇ ନାରୀ ମାଛିମାନେ ମାରି ଦିଅନ୍ତି । ପୁରୁଷ ମରଣର କାଳ ନଥାଏ ବେଳ ନଥାଏ । ରାଣୀ ମାଛିର ସଂଗୃହୀତ ପୁରୁଷ ବୀର୍ଯ୍ୟ ନିଃଶେଷ ହୋଇଗଲେ ସେ ନାରୀ ଅଣ୍ତା ନଦେଇ ପୁରୁଷ ଅଣ୍ତା ଦେଇ ଯାଏ । ଚାହୁଁ ଚାହୁଁ ସପ୍ତାହକ ଭିତରେ ପୁରୁଷ ମାଛିଙ୍କ ସଂଖ୍ୟା ବଢ଼ିଯାଏ । ନାରୀମାନେ ସେତେବେଳେ ପ୍ରମାଦ ଗଣନ୍ତି । ନାରୀ ଜାଣେ ତାର ପରମାୟୁ ତିନି ମାସ । ସେହି ତାର ଆୟୁର୍ବଳ ଭିତରେ ତାକୁ ତାର ଭବିଷ୍ୟତ ଗଢ଼ିବାକୁ ହେବ ଏବଂ ବଂଶପରଂପରା ରକ୍ଷା କରିବାକୁ ହେବ । ତେଣୁ ସେ ବୀପ୍ଳବର ସୁତ୍ରପାତ କରେ । ଏକାଦିନକେ ବୀର୍ଯ୍ୟଦାନ ପୁରୁଷମାଛି କେତୋଟିକୁ ଛାଡ଼ି ବାକି ସବୁ ପୁରୁଷ ପୁଅଙ୍କୁ ନାରୀମାନେ ଧ୍ଵଂସ କରି ଦିଅନ୍ତି । ନାରୀ ହାତରେ ପୁରୁଷର କେତେବେଳେ ପ୍ରାଣ ଯାଏ, ପୁରୁଷ ଜାଣେନି । ପୁରୁଷ ଜାଣେନି ନାରୀର ଚିତ୍ତ । ଆର୍ଯ୍ୟ ଋଷି ସେଇଥି ପାଇଁ କହିଯାଇଛନ୍ତି “ନାରୀସ୍ୟ ଚିତ୍ତ ପୁରୁଷସ୍ୟ ବିତ୍ତ (ଭାଗ୍ୟ) ଦେବେ ନ ଜାନାନ୍ତି କୁତଃ ମନୁଷ୍ୟଃ” –ନାରୀର ଚିତ୍ତ, ପୁରୁଷର ବିତ୍ତ (ଭାଗ୍ୟ) ଦେବତାମାନେ ଜାଣନ୍ତି ନାହିଁ; ମନୁଷ୍ୟ ଜାଣିବ କାହୁଁ ?

 

ରାଣୀ ମାଛି କେତେବେଳେ ବୁଢ଼ୀ ହୋଇଯିବ, ମାଈ ମାଛିଏ ଜାଣି ଯାନ୍ତି । ରାଣୀ ମା’ ବୁଢ଼ୀ ହୋଇଯିବାର ଜାଣି ମାଈ ମାଛିମାନେ ଆଗରୁ ଯୁବତୀ ମାଛିଙ୍କୁ ବାଛି ରଖନ୍ତି । ରାଣୀ ମାଛି ଝିଅ ଜନ୍ମ ନଦେଇ କେବଳ ପୁଅ ଜନ୍ମ ଦେବାର ଜଣାଗଲେ ଦିନେ ରାଣୀ ବୁଢ଼ୀକି ଧରି ମଧୁ ଦୁର୍ଗର ନାରୀ ନାଗରିକାମାନେ ତାର ପକ୍ଷ ଉପୁଡ଼େଇ ଛାଡ଼ି ଦିଅନ୍ତି । ବୁଢ଼ୀ ରାଣୀ ଉଡ଼ି ନପାରି ଜନ୍ଦା ପିମ୍ପୁଡ଼ି ମୁହଁରେ ଯାଏ । ଯେଉଁ ଯୁବତୀ ମାଛି ଗର୍ଭଧାରଣ କରିଥାଏ ତାକୁ ରାଣୀ ପଦରେ ଅଭିଷିକ୍ତ କରାଯାଏ । ସେ ଦିନ ମାଛିମାନଙ୍କର ମହୋତ୍ସବ ହୁଏ । ମହୁ ପରିବେଷଣର ସୀମା ଟପି ଯାଏ ।

 

ମାଈ ମାଛିମାନେ ରାଣୀ ମାଛିର କାଳ ପୂରିଆସିବାର ଜାଣି ପାରି କୁମାରୀ ମାଛିମାନଙ୍କୁ ପୁରୁଷଶ୍ରେଷ୍ଠ ମାଛିମାନଙ୍କ ସହିତ ଉଡ଼ି ଆସିବାକୁ ନିର୍ଦ୍ଦେଶ ଦେଇ ଥାନ୍ତି । ଯେଉଁ ଯୁବତୀ ଯୁବକ ସହିତ ସହବାସ କରି ଯୁବକକୁ ବନ ଭୂମିରେ ନିଃଶେଷ କରି ଆସିଥାଏ ସେହି ଯୁବତୀର ଗର୍ଭବାସ ହୋଇଥାଏ ବୋଲି ନାରୀ ମାଛିମାନେ ଜାଣି ଥାନ୍ତି । ବୁଢ଼ୀ ରାଣୀର ପତନ ବା ମରଣ ହେଉ ହେଉ ଯୁବରାଣୀର ଅଭିଷେକ ହୁଏ । ରାଣୀ ଉଆସରେ ସସ୍ଵତ୍ତ୍ଵା ଯୁବରାଣୀକି ଉଚ୍ଚ ଆସନ, ଶ୍ରେଷ୍ଠ ଖାଦ୍ୟ, ବିଶେଷ ଯତ୍ନ ମିଳିଥାଏ । ରାଣୀ ଆସନରୁ ସେ ନିର୍ଦ୍ଦେଶ ଦିଏ । ତାର ଆଦେଶ ହୁଏ ମହୁମାଛି ପରିବାରର ଶିରୋଧାର୍ଯ୍ୟ । ତାରି ସେବାରେ ସମସ୍ତେ ଦିନ ରାତି ଲାଗନ୍ତି ।

 

ମହୁମାଛି ସମାଜର କେବଳ ଗୋଟିଏ ମାତ୍ର ରାଣୀ । କିନ୍ତୁ ସେହି ଗୋଟିକ ରାଣୀର ଆପଦ ବିପଦରେ ଆଉ ଜଣେ ପ୍ରସ୍ତୁତ ଥିବା ଦରକାର । ସେପରି ହୃଷ୍ଟାପୁଷ୍ଟା କୁମାରୀମାନଙ୍କୁ ମାଈ ମାଛିମାନେ ପ୍ରସ୍ତୁତ ରଖିଥାନ୍ତି ଏବଂ ସେମାନଙ୍କ ପାଇଁ ଶ୍ରେଷ୍ଠ କୁମାରମାନଙ୍କୁ ପ୍ରସ୍ତୁତ ରଖିଥାନ୍ତି । ଧାଈମାନେ ସେମାନଙ୍କ ପାଇଁ ପୃଥକ ଗମ୍ଭୀରୀ ତୋଳି ଦେଇ ଥାନ୍ତି । ରାଣୀ ମା’ର ପେଟ ଫଳିବା ବନ୍ଦହୋଇ ଆସିଲେ ଧାଈ ମା’ମାନେ କୁମାରୀମାନଙ୍କୁ କୁମାରମାନଙ୍କ ସଙ୍ଗେ ଉଡ଼ି ଆସିବାକୁ ସଙ୍କେତ ଦିଅନ୍ତି ।

 

ଯୁବତୀ ମାଛିଟିଏ ଗର୍ଭବତୀ ହେବାର ଜଣାଗଲା ଦିନ ବୁଢ଼ୀ ଅକର୍ମଣ୍ୟା ରାଣୀର ମରଣ ହୁଏ । ମାଈ ମାଛିମାନେ ନୂଆଁ ରାଣୀକି ଉଆସରେ ଭରତି କରି ବୁଢ଼ୀ ରାଣୀର ପର ଉପୁଡ଼େଇ ତଳେ ପକେଇ ଦିଅନ୍ତି ।

 

ଯୁବତୀ ରାଣୀ ଅଣ୍ତା ପ୍ରସବ କରି ଜାଣିଲେ ମହୁମାଛିଙ୍କ କୁଳରକ୍ଷା ହୁଏ । ଅନ୍ତତଃ ତିନି ବର୍ଷ ମା’ ରାଣୀଙ୍କୁ ନେଇ ମାଛି ସଂସାର ଚଳେ । ମା’ ରାଣୀର ବାରମ୍ଵାର ନିର୍ବାଚନରେ, ଅକର୍ମାମାନଙ୍କର ଥରକୁ ଥର ଧ୍ଵଂସସାଧନରେ, ମାଈ ମାଛିମାନଙ୍କ ଜାଗ୍ରତ ତତ୍ପରତାରେ ଗୋଟିଏ ଗୋଟିଏ ମହୁଫଣା ପ୍ରାୟ ପଚାଶ ବର୍ଷ ତିଷ୍ଠି ରହେ । ମହୁମାଛି ଦଳ ମଧ୍ୟ ବର୍ଷ ବର୍ଷ ଧରି ବଞ୍ଚି ରହେ । ତିନି ତିନି ବର୍ଷରେ ରାଣୀ ମା’ର ମୃତ୍ୟୁ ହୁଏ, ତିନି ତିନି ମାସରେ ଅକର୍ମା ପୁରୁଷ ମାଛିମାନଙ୍କର ମୃତ୍ୟୁ ହୁଏ, ପୁରୁଷ ମାଛିଙ୍କ ସଂଖ୍ୟା ବୃଦ୍ଧିରେ ସେମାନଙ୍କର ନିହନନ ହୁଏ, ତଥାପି ମାଛି ବଂଶପ୍ରାୟ ଅନ୍ୟୁନ ପଚାଷ ବର୍ଷ ଅକ୍ଷୁର୍ଣ୍ଣ ରହେ । ଏହା ମାଈ ମାଛିମାନେ ଆଗରୁ ଜାଣନ୍ତି, ଜାଣନ୍ତି ମଧ୍ୟ ଆପଦ ବିପଦ ।

Image

 

ବିଚିତ୍ର ବନ୍ଧନ

 

ଆଗରୁ କୁହାଯାଇଛି ଶ୍ରମ, ସହଯୋଗ ଓ ସଂଚୟ ହିଁ ମହୁ ଫଣାର ମୂଳପିଣ୍ତ । ସେହି ଭିତ୍ତି ଉପରେ ମହୁମାଛି ପରିବାର ବଞ୍ଚିରହେ । ବଞ୍ଚିବା ପାଇଁ ପ୍ରତ୍ୟେକ ମାଛି ପ୍ରତ୍ୟେକ ଅପର ମାଛି ସହିତ ସମ୍ଵନ୍ଧ ରଖିଥାଏ । ତାର ବ୍ୟକ୍ତିତ୍ଵ ନାହିଁ, ସ୍ଵାର୍ଥ ନାହିଁ, ନିଜସ୍ଵ ନାହିଁ । ସମାଜ ପରିବାରହିଁ ମାଛିର ବ୍ୟକ୍ତିତ୍ଵ । ସମସ୍ତ ପରିବାରର ପ୍ରୟୋଜନହିଁ ମାଛିର ସ୍ଵାର୍ଥ । ସମାଜକୁ ବଞ୍ଚାଇବାକୁ ପୁରୁଷମାଛି ମରିବାକୁ କୁଣ୍ଠାବୋଧ କରେ ନାହିଁ । ବସୁଧା ତାର କୁଟୁମ୍ଵ । କୁଟୁମ୍ଵ ରକ୍ଷା ନିମନ୍ତେ ସେ ମରଣ ବରଣ କରେ ।

 

ରାଣୀ ମାଛିର ସେବାରେ, ଅଣ୍ତାମାନଙ୍କ ଯତ୍ନରେ, ଛୁଆମାନଙ୍କୁ ମଧୁପରିବେଷଣରେ ମାଈ ମାଛିମାନେ ଦିବାନିଶି ଖଟି ଖଟି ତିନିମାସ ଭିତରେ ପ୍ରାଣପାତ କରନ୍ତି । ସେମାନଙ୍କ ଅନ୍ତିମ କାଳ ଆସି ଯିବାର ସେମାନେ ଜାଣନ୍ତି । ଅନ୍ତିମ ସମୟ ଆସିବା ପୂର୍ବରୁ ମାଈ ମାଛିମାନେ ନୂତନ ସମାଜକୁ ଗଢ଼ି ନେଇଥାନ୍ତି । ମାଈମାଛିମାନଙ୍କ ପରମାୟୁ ପୂରିଯିବା ପୂର୍ବରୁ ରାଣୀ ମା’ ଖାଇପିଇ ବଳିଷ୍ଠ ହୋଇଥାଏ । ଘରାମାନଙ୍କରେ ଯଥେଷ୍ଟ ପରିମାଣ ମାଈଅଣ୍ତା ଦିଆ ହୋଇଥାଏ । ଅତିରିକ୍ତ ଅକର୍ମା ପୁରୁଷ ମାଛିଙ୍କ ସଂଖ୍ୟା ହ୍ରାସ କରାଯାଇଥାଏ, ଯୁବତୀ କୁମାରୀ ମାଛିଙ୍କୁ ବଛା ବଛା କୁମାର ମାଛିଙ୍କ ସହିତ ଉଡ଼ି ଆସିବାର ଶିକ୍ଷା ଦିଆଯାଇ ଥାଏ ।

 

କୌଣସି ମାଛି ମରିଗଲେ ମହୁତାଟରେ କୌଣସି କାମ ବନ୍ଦ ହୁଏ ନାହିଁ । ରାଣୀମାଛି ମରୁ ମରୁ ଯୁବରାଣୀର ଅଭିଷେକ ହୋଇଯାଏ । ରାଣୀ ମାଛିର କାଳ ପୂରିବାର ଜଣାଯାଏ ସେତେବେଳେ ଯେତେବେଳେ ସେ କେବଳ ପୁଅ ଅଣ୍ତାଦିଏ । ତାର ବୀର୍ଯ୍ୟସ୍ଥଳୀ ସେତେବେଳକୁ ନିଃଶେଷ ହୋଇ ଯାଇଥାଏ । ସେତେବେଳେ ଯୁବ ରାଣୀକି ରାଣୀ ଆସନରେ ବସାଇ ରାଣୀର ସମାଧି ନ ଦେଲେ ମହୁମାଛି ସଂପ୍ରଦାୟର ଆଉ ରକ୍ଷା ନାହିଁ । ଗୁଡ଼ାଏ ପୁଅ ହେଲେ ଭଣ୍ତାର ଜୁରି ଖାଇଯିବେ ଏବଂ ନିଷ୍କର୍ମା ହୋଇ ବସିବେ । ତେଣୁ ଧାଈ ବା ମାଈମାଛି ମାନେ ଆଗରୁ ପଥ ପରିଷ୍କାର କରି ଦେଇଥାନ୍ତି ।

 

ରାଣୀ ମା’ ଅଣ୍ତା ଦିଏ ସତ କିନ୍ତୁ ଛୁଆଙ୍କୁ ପାଳି ଜାଣେନା । ଛୁଆଙ୍କ ଲାଳନ ପାଳନ କରନ୍ତି ମାଈ ବା ଧାଈ ମାଛି । କର୍ମଶୀଳା ମାଈ ବା ଧାଈ ମାଛିମାନେହିଁ ଘରା ତୋଳନ୍ତି, ମହୁ ସଂଗ୍ରହ କରନ୍ତି, ମହଣ ତିଆରି କରନ୍ତି, ଫଣା ଗଢ଼ନ୍ତି, ଛୁଆଙ୍କ ଯତ୍ନ ନିଅନ୍ତି, ରାଣୀ ଦେହରେ ମଳି ଧୂଳି ରଖେଇ ଦିଅନ୍ତି ନାହିଁ । ମାଈ ବା ଧାଈମାଛି ମାନେ ଯଦି ସବୁକାମ ନ କରନ୍ତେ, ରାଣୀ ମା’ ହାତରେ ତ କିଛି ହୁଅନ୍ତା ନାହିଁ କିମ୍ଵା ଅକର୍ମା ପୁଅ ଗୁଡ଼ାକ କିଛି କାମ ନକରି ଖାଲି ମହୁ ଶୋଷି ନିଅନ୍ତେ । ଫଳରେ ମାସ ତିନିଟା ଭିତରେ ମହୁମାଛି ପରିବାରର ବଂଶ ବୁଡ଼ିଯାନ୍ତା ।

 

ଅତଏବ ମାଈ ମାଛିମାନେ ମାଛି ପରିବାରରେ ପରସ୍ପର ସମ୍ଵନ୍ଧ ରଖି ଚଳନ୍ତି । ମାଈ ବା ଧାଈ ମାଛିମାନେ ଯଦି ଗୋଟିକ ପରେ ଗୋଟିଏ ଟଳି ପଡ଼ୁଛନ୍ତି, ରାଣୀ ମା’ ବୁଢ଼ୀହୋଇ ମାଈଅଣ୍ତା ନ ଦେଇ କେବଳ ପୁଅ ଅଣ୍ତା ଦେଉଛି ଏବଂ ପୁଅ ଗୁଡ଼ାକ ସାଲୁବାଲୁ ହୋଇ ମହୁ ଭଣ୍ତାର ଶୋଷଣ କରିବାରେ ଲାଗିଛନ୍ତି ସେତିକିବେଳେ ମହୁ ଫଣାର କାଳ ଆସିଗଲା ବୋଲି ଜାଣିବାକୁ ହୁଏ । ସେତିକିବେଳେ ଶିକ୍ଷିତା କୁମାରୀ ମାଛି ଗର୍ଭବତୀ ହୋଇ ମାଈ ଅଣ୍ତା ଯଦି ନ ଦିଏ ମହୁମାଛି ପରିବାରର ପରମାୟୁ ତୁଟିଯାଏ ।

 

ତେଣୁ ରାଣୀ ମାଛି ଥାଉ ଥାଉ ଦଳକୁ ଦଳ କୁମାରମାଛିଙ୍କୁ କୁମାର ମାଛିଙ୍କ ସହିତ ଉଡ଼ି ଆସିବାକୁ ଧାଈ ମାନେ ଶିକ୍ଷା ଦିଅନ୍ତି । କେବେ କିମିତି ମାଛିଙ୍କ ବଂଶ ବୁଡ଼େ । କିନ୍ତୁ ମାଈ ମାଛିମାନେ ସଦା ସର୍ବଦା ନିଜର ବଂଶରକ୍ଷା ପାଇଁ ପ୍ରାଣପଣେ ପ୍ରୟାସ କରନ୍ତି । ସେହିମାନଙ୍କ ପ୍ରୟାସରେ ମହୁଫଣା ଚାଳିଶ ପଚାଶ ବର୍ଷରହେ । ଏକ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଉଡ଼ିଗଲେ ମଧ୍ୟ ମହୁମାଛିମାନେ ନିଜ ନିଜର କୁଟୁମ୍ଵ ପରିବାର ସହ ଉଡ଼ିଯାନ୍ତି । ମାଛିମାନଙ୍କ ପରସ୍ପର ଅନୁରାଗ, ପରସ୍ପର ସହାୟତା, ପରସ୍ପର ସହାନୂଭୂତି, ପରସ୍ପର ସମ୍ଵନ୍ଧ ଏକ ଆଶ୍ଚର୍ଯ୍ୟ ବ୍ୟାପାର । ଜୀବ ସମାଜର ଏ ଏକ ବିଚିତ୍ର ବନ୍ଧନ ।

Image

 

ଚିହ୍ନା ପରିଚୟ

 

ନିଜ ଦଳର ଯେ କୌଣସି ମାଛିଙ୍କ ନିଜ ଦଳର ଯେ କୌଣସି ମାଛି ଚିହ୍ନେ । ବିସ୍ତୀର୍ଣ୍ଣ ପୋଖରୀ ମଝିରେ ଫୁଟିଛି କଇଁ ବା ପଦ୍ମ ଫୁଲ । ମହୁ ଫଣାରୁ ବାହାରି ମାଈ ମାଛିମାନେ ଉଡ଼ିଯାଇ କଇଁ ଫୁଲ କିମ୍ଵା ପଦ୍ମ ଫୁଲ ଭିତରେ ପଶି ମଧୁ ସଂଗ୍ରହ କରୁ କରୁ ସେମାନେ ଛିନ୍ନ ଭିନ୍ନ ହୋଇ ଯାନ୍ତି । ଗୋଟିଏ ମାଛି ଏକୁଟିଆ ଅପନ୍ତରା ଫୁଟନ୍ତା ଫୁଲ ଭିତରେ ପଡ଼ି ଯାଏ । ସେ ଯଦି ନିଜ ଦଳର ମାଛିକି ସେତେବେଳେ ଦେଖେ ତାକୁ ସେ ଶୁଙ୍ଗି ନିଏ । ଆଘ୍ରାଣରୁ ସେ ଜାଣିଯାଏ ଯେ ଅନ୍ୟ ମାଛିଟି ତା ଦଳର ମାଛି, ତା ମହୁଫଣାର ମାଛି । ମାଛି ଯଦି ଅନ୍ୟ ଫଣାର ହୋଇଥାଏ ସେ ସେଠାରୁ ତାର ମଧୁ ଟିକିକ ସଂଗ୍ରହ କରି ନିଜ ଦଳ ସହିତ ମିଶି ଯାଏ, ଅଥବା ନିଜ ଫଣାକୁ ଉଡ଼ିଆସେ ।

 

ପ୍ରତ୍ୟେକ ମହୁଫଣାର ପୃଥକ ପୃଥକ ବାସନା ଥାଏ । ମାଛି ନିଜ ଦଳର ମାଛିର ବାସନା ନିଜେ ବାରି ନିଏ । କୌଣସି ଅନ୍ୟ ଏକ ଫଣାରୁ ମାଛି ଦଳେ ଉଡ଼ିଆସି ଯଦି ମାଛିଙ୍କ ଫଣାରେ ପ୍ରବେଶ କରନ୍ତି, ଜଗୁଆଳୀ ମାଈ ମାଛିମାନେ ସେମାନଙ୍କୁ ମାରି ମାରି ତଡ଼ି ଦିଅନ୍ତି । କୌଣସି କାରଣରୁ ଏକ ଫଣାର ମାଛିମାନେ ଯଦି ନିଜ ଫଣାର କେତୋଟି ମାଛିଙ୍କୁ ମାରି ବସାରୁ ତଡ଼ି ଦିଅନ୍ତି ତେବେ ବିତାଡ଼ିତ ମାଛିମାନେ ଉଡ଼ି ଉଡ଼ି ନିଜର ମାତୃ ଫଣାର ଗନ୍ଧ ହରେଇ ବସନ୍ତି । ସେହି ବିତାଡ଼ିତ ମାଛିମାନେ ଯଦି କାଳେ ନିଜ ମାତୃ ଫଣାକୁ ଫେରି ଆସନ୍ତି ସେମାନଙ୍କ ଗନ୍ଧ ବାରି ଧାଈ ବା ମାଈ ମାଛିମାନେ ସେମାନଙ୍କୁ ଘରାରେ ସ୍ଥାନ ଦିଅନ୍ତି ନାହିଁ ।

 

ନିଜ ଦଳର, ସମାଜର, ସଂପ୍ରଦାୟର ନିୟମ ମାନି ନ ଚଳିଲେ ମାଛିମାନେ ତଡ଼ା ଖାନ୍ତି-। ବିତାଡ଼ିତ ମାଛି ଅଘରୀ ହୋଇ ଏ ଡାଳ ସେ ପତ୍ର ବୁଲନ୍ତି । ବୁଲୁ ବୁଲୁ ସେମାନେ ନିଜ ପରିବାରର ମହୁଫଣାର ଗନ୍ଧ ହରାଇ ବସନ୍ତି । ଥରେ ନିଜ ପରିବାରର ଗନ୍ଧ ହରେଇ ଦେଲେ ସେମାନେ ନିଜ କୁଟୁମ୍ଵର ହୋଇଯାନ୍ତି ଅପରିଚିତ ଅଚିହ୍ନା । ସେତେବେଳେ ସେମାନଙ୍କର ଅପନ୍ତରାରେ ଅଘରୀ ଅବସ୍ଥାରେ ମୃତ୍ୟୁ ହୁଏ ଅନିବାର୍ଯ୍ୟ ।

 

ନିଜର ଗୃହ, ନିଜର କୁଟୁମ୍ଵ ପରିବାର, ନିଜର ଗୋଷ୍ଠୀର ନିୟମ ମାନି ଚଳିବା ନିୟମ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବା ହେଉଛି ମହୁମାଛିଙ୍କ ନିତ୍ୟ କର୍ତ୍ତବ୍ୟ । ଯେଉଁ ମାଛି ନିୟମ ନ ମାନି କର୍ତ୍ତବ୍ୟ ନ ପାଳି ଗୋଠଛଡ଼ା ହୋଇ ଯାଏ, ତାର ଗତି ନାହିଁ ମୁକ୍ତି ନାହିଁ । ମଣିଷ ସମାଜ ଛାଡ଼ିଲେ ମଣିଷ ଅରଣ୍ୟରେ କନ୍ଦମୂଳ ଖାଇ ଝରଣାର ପାଣି ପିଇ ହୁଏ ଯୋଗୀ ତପସ୍ଵୀ । କିନ୍ତୁ ମହୁମାଛି ତାର ପଲ, ତାର ଗୋଷ୍ଠୀ ଛାଡ଼ିଲେ, ତାର ହୁଏ ଅକାଳ ମୃତ୍ୟୁ ।

 

ନିର୍ଦ୍ଦିଷ୍ଟ ମାଛି ପଲର ମାଛି ଯେତେ ଯୋଜନ ଦୂରରେ ଥାଉ ସେ ତାର ନିଜ ପଲର ମାଛିକି ତ ଚିହ୍ନିନିଏ, ତା’ ସହିତ ଏକତ୍ର ମଧୁ ସଂଗ୍ରହ କରି ନିଜ ମାତୃ ଗୃହକୁ ଫେରି ଆସେ । କୌଣସି ମାଛି ଯଦି ଅନ୍ୟ ମହୁତାଟର ମାଛିମାନଙ୍କ ସହିତ ଦୈବାତ୍ ମିଶି ଯାଏ ଏବଂ ସେ ଦିନ ସେ ନିଜର ମାତୃ ଗୃହକୁ ଫେରି ଆସେ ନାହିଁ, ରାତି ପାହୁ ପାହୁ ଧାଈ ମାଛିମାନେ ତାର ଅନୁପସ୍ଥିତି ବାରି ଯାନ୍ତି । ସକାଳେ ସେ ବସାକୁ ଉଡ଼ି ଆସୁ ଆସୁ ଫଣାର ମାଛିମାନେ ତା ଦିହରେ ଶୁଙ୍କ ମାରି ଦିଅନ୍ତି । ଶୁଙ୍କ ପ୍ରହାରରେ ସେ ଆଉ ମାତୃ ନିବାସରେ ପଶିବାକୁ ସାହସ କରେ ନାହିଁ ।

 

ନିଜ ଦଳକୁ ଏବଂ ଦଳର ବ୍ୟକ୍ତିବିଶେଷକୁ ଚିହ୍ନିବା ଏବଂ ଅନ୍ୟ ଦଳର ମାଛିକି ବାରିବା ବଡ଼ କର୍ତ୍ତବ୍ୟ । ଯେ କି ନିଜର ଭାଇ ଭଉଣୀଙ୍କି ଚିହ୍ନିଲା ନାହିଁ ଏବଂ ଅପର ଦଳର ମାଛିକି ଦେଖି ତା ମୋହରେ ପଡ଼ି ରାତିଏ ଅନ୍ୟତ୍ର କଟେଇ ଦେଲା ତାଠି କି ବିଶ୍ଵାସ ? ଯେ ଘର ନ ଚିହ୍ନି ପରକୁ ଚିହ୍ନିଲା, ମିତ୍ରକୁ ନ ଆଦରି ଶତ୍ରୁକୁ ଆଦରିଲା ତାର ନିଜ ଘରେ ଠାବ କାହିଁ ?

 

ପ୍ରାଚୀନ ଭାରତର ଆର୍ଯ୍ୟ ପରଂପରା ଥିଲା ସେୟା । ଛାର ଧୋବଣୀ ବାପଘରକୁ ଯାଇ ରାତିଟା ବାପଘରେ କଟେଇ ଦେଲା ବୋଲି ଧୋବା ତାକୁ ଛାଡ଼ପତ୍ର ଦେବାକୁ ବସିଥିଲା । ଧୋବଣୀ ସୀତା ଠାକୁରାଣୀଙ୍କି “ଲଛ” ଦେଲା । ଦୁର୍ମୁଖ ଧୋବଣୀ ବଚନ ଶୁଣି ଆସି ରାମକୁ ଜଣେଇଲା । ରାମ ସୀତା ପରି ସୀତାଙ୍କୁ ବଣରେ ଛାଡ଼ିଦେଲେ । ଲକ୍ଷ୍ମଣ ରାମଙ୍କର ସୀତାଙ୍କୁ ବନରେ ଛାଡ଼ି ଆସିବା ଆଦେଶ ମାନିଲେ ।

Image

 

ମଧୁ ସଂଗ୍ରହ

 

ମଧୁ ସଂଗ୍ରହ ହେଉଛି ମାଛିର ବାହାର ଜଗତର କାମ । କର୍ମଶୀଳା ମାଇମାଛି ମାନେହିଁ ସାଧାରଣତଃ ମଧୁସଂଗ୍ରହ ପାଇଁ ପଲ ପଲ ଉଡ଼ିଯାନ୍ତି । ମହୁ ଫଣାରୁ ବାହାରୁ ବାହାରୁ ସେମାନେ ଦୁଇ ତିନୋଟି ପଲ୍ଲରେ ବିଭକ୍ତ ହୋଇଯାନ୍ତି । ଆଗରୁ କେଉଁ ପଲ କେଉଁ ଦିଗରେ ଯାଇ ମହୁ ସଂଗ୍ରହ କରିବେ ନିର୍ଦ୍ଦିଷ୍ଟ ହୋଇ ଯାଇଥାଏ । ବହୁତ ଲୋକରେ ମୂଷା ମରେ ନାହିଁ । ଏ ନୀତି ମହୁମାଛିମାନେ ଭଲ ଜାଣନ୍ତି । ସେଥିପାଇଁ ଗୁ଼ଡ଼ାଏ ମିଶି ଏକ ପଲରେ ଯାନ୍ତି ନାହିଁ । ଯେତିକି ସଂଖ୍ୟକ ହେଲେ ନିରୋଳା ଉଦ୍ୟାନରୁ ମଧୁଚୟନ ହୋଇ ପାରିବ, ବୃଥା କାଳ କ୍ଷେପ ନ ହେବ ଏବଂ ଶତ୍ରୁ ଦଳ ସହିତ ସଂଘର୍ଷ ଉପୁଜିଲେ ନିଜର ପଲକୁ ଓ ନିଜ ଦଳର ସଂଗୃହୀତ କୁସୁମପରାଗକୁ ସଂରକ୍ଷିତ କରି ହେବ ସେତିକି ସଂଖ୍ୟକ ମାଛି ଦଳ ଦଳ ହୋଇ ନିର୍ଣ୍ଣିତ କ୍ଷେତ୍ରମାନଙ୍କୁ ଉଡ଼ିଯାନ୍ତି ।

 

କେଉଁ ଫୁଲରୁ କେତେ ରସ ମିଳେ ମହୁମାଛିମାନଙ୍କର ଅନୁଭୂତି ଥାଏ । ସୁବାସିତ କୁସୁମରୁ ମିଳେ ବେଶୀ ପରିମାଣରେ ମଧୁ । ନିର୍ଗନ୍ଧାଇବ କିଂଶୁକା । ପଲାସ ଫୁଲ ଦେଖିବାକୁ ସୁନ୍ଦର ତାର ଗନ୍ଧ ନାହିଁ । ଗନ୍ଧହୀନ ପଲାସ ଫୁଲରୁ ମହୁମାଛି ରସ ପାଏ ନାହିଁ । ତେଣୁ ରଙ୍ଗ ଜରଜର ଦିଶିଲେହେଁ ମହୁମାଛି ପଲାଶଫୁଲର ପାଖମାଡ଼େ ନାହିଁ । କୟାଁଫୁଲର ସେତେ ବାସ ନାହିଁ-। କିନ୍ତୁ ମହୁମାଛି କୟାଁ ଫୁଲର ବାସ ବାରିପାରେ । ଆମ ଦେଶରେ କଥା ଅଛି ଛେଳି ନ ଖାଇ ଡାଳ ନାହିଁ, କମା ନ ଖାଇ ଫଳ ନାହିଁ । ଆନ୍ଧ୍ର ବ୍ରାହ୍ମଣମାନଙ୍କୁ ଆମେ କମା ବୋଲି କହୁ । ଗୋଲକୋଣ୍ତା ନବାବ ଅଧୀନରେ ଉତ୍ତର ସରକାର ରହିବା ଦିନରୁ ଗୋଲକୋଣ୍ତା ବେପାରୀ ଆନ୍ଧ୍ର ବ୍ରାହ୍ମଣମାନେ ଦକ୍ଷିଣ ଓଡ଼ିଶାକୁ ନବାବର ପ୍ରତିନିଧି ରୂପେ ଆସିଥିଲେ । ଇଁରେଜ ଅମଳରେ ପହିଲେ ପହିଲେ ସେମାନେ “ଦୋଭାଷୀ” ରୂପେ ନିଯୁକ୍ତ ହୋଇ ସରକାରଙ୍କ ଅସୁଲ ଓ ଖଜଣା ବିଭାଗ ଦଖଲ କରିନେଲେ । କଲିକତାର ଦିନେ ବଙ୍ଗାଳୀଏ ଆସି ଯେପରି ଉତ୍ତର ଓଡ଼ିଶାର ଜମିଦାରମାନ ନିଲାମରେ କିଣିନେଲେ, ସେପରି ଗାଦୀ, ନାରୀ, ବରାହ ଗିରି ଆଦି “କମା” ଜମି ଜାଗିରି ପାଇ ପ୍ରାଧାନ୍ୟ ଲାଭ କଲେ । ତଦବଧି କଥା ରହିଯାଇଛି ଧାନ ଖାଇଗଲା ଭମା, ଦେଶ ଖାଇଗଲା କମା-। କମାମାନେ ନିରାମିଷ ଭୋଜୀ । ଅତଏବ ସବୁ ଫଳ ସବୁ ଫୁଲରୁ ସେମାନେ ରସାସ୍ୱାଦନ କରନ୍ତି-। କୟାଁ ଫୁଲକୁ କମାମାନେ ମୁଗ ଡାଲିରେ ଛାଡ଼ି ତାକୁ ଲଙ୍କା ମରିଚ ମେଥି ପାନମହୁରି ବଘାରି ଏପରି ଏକ ପାଗ କରନ୍ତି ଯେ ତାକୁ ଖାଇ ଓଡ଼ିଆ ଭଣ୍ତାରୀ କମା ଘର ଛାଡ଼ିପାରେ ନାହିଁ-। ସେପରି ଯେ କୟାଁଫୁଲ ତାକୁ ମହୁମାଛି ଛାଡ଼ିବ କେମନ୍ତେ ?

 

ବଣର ମହୁଲ, ବନର ମାଳତୀ, ଫୁଟନ୍ତ ବଉଳ, ବିକଶିତ ଆମ୍ଵ ବଉଳ, ସୁଗନ୍ଧ କେରୁଆଁ, ପ୍ରସ୍ଫୁଟିତ କଦମ୍ଵ କୁସୁମ ମହୁମାଛି ମାନଙ୍କୁ ଯଥେଷ୍ଟ ଖାଦ୍ୟ ଯୋଗାନ୍ତି । କଇଁ ଓ ପଦ୍ମର କେଶର ପାଇଁ ମହୁମାଛି ବାୟା ହୋଇଯାଏ । ରାଜୋଦ୍ୟାନର ଗୋଲାପ, କରବିର, ଚମ୍ପକ, କେତକୀର ମହୁମାଛି ଯଥେଷ୍ଟ ପରାଗ ସଂଗ୍ରହ କରେ । କିଆ ବୋରେଇ ମାନଙ୍କର ପଲ ପଲ ମହୁମାଛି ଉଡ଼ି ବୁଲନ୍ତି ।

 

ସବୁ ମହୁମାଛି ସବୁ ଫୁଲ ଭିତରକୁ ପଶି ମହୁ ସଂଗ୍ରହ କରି ପାରନ୍ତି ନାହିଁ । ବିଞ୍ଛଣା କିମ୍ଵା ସାତପୁରୀ ମାଛି ତାର ଲମ୍ଵ ଜିଭ ଯୋଗୁଁ ଫୁଲ ଭିତରେ ପଶି ଜିଭରେ ମହୁ ଶୋଷଣ କରି ତାକୁ ଦୁଇ ଗୋଡ଼ ସନ୍ଧିରେ ପୂରେଇ ବହି ନେଇ ଆସେ । ପୋଖରୀର ପଦ୍ମ ଫୁଲକୁ ସବୁ ଶ୍ରେଣୀର ମହୁମାଛି ଯାନ୍ତି । କଦମ୍ଵର ବି ବଡ଼ ଆକର୍ଷଣ । ରାଶିଫୁଲ, ସୋରିଷଫୁଲ, ତିଳଫୁଲ, ମହୁମାଛିମାନଙ୍କୁ ବହୁ ପରିମାଣରେ ମହୁ ଯୋଗାଏ ।

 

ସେଥି ଯୋଗୁଁ ମହୁଚାଷୀମାନେ ଗୋଲାପ ଉଦ୍ୟାନ ନିକଟରେ କିମ୍ଵା ରାଶି, ସୋରିଷ, ତିଳ ବାଡ଼ ନିକଟରେ ପେଡ଼ିମାନଙ୍କରେ ପୋଷା ମାଛିଙ୍କୁ ପାଳନ୍ତି । ମହୁ ସଂଗ୍ରହ କରିବାକୁ ମହୁମାଛିମାନଙ୍କୁ ଯେତେ ଅଳ୍ପ ଦୂର ଉଡ଼ି ଯିବାକୁ ହୁଏ ସେମାନଙ୍କର ସେତେ ସୁବିଧା । ଯେତେ ଅଧିକ ଦୂର ଯାଇ ମଧୁ ସଂଗ୍ରହ କରିବାକୁ ହୁଏ ସେମାନଙ୍କର ସେତେ ବିପଦ, ସେତେ ଶ୍ରମ, ସେତେ ସମୟ ନଷ୍ଟି । ଅତଏବ ବଣର ମହୁମାଛି ତ ତାର ସଜ ସୁବିଧା ନେଇ କୁସୁମିତ ବନରେ ଘରା ତୋଳେ; କିନ୍ତୁ ପୋଷା ମାଛିଙ୍କ ପାଇଁ ଅତି ନିକଟରେ ଫୁଲ ବଗିଚା କିମ୍ଵା ରାଶି ସୋରିଷ ତିଳ ଶସ୍ୟ ଉତ୍ପାଦନ କରାଯିବା କେଦାର ବା ପଦର ଯୋଗାଇ ଦେବା ଉଚିତ ।

Image

 

ରାଣୀ ସଉତୁଣୀ

 

ଦଶରଥଙ୍କ ଯୁବତୀ ରାଣୀ କୈକେୟୀ ଦଶରଥଙ୍କ ମନ ମଙ୍ଗେଇ ଘର ଭଙ୍ଗେଇ ଦେଇଥିଲେ । କୈକେୟୀ ଯୁବରାଜ ରାମଚନ୍ଦ୍ରଙ୍କୁ ବନକୁ ପଠେଇ ସୀତାଙ୍କୁ ବନବାସିନୀ କରିଦେଲେ । ରାଜା ଦଶରଥ ବହୁପତ୍ନୀ ବିବାହ କରି ନ ଥାନ୍ତେ କି ସୁନ୍ଦରୀ ରୂପସୀ କୈକେୟୀଙ୍କ ରୂପ ମୋହରେ ପଡ଼ି ଏହାପରା କୁମାର ରାମଙ୍କୁ ବନକୁ ପେଶି ନ ଥାନ୍ତେ ଏବଂ ତାଙ୍କ ପୁତ୍ରବଧୂ ସତୀ ଶିରୋମଣି ସୀତାଙ୍କୁ ଲଙ୍କାର ରାବଣ ହରଣ କରି ନେଇ ନ ଥାନ୍ତା । ବହୁ ପତ୍ନୀ ଯେଉଁଠେ ଘର ଭାଙ୍ଗେ ସେଇଠେ । ବୋଇଲା, କଉଡ଼ି ନ ସଇଲେ ଦୋହଡ଼ା ଘର କର, କଳି ନଥିଲେ ଯୋଡ଼ା ମାଇପ କର ।

 

ସେହିପରି ଯେଉଁ ମହୁମାଛିମାନେ ନିଜର ମହୁ ଫଣାରେ ରାଣୀମାଛି ଥାଉ ଥାଉ ଏବଂ ମାଈ ଅଣ୍ତା ଦେଉ ଦେଉ ଆଉ ଏକ ମହୁମାଛିକି ଅଣ୍ତିରା ପୁଅ ମାଛିଙ୍କ ସହିତ ସଙ୍ଗମ ହେବାକୁ ଦିଅନ୍ତି ଏବଂ ତାର ଗର୍ଭବାସ ବିଧାନ କରାଇ ଦିଅନ୍ତି ସେହି ମହୁଘରା ଅଚିରେ ଭାଙ୍ଗିବାକୁ ବସେ । ସେହି ମହୁ ଫଣାର ଦଳ ଫାଟିଯାଏ । ରାଣୀମାଛି କର୍ମଶୀଳା ହୋଇ ଥାଉ ଥାଉ, ମାଈ ମାଛିର ଡିମ୍ଵ ଦେବାର ତାରଓଜ ବୀର୍ଯ୍ୟ ଥାଉ ଥାଉ, ଯଦି ଆଉ ଗୋଟାଏ ମାଈମାଛି ଗର୍ଭବତୀ ହୋଇ ରାଣୀର ଆସନ ଅଳଂକୃତ କରିବାକୁ ମାଛି ପଲର ସମର୍ଥନ ପାଏ, ତାହା ହେଲେ ଏତେଦିନ ଧରି ଘରର ଏକମାତ୍ର ଘରଣୀ ଥିବା ରାଣୀ ମାଛି ଦଳେ ମାଈ ମାଛି ଓ ପୁରୁଷ ମାଛିଙ୍କି ଭେଳେଇ ଗଗନ ଶିଖକୁ ଉଡ଼ିଯାଏ; ଉଡ଼ିଯାଇ ସାଙ୍ଗେ ସାଙ୍ଗେ ଏକ ଦୂରନ୍ତ ଉପବନରେ ମହୁଫଣା ନିର୍ମାଣ କରେ । ଦିନ କେତୋଟା ଭିତରେ ଅନୁଭୂତି ସଂପନ୍ନ ବୟସ୍କା ରାଣୀ ତାର ଧାଈ ପରିବାରୀମାନଙ୍କୁ ନେଇ ଏବଂ ପୁରୁଷ ମାଛିଙ୍କ ସଙ୍ଗ ସଂସ୍ପର୍ଶ ପାଇ ନୂତନ ଉତ୍ସାହରେ ମହୁମାଛିଙ୍କ ସଂସାର ଓ ମହୁଭଣ୍ତାର ନିର୍ମାଣ କରାଇ ନିଏ । ସେହିଦିନୁ ତାର ଜନ୍ମ ନିବାସକୁ ରାଣୀ ମାଛି ଛାଡ଼ପତ୍ର ଦିଏ ଏବଂ ତାର ନିର୍ଦ୍ଦେଶ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତା’ ସଙ୍ଗେ ଉଡ଼ି ଆସିଥିବା ମାଛିମାନେ ମଧ୍ୟ ଜନ୍ମ ନିବାସକୁ ଆଉ ମୁହଁ ଫେରାନ୍ତି ନାହିଁ ।

 

ଏଣେ ପୁରୁଣା ମହୁ ଘରାରେ ପୁରୁଣା ରାଣୀ ତା ଦଳ ବଳ ଧରି ଅଭିମାନରେ ଉଡ଼ିଗଲା ଦିନୁ ନୂଆଁ ରାଣୀ ଘରର ଘରଣୀ ହୋଇ ବସେ । ନୂଆଁ ରାଣୀର ସେବାରେ ମାଛି ପଲ ଲାଗିଯାନ୍ତି । ତାର ମନଧରି ସବୁ କାମ କରନ୍ତି । ତା ଦିହରେ ଧୂଳି ମଳି ରଖି ଦିଅନ୍ତି ନାହିଁ । ତାକୁ ମାର୍ଜନ ଓ ଶୃଙ୍ଗାର କରି ମାଈ ଅଣ୍ତା ଦେବାକୁ ଉତ୍ସାହିତ କରନ୍ତି । ରାଣୀକୁ ଭଲ ଭଲ ମହୁଖଜା ଖୁଆନ୍ତି । ତାର ବିଶ୍ରାମ ପାଇ ଭଳ କୋଠରୀ ତୋଳି ଦିଅନ୍ତି ।

 

ନୂଆଁ ନିର୍ବାଚିତ ରାଣୀମାଛି ନିର୍ଦ୍ଦିଷ୍ଟ ଘରାମାନଙ୍କରେ ଅଣ୍ତା ଦେଇଯାଏ । ପୁଅ ଅଣ୍ତାଙ୍କ ପାଇଁ ନିର୍ମିତ ଘରାରେ ପୁଅ ଅଣ୍ତା ଝିଅ ଅଣ୍ତାଙ୍କ ପାଇଁ ନିର୍ମିତ ଘରାରେ ଝିଅ ଅଣ୍ତା ଏବଂ ଭାବୀ ରାଣୀ ଅଣ୍ତା ପାଇଁ ନିର୍ମିତ ଘରାରେ ରାଣୀ ଅଣ୍ତା ଦେଇ ନୂଆଁ ରାଣୀମାଛି ଗୌରବ ଅନୁଭବ କରେ କନ୍ତୁ ଉଡ଼ି ଯାଇଥିବା ବୟସ୍କ ପ୍ରୌଢ଼ା ରାଣୀ ଦେଇ ଯାଇଥିବା ମାଈ-ଅଣ୍ତିରା-ରାଣୀ ଅଣ୍ତା ନିର୍ବିଶେଷରେ ସବୁ ଅଣ୍ତା ଗୁଡ଼ିକ ମାରି ପକାଏ । ଉଡ଼ିଯିବା ପ୍ରୌଢ଼ ରାଣୀର ଅଣ୍ତା ଗୁଡ଼ିକ ମରିଗଲେ ରାଣୀର ଧାଈ ପୋଇଲୀମାନେ ତାର ମନଜାଣି ସେହି ମଲା ଅଣ୍ତା ଗୁଡ଼ିକୁ ତଳ ଫିଙ୍ଗି ଦିଅନ୍ତି ଏବଂ ଘରାଗୁଡ଼ିକ ସଫା ସୁତୁରା କରି ନୂଆଁ ରାଣୀର ଅଣ୍ତା ଦେବା ପାଇଁ ସଜାଡ଼ି ନିଅନ୍ତି । ନୂଆଁରାଣୀ ପୁରୁଣା ରାଣୀର ଅଣ୍ତାଦେଖି ସହିପାରେ ନାହିଁ । ବିଧିର କି ବିଚିତ୍ର ଲୀଳା, ମହୁ ଫଣାରେ ସୁଦ୍ଧା କୈକେୟୀ ପରି ସଉତୁଣୀ ରାଣୀ ଥାନ୍ତି ଏବଂ ମନ୍ଥରା ପରି ପୋଇଲୀ ଥାଏ । ମନ୍ଥରା ବୁଦ୍ଧିରେ କୈକେୟୀ ରାଣୀ ରାମ ପରା ପୁଅକୁ ବନକୁ ପେଷନ୍ତି ଏବଂ ସ୍ଵାମୀ ଦଶରଥଙ୍କ ମୃତ୍ୟୁର କାରଣ ହୁଅନ୍ତି । ସଉତୁଣୀ ରାଣୀ ମାଛି ସେପରି କହେ “ଘଇତାର ପଛକେ ମରୁ ସଉତୁଣୀ ରାଣ୍ତହେଉ ।”

Image

(ଗଛ କୋରଡ଼ରେ ମହୁଘରା)

Image

 

ମାଛିଙ୍କ ଶତ୍ରୁଭୟ

 

ଜନ୍ତୁନାଂ ମରଂ ଭୟ ଯାହାର ଜୀବ ଅଛି, ସେ ଜନ୍ତୁ । ଜୀବନ ପାଇ ଯେ ବିଚରଣ କରେ ତାର ମରଣକୁ ବଡ଼ ଭୟ । ସବୁ ଜନ୍ତୁ ଠାରୁ ମହୁମାଛିର ମରଣକୁ ବଡ଼ ଭୟ । ସୂକ୍ଷ୍ମ ପତ୍ରକୁ ବିପଦରୁ ଉଦ୍ଧାର କରିବା ପାଇଁ ପ୍ରକୃତି ତାକୁ ଶୁଙ୍କ ଦେଇ କରିଛି ବିଛୁଆତି । କୋମଳ ପତ୍ରକୁ ଶତ୍ରୁ ମୁଖରୁ ବଞ୍ଚାଇବାକୁ ତାକୁ ଉତ୍କଟ ଗନ୍ଧ ଦେଇ ପ୍ରକୃତି ତାକୁ କରିଛି “ଗନ୍ଧଣା” । ଗୋରୁକୁ ପ୍ରକୃତି ଶିଙ୍ଗ ଦେଇଛି, ହରିଣକୁ ଦ୍ରୁତ ଗତି ଦେଇଛି, ମର୍କଟକୁ ଗଛରୁ ଗଛକୁ ଡେଇଁବାର ଶକ୍ତି ଦେଇଛି । ମିଷ୍ଟ ସୂକ୍ଷ୍ମ ଶରୀରକୁ ରକ୍ଷା କରିବା ପାଇଁ ବିଧି ସେପରି ମହୁମାଛି ମୁହଁରେ ବିଷାକ୍ତ ଶୁଙ୍କ ଦେଇଛି । ମହୁମାଛିର ଶୁଙ୍କ ଭୟରେ ଶତ୍ରୁ ପଶିପାରେ ନାହିଁ ତାର ଫଣାରେ ।

 

ତଥାପି ମହୁମାଛିକି ଅକାତରରେ ଗିଳି ଦେବା ଭଳି ଜନ୍ତୁ ଅଛନ୍ତି । ମହୁମାଛି ତା ଶୁଙ୍କ ଭୁସି ଶତ୍ରୁ ମୁହରୁ ମୁକ୍ତ ହେବା ପୂର୍ବରୁ ସେ ହୋଇଯାଏ, ତା’ଶତ୍ରୁର ଉଦରସ୍ଥ । ସେଥିପାଇଁ ମହୁମାଛି ତାର ଶତ୍ରୁକୁ ଡରେ ।

 

ମହୁମାଛିର ମୁଣ୍ତରେ ଥାଏ ତାର ମହୁଖଜା । ତାର ମୁହଁରେ ଥାଏ ମହୁ । ତାର କୋଡ଼ ସନ୍ଧିରେ ଥାଏ ମଧୁକେଶର । ତାର ସମସ୍ତ ଅଙ୍ଗରୁ ମଧୁସୌରଭ ପ୍ରସରେ । ମହୁମାଛିକି ଗୋଟା ଗିଳି ଦେବାକୁ ଅଛନ୍ତି ଏଣ୍ତୁଅ, ଝିଟିପିଟି, ମାଙ୍କଡ଼ସା, ଗଛଚଢ଼ା ବେଙ୍ଗ, ମୂଷା, ବିଛା, କଜଳପାତୀ ପକ୍ଷୀ, ଭିରୁଡ଼ିମାଛି, ପ୍ରଜାପତି । ପିମ୍ପୁଡ଼ି ମଧ୍ୟ ମହୁମାଛିର ପରମ ଶତ୍ରୁ ।

 

ମହୁଫଣା ନିକଟରେ କଜଳପାତୀ ବସା ବାନ୍ଧେ । ମହୁମାଛିମାନେ ପଲ ପଲ ଉଡ଼ିଲା ବେଳେ ସେ ପବନ ବେଗରେ ଉଡ଼ି ଗୋଟାକେତେ ଗିଳି ଯାଏ । ଏଣ୍ତୁଅ ଝିଟିପିଟି ଗଛରେ ଟାକି ବସି ଥାନ୍ତି । ହାବୁଡ଼େ ପଡ଼ିଲେ ମହୁମାଛିଙ୍କି ଗିଳି ଯାନ୍ତି । ଭିରୁଡ଼ି ତଥୈବଚ । ସଜ ଦେଖି ବୁଢ଼ିଆଣୀ ବା ମାଙ୍କଡ଼ସା ମହୁଘରା ନିକଟରେ ଜାଲ ବିସ୍ତାର କରେ । ମହୁମାଛି ତା’ ଜାଲରେ ପଡ଼ୁ ପଡ଼ୁ ତାକୁ ଗ୍ରାସ କରିଯାଏ । ବିଛା ଖୋଜି ଖୋଜି ବାସନା ବାରି ମହୁଫଣା ଥିବା ଗଛରେ ବସା ବାନ୍ଧେ ଏବଂ ସଜ ଉଣ୍ତି ମହୁଘରା ନିକଟକୁ ଯାଇ ଗୋଟିକ ପରେ ଗୋଟିକୁ ଟକ୍‍କିନା ଗିଳି ଦିଏ । ମହୁଫଣା ଥିବାର ଉଣ୍ତି ଗଛଚଢ଼ା ବେଙ୍ଗ ତା’ ଉପରକୁ ଚଢ଼ିଯାଏ ଏବଂ ମହୁମାଛିଙ୍କୁ ଆଧାରକରି ବଞ୍ଚି ଯାଏ । ଡୂଙ୍ଗେଇ ମୂଷା ଗଛ ପୁଆରେ କୋରଡ଼ ଦେଖି ବସା କରେ ଏବଂ ମହୁମାଛିଙ୍କ ସଂଖ୍ୟା ହ୍ରାସ କରିବାକୁ ଲାଗେ । ଧାର ଧାର ପିମ୍ପୁଡ଼ି ଭୂଇଁରୁ ଗଛ ଟିପକୁ ବୋଲି ଲାଗିଯାନ୍ତି କେବଳ ମହୁ ଆହାର ପାଇଁ । ପିମ୍ପୁଡ଼ି ଲାଗିଗଲେ ମହୁ ଘରା ଶେଷ ହୁଏ ଏବଂ ମହୁମାଛି ଡିମ୍ଵ ଫମ୍ପା ପଡ଼ିଯାଏ । ପିମ୍ପୁଡ଼ିକି ମହୁମାଛିର ବଡ଼ ଭୟ । ସର୍ବୋପରି ପ୍ରଜାପତି ମହୁମାଛିର ପରମ ଶତ୍ରୁ । ସେ ରାତି ରାତି ମହୁଫଣାରେ ପଶି ଫଣା ଭିତରେ ଅଣ୍ତା ଘରାରେ ନିଜର ଅଣ୍ତା ଦେଇ ଦିଏ । ତାର ଅଣ୍ତାରୁ ପ୍ରଜାପତି ବାହାରି ମହୁ ଘରାକୁ ଶୋଷଣ କରି ଯାନ୍ତି ଏବଂ ମାଛି ଅଣ୍ତାକୁ ଭକ୍ଷଣ କରିନିଅନ୍ତି ।

 

ସେତେବେଳେ ମହୁଫଣାର ଆସି ଯାଏ ଭୀଷଣ ବିପଦ । ମହୁମାଛିଙ୍କର ବଂଶ ବୁଡ଼ିବାର ଆଶଙ୍କା ଉପୁଜେ । ମହୁଭଣ୍ତାର ଜୂର ହୁଏ ଏବଂ ଅଣ୍ତା ନଷ୍ଟ ହୁଏ । ଫଳତଃ ଏକ ରାତିକେ ସମସ୍ତ ମାଛି ପଲ ମିଶି ମହୁଭଣ୍ତାର ଶୋଷଣ କରିନିଅନ୍ତି ଏବଂ ରାଣୀ ସାହେବାଙ୍କୁ ଓ ଅଣ୍ତାମାନଙ୍କୁ ଘେନି ଏକ ଅଗଣ୍ୟ ଉପବନକୁ ଉଡ଼ି ଯାଇ ନୂଆ ଫଣା ନିର୍ମାଣ କରନ୍ତି । ପୁରୁଣା ଘରା ଭାଙ୍ଗେ, ନୂଆ ଘରା ତୋଳା ହୁଏ ।

Image

 

ଚାରିଜାତି ମହୁ

 

ଭାରତ ବର୍ଷରେ ଚାରିଜାତିର ମହୁ ମିଳେ । ଚାରିଜାତିର ମହୁମାଛି, ଚାରିପ୍ରକାର ମହୁଫଣା ତିଆରି କରନ୍ତି ଏବଂ ଚାରି ବିଭିନ୍ନ ପ୍ରକାର ମହୁ ଉପଜାତ କରନ୍ତି । ବାଘମହୁ, ସାତପୁରୀ ମହୁ, ବିଞ୍ଚିଣା ମହୁ ଓ ନିକିଟୀ ମହୁ ଆମ ଦେଶରେ ଚାରୋଟି ପ୍ରଧାନ ମହୁ ।

 

ବାଘ ମହୁର ଫଣା ସବୁ ପ୍ରକାର ମହୁ ଫଣାଠୁଁ ବଡ଼ । ମାଛି ଯେପରି ଆକାରରେ ବଡ଼ ତା ଫଣା ଯେପରି ଆକାରରେ ବଡ଼, ତା ଫଣାର ମହୁ ପରିମାଣ ଯେପରି ବେଶୀ ତାର ମହୁ ସଂଗ୍ରହ କରିବା ଯେପରି କଷ୍ଟକର, ତାର ଗର୍ଜନ ସେପରି ବାଘ ଗର୍ଜନ, ତାର ଦଂଶନ ସେପରି ବ୍ୟାଘ୍ର ଆକ୍ରମଣ । ବାଘମହୁ ସାଧାରଣତଃ ପର୍ବତ ଶିଖର ଅଗମ୍ୟ ଗୁହାରେ, ଉଚ୍ଚା ବୃକ୍ଷର ବୃହତ୍ ଶାଖାରେ ଅଥବା ଉଚ୍ଚ ଘରର ଛାତ ତଳେ ବସେ । ଖଦ ଖଦଡ଼ିଆ ପଥର ପେଟକୁ କିମ୍ଵା ଛାଲି ଛାଲିଆ ଗଛ ପୁଆର ତଳକୁ ଆଶ୍ରୟ କରି ବାଘ ମହୁମାଛି ମହୁ ଫଣା ନିର୍ମାଣ କରେ । ବାଘମହୁ ସେପରି ଖୋଲା ଜାଗାରେ ନିରାପଦ ସ୍ଥାନରେ ବସେ । ଭାରତବର୍ଷର ବାଘମହୁ ଫଣା ଭଳି ମହୁଫଣା ପୃଥିବୀର ଅନ୍ୟ କୌଣସି ଦେଶରେ ନାହିଁ କହିଲେ ଚଳେ । ଏକ ଏକ ବାଘ ମହୁ ଫଣାର ମୂଳପିଣ୍ତ ଚାରି ପାଞ୍ଚଫୁଟ ଲମ୍ଵାଥାଏ । ଗୋଟିଏ ଗୋଟିଏ ବାଘ ମହୁ ଫଣାରୁ ପଚିଶ ତିରିଶ ସେର ମହୁ ବାହାରେ । ତାର ଫଣା ରକ୍ଷା କରିବାକୁ ବାଘ ମହୁମାଛି ବରାବର ତତ୍ପର ଥାଏ-। କେହି ତାହାର ଶତ୍ରୁ ବୋଲି ଜାଣିଲେ ସେମାନେ ଉଡ଼ି ଉଡ଼ି ତାକୁ ବିଷାକ୍ତ ଶୁଙ୍କରେ ଦଂଶନ କରନ୍ତି-। ଦନ୍ତାହାତୀ, ଭାଲୁ, ମହାବଳ ବାଘ, ସୁଦ୍ଧା ବାଘ ମହୁମାଛିର ଦଂଶନରେ ମରିଯିବାର ଜଣାଯାଇଛି, ଛାର ମଣିଷ କେତେ ? କନ୍ଧ ସଉରାମାନେ ଏକ ବନସ୍ପତି ଧୂଆଁ ଦେଇ ବାଘ ମାଛିକି ଆୟତ୍ତ କରି ମହୁ ସଂଗ୍ରହ କରନ୍ତି ।

Image

(କାନ୍ଥ ଫାଟରେ ମହୁଘରା)

 

ସାତପୁରୀ ମହୁ ଘରା ପଥର ସନ୍ଧାରେ, ଭୂଇଁ ଫାଟରେ, ଗଛ କୋରଡ଼ରେ କିମ୍ଵା କାନ୍ଥ ଫାଟରେ ବସେ । ପୁରକୁ ପୁର ସାତପୁର ମହୁଭଣ୍ତାର ଥିବା ଯୋଗୁଁ ଏବଂ ଥରକୁ ଥର ସାତଥର ଘରା ତିଆରି କରିବା ଯୋଗୁଁ ତାର ନାମ ସାତପୁରୀ । ଭାଦ୍ରବ ମାସର ସାତପୁରୀ ଅମାବାସ୍ୟା ସରିକି ସାତପୂରୀ ମହୁ ପାକଳ ହୋଇଥାଏ । ସେତେବେଳର ସିଦ୍ଧ ସାତପୁରୀ ମହୁ ବଡ଼ ଉପଯୋଗୀ ହୁଏ । ସାତପୁରୀ ମହୁଫଣାରୁ ସାତ ଆଠ ସେର ମହୁ ବାହାରେ । ସାତପୁରୀ ମହୁମାଛିର ମଧ୍ୟ ଶୁଙ୍କ ଟାଣ ।

Image

(ଗୋରୁ ଗୁହାଳରେ ମହୁଘରା)

 

ବିଂଛଣା ମହୁଫଣା ସାତପୁରୀ ମହୁଫଣା ଠାରୁ ଢେର ସାନ ।

 

ବିଂଛଣା ମହୁଘରା ଚାଳ ଛପର ଘରେ, ଗୋରୁ ଗୁହାଳରେ, ଜଳା କବାଟୀରେ ବସିଥାଏ-। ବିଞ୍ଛଣା ମହୁ ଘରାରୁ ନ’ ଦଶ ତୋଳା ମହୁ ମିଳେ । ବିଞ୍ଛଣା ମାଛି ପ୍ରାୟ ଶୁଙ୍କହୀନ ।

 

ନିକିଟୀ ମହୁଘରା ବସେ ବିଲ ହିଡ଼ତଳେ, କାନ୍ଥ ଫାଟରେ । ଛୋଟ ଛୋଟ ଗୋରୁ ମାହାରିଆ ପିଲାଏ ନିକିଟି ମହୁଘରା ଭାଙ୍ଗି ମହୁ ବାହାର କରି ଖାଇ ଯାନ୍ତି । ନିକିଟୀ ମହୁ ମାଛିଟି ଅତି ସାନ । ତାର ଶୁଙ୍କ ନାହିଁ । ତା ଘରାରୁ ବଡ଼ ହେଲେ ଦୁଇ ତିନି ତୋଳା ମହୁ ବାହାରେ ।

Image

 

ମଣିଷ ତିଆରି ମହୁଘରା

 

କେବଳ ବଣୁଆମାନଙ୍କ ମଧୁ ସଂଗ୍ରହ ଓ ମଧୁ ବିକ୍ରୟ ଉପରେ ନିର୍ଭର ନ କରି ଏବେ ଘରେ ଘରେ ମହୁ ପାଇବା ପାଇଁ ଶିକ୍ଷିତ ସଭ୍ୟ ଲୋକେ ବ୍ୟବସ୍ଥା କଲେଣି । କୌଶଳରେ ରାଣୀ ମାଛିକି ବନ୍ଦୀ କରି ନେଇ ଆସିଲେ ତା ପଛେ ପଛେ ତାଟକଯାକ ମହୁମାଛି ଉଡ଼ି ଆସନ୍ତି । ଆଗରୁ ମହୁଫଣା ପାଇଁ ଘର ତିଆରି ହୋଇଥାଏ । ଘର ଏପରି ମାର୍ଗରେ ହୋଇଥାଏ ଯେ ତା ଭିତରକୁ ଏଣ୍ତୁଅ, ଝିଟିପିଟି, ବିଛା ଯେପରି ଯାଇ ନ ପାରନ୍ତି, ଯେପରି ମହୁତାଟରେ ପାଣି ନ ପଡ଼େ କିମ୍ଵା ଖରାର ଉତ୍ତାପ ବା ଶୀତର ପ୍ରକୋପ ତା ଭିତରେ ଭେଦ କରି ନପାରେ ।

Image

(ମହୁଘରା ପେଡ଼ି)

 

ଏକ କାଠର ଘରା ତିଆରି ହୁଏ । ଘରର ଏକ ଛାତ ହୁଏ । ଘର ଛାତରୁ ପାଣି ଗଡ଼ି ପଡ଼ିଲା ପରି ଛାତ ଗଡ଼ାଣିଆ ହୋଇଥାଏ । କ୍ରମନିମ୍ନ ଚାଳ ଘର ପରି ପଟା ବାଡ଼ିଆ ଘରାଟିଏ ହୁଏ-। ତା’ ଭିତରକୁ କେବଳ ମହୁମାଛି ଗଳିଲା ପରି ବାହାରୁ କ୍ଷୁଦ୍ର ଛିଦ୍ର ଥାଏ । ଘରାରେ ସେପରି ଏକାଧିକ ଛିଦ୍ର ମଧ୍ୟ ରଖାଯାଏ । ମହୁଘରା ଚାଳ ତଳୁ ମହୁମାଛିମାନେ ଫଣା ନିର୍ମାଣ କରନ୍ତି-

 

ସାଧାରଣତଃ ସାତପୁରୀ ମହୁଫଣା ପାଇଁ ଏପରି ପେଡ଼ିଘର କରାଯାଏ । ସାତପୁରୀ ମାଛି ପୋଷା ମାନେ ଏବଂ ବଦ୍ଧ କୋଠରୀରେ ରହିବାକୁ ଭଲପାଏ । ବାଘ ମହୁମାଛିଠାରୁ ସାନ ଏବଂ ବିଂଛଣା ମହୁମାଛି ଠାରୁ ବଡ଼ ହେଲେହେଁ ସାତପୁରୀ ମହୁମାଛି ତାର ଟାଣୁଆ ଶୁଙ୍କ ଥିବା ସତ୍ତ୍ଵେ ପୋଷା ମାନିଗଲେ ଘରେ ଘଣ୍ଟ ପିଟିଲେ ମଧ୍ୟ ଚାହାଳିଆ ହୁଏ ନାହିଁ । ଦେଖାଯାଇଛି, ଧାଡ଼ି ଧାଡ଼ି ସାତପୁରୀ ମହୁମାଛି ଘରାମାନ ଥୁଆ ହୋଇଛି । ଘରାମାନଙ୍କରେ ତାଟଭରା ମହୁ ରହିଛି । ଘର ଚାରିପାଖ ମହୁମାଛିମାନେ ଉଡ଼ୁଛନ୍ତି ଏବଂ ଦୂର ଦୂରାନ୍ତରୁ ମଧୁ ସଂଗ୍ରହ କରି ଆସୁଛନ୍ତି । ଦଳକୁ ଦଳ ମାଛି ଯାଉଛନ୍ତି, ଆସୁଛନ୍ତି । ଯା’ ଘରେ ସେମାନେ ପୋଷା ହୋଇଛନ୍ତି, ତାର ପୁଅ ଝିଅ ଧାଉଁଛନ୍ତି, ଖେଳୁଛନ୍ତି ଗୀତ ଗାଉଛନ୍ତି, କଥାବାର୍ତ୍ତା ହେଉଛନ୍ତି ଏବଂ ମାଛିମାନଙ୍କ ସହିତ ଘସେଇ ହୋଇ ଯାଉଛନ୍ତି । ତଥାପି ମାଛିମାନେ ବିଚଳିତ ହେଉ ନାହାନ୍ତି କିମ୍ଵା କୌଣସି ପିଲାକୁ ଦଂଶନ କରୁ ନାହାନ୍ତି ।

 

ମାଛିଙ୍କି ପୋଷିଥିବା ଲୋକ ମହୁଫଣାମାନଙ୍କରୁ କୌଶଳରେ ମହୁ ବାହାର କରନ୍ତି । ଗୁହାଳର ପୋଷା ଗାଈ ଠାରୁ ଦୁଧ ଦୁହିଁଲେ ଯେପରି ଧରା ଦିଏ ଏବଂ ଦହାଁ ଦିଏ ସାତପୁରୀ ମହୁମାଛିମାନେ ସେପରି ଗୃହକର୍ତ୍ତା ମହୁ ସଂଗ୍ରହ କଲା ବେଳେ କଡ଼ ଛାଡ଼ି ଦିଅନ୍ତି । ଗାଈ ଯେପରି ମାଲିକର ସେହି ଅନୁରାଗ ଜାଣେ ଏବଂ ତା ମୁହଁରେ ଆହାର ଦେବା ଯୋଗୁଁ ସେ ବାଛୁରୀ ମୁହଁରୁ ଛଡ଼େଇ ମାଲିକକୁ ପହ୍ନା ମେଣ୍ଢେଇ ଦିଏ, ସେପରି ମାଲିକ ଖାଲି ପେଡ଼ିଟିଏ ବନେଇ ଦେଇଛି ଏବଂ ତାକୁ ଖରା ବର୍ଷା ଶୀତ ଓ ଶତ୍ରୁଠାରୁ ବଞ୍ଚେଇଛି ବୋଲି ସାତପୁରୀ ମହୁମାଛି କରଛଡ଼ା ହୋଇ ମାଲିକ ମନଇଚ୍ଛା ମହୁ ଦୁହିଁବାକୁ ମାଲିକକୁ ମହୁଭଣ୍ତାର ସମର୍ପଣ କରେ । ଶୁଂକଯୁକ୍ତ ମଧୁମକ୍ଷିକା ପରି ଏକ କ୍ଷୁଦ୍ର ପତଙ୍ଗର ଏ ଆତ୍ମସମର୍ପଣ ବଡ଼ ଏକ ବିଚିତ୍ର ଦାନ ।

 

ମହୁମାଛିଙ୍କୁ ପାଳିବା ଭାରତରେ ନୂତନ ପ୍ରଥା ନୁହେ । ବହୁ ଆଦିମ କାଳରୁ ହିମାଳୟ ଅଞ୍ଚଳର ପାହାଡ଼ିଆ ଖାସୀ ଜାତିର ଲୋକେ କାଠ ଡଙ୍ଗାକୁ ଓଲଟେଇ ଦେଇ ଘର ଛାତମାନଙ୍କରେ ଓଳମେଇ ଦିଅନ୍ତି । ଡଙ୍ଗା ଗହୀର ତଳ ଆଡ଼ୁ ସାତପତିରିଆ ବା ସାତପୁରୀଆ ମହୁମାଛିମାନେ ଘରା ବାନ୍ଧନ୍ତି କୂର୍ଗ ଅଞ୍ଚଳର ଲୋକେ ମାଟି ମଠିଆକୁ ଉବୁଡ଼େଇ ଟଙ୍ଗେଇ ଦିଅନ୍ତି । ମାଠିଆର ତଳ ପଟୁ ପଶି ମାଛିମାନେ ଫଣା ବାନ୍ଧନ୍ତି । ଆମ ଓଡ଼ିଶାରେ ଏବେ ମହୁଚାଷ ଉପରେ ଲୋକଙ୍କର ଦୃଷ୍ଟି ପଡ଼ିଲାଣି । ମହୁଚାଷ ଯେ ଏକ ଲାଭଜନକ ବ୍ୟବସାୟ ସେଥିରେ ସନ୍ଦେହ ନାହିଁ । ଯେଉଁ ଗରୀବ ଲୋକର ପନିପରିବା ପାଇଁ ଗୋଟିଏ ବାରିଥିବ, ବାରିରେ ଗୋଟିଏ କୂଅ ଥିବ, ବାଛୁରୀ ଲଗା ଗୋଟିଏ ଗାଈ ଥିବ, ଚାରୋଟି ସାତପତରିଆ ବା ସାତପୁରୀ ମହୁଘରା ଥିବ ଓ ଖଣ୍ତିଏ ସୂତାକଟା ଅରଟ ଥିବ ଏବଂ ଧାନ କୂଟା ଗୋଟିଏ ଢ଼ିଙ୍କି ଥିବ ତାର କି ଚିନ୍ତା ?

Image

 

ଆଦର୍ଶ ମହୁଘରା

 

ମାଟି ମାଠିଆର ମୁହଁ ତଳକୁ ରଖି ଶିକାର ତଳ ବାଟେ ତାର ମୁହଁଟି ଗଳାଇ ତାକୁ ଉକୁଚେଇ ଦିଆଯାଏ । ମାଠିଆ ତଳେ ଭିତର ପାଖରେ ହାତ ପୁରେଇ କିଛି ସାତପୁରୀ ମହୁର ମହଣ ମାରି ଦେବାକୁ ହୁଏ । ପୋଷା ସାତପୁରୀ ମହୁମାଛିଙ୍କ ଭିତରୁ କେତୋଟି ବଛା ବଛା ରାଣୀ ଜାତିର ମାଛି, ଧାଈ ମାଛି ଓ ଅକର୍ମା ପୁରୁଷ ମାଛିଙ୍କୁ ନେଇ ସଞ୍ଜ ସଞ୍ଜ ବେଳେ ସେମାନଙ୍କୁ ସେହି ମାଠିଆ ଭିତରେ ଛାଡ଼ି ଦେବାକୁ ହୁଏ । ମାଠିଆ ଯେପରି ନିରାପଦ ଜାଗାରେ ଶିକାରୁ ଓଳମା ହୋଇଥାଏ, ଶୀତ ଖରା ବର୍ଷାରୁ ମାଛିମାନେ ଯେପରି ଉଦ୍ଧାର ପାଆନ୍ତି ଏବଂ ପିମ୍ପୁଡ଼ି, ଝିଟିପିଟି, ଏଣ୍ତୁଅ, ପ୍ରଜାପତି ଯେପରି ମାଠିଆ ମୁହଁ ନ ମାଡ଼ନ୍ତି ସେପରି ଦୃଷ୍ଟି ଦେବାକୁ ହେବ । ମହୁ ଫଣାର ଏହି ଶତ୍ରୁମାନେ ଯେପରି ମହୁ ଖାଇବାକୁ ଓଅଖ ନହୁଅନ୍ତି ଏବଂ ମହୁ ଫଣାରେ ଯେପରି ନାନାଜାତିର ଜାଳେଣୀ କାଠର ଧୂଆଁ ନ ବାଜେ ସେପରି ଅନିଷା ରଖିବା ଆବଶ୍ୟକ । ନିମ୍ଵ, କରା, ଭାଲିଆ କାଠର ଧୂଆଁ ବାଜିଲେ ମାଛିମାନେ ଘରା ଛାଡ଼ି ଉଡ଼ିଯାନ୍ତି ।

 

ମାଟି ମାଠିଆକୁ ଚାଳରୁ ଉକୁଚେଇଲା ପରି ଦେବଦାରୁ କାଠର ପେଡ଼ିକି ଘର କାଂଥରେ ବଡ଼ ଛତି କଣ୍ଟା ମାରି ପେଡ଼ିର ମୁହଁ ପାଖ ତଳକୁ ରଖି ଲଟକେଇ ଦିଆଯାଇ ପାରେ । ପେଡ଼ିର ଉପର ପାଖ ଫାଙ୍କ ନଥିଲା ପରି ବ୍ୟବସ୍ଥା କରିବା ଦରକାର । ଉପର ପଟୁ ପେଡ଼ିର ପଟା ସନ୍ଧିରେ ଫାଙ୍କ ଥିଲେ ରଙ୍ଗ ପିମ୍ପୁଡ଼ି ଧାଡ଼ି ଲାଗିଯାଇ ପାରନ୍ତି । ରଙ୍ଗ ପିମ୍ପୁଡ଼ି ମହୁମାଛିଙ୍କ ପରମ ଶତ୍ରୁ । ସେମାନେ ମହୁତକ ତ ଶୋଷି ନିଅନ୍ତି, ମହୁମାଛିଙ୍କ ଅଣ୍ତା ଗୁଡ଼ିକୁ ମଧ୍ୟ ଶୂନ୍ୟେ ଶୂନ୍ୟେ ପାଟିରେ ଟେକି ନେଇଯାନ୍ତି । ପିମ୍ପୁଡ଼ିମାନେ ମହୁ ଖାଆନ୍ତି, ମହୁମାଛିଙ୍କ ଅଣ୍ତାଙ୍କୁ ଖାଇଯାନ୍ତି । ପିମ୍ପୁଡ଼ିଏ ଦିଅଁଙ୍କୁ ଖାଇ ଦିଅଁଙ୍କ ବଟୁଳିକି ଖାଇବାର ଦେଖିଲେ ମାଛିମାନେ ଘରା ଛାଡ଼ି ଅନ୍ୟତ୍ର ଉଡ଼ି ଯାନ୍ତି । ଦେବଦାରୁ ପେଡ଼ିର ତଳ ମୁହଁଟା ଗୋଟାକ ଯାକ ମେଲା ନଥାଏ । ତାର ମୁହଁ ବୁଜି ଦେଇ ମାଛିଙ୍କ ଗମନାଗମନ ପାଇଁ ବାଟ ଛାଡ଼ି ଦିଆଯାଇ ଥାଏ । ପେଡ଼ିକି ଯେପରି ଉଈ ନଲାଗେ ଧୂଆଁ ନଲାଗେ ଏବଂ ଖରା ବର୍ଷା ଶୀତ ନଲାଗେ ସେ ଦିଗରେ ସାବଧାନ ଥିବା ଦରକାର ।

 

ସର୍ବାପେକ୍ଷା ମିଞ୍ଜାରୀ କିମ୍ଵା ପାଳଧୁଆ କାଠର ପତଳା ହାଲୁକା ପଟାରେ ଛୋଟ ଛୋଟ ଘର କରି ତହିଁରେ କେବଳ ମହୁମାଛି ଗଳିଲା ପରି କେତୋଟି କଣା ରଖି ଘର ମେରେଦାମାନଙ୍କ ଉପରେ ରଖିବା ଶ୍ରେୟସ୍କର । ସେହି ଘରାଗୁଡ଼ିକର ଛାତ ଥାଏ । ମେରେଦା ଖୋଲାଥାଏ । ମେରେଦା ଉପରେ ଚାଳଥାଏ । ସେ ଉପରକୁ ରନ୍ଧା ଶାଳର ଧୂଆଁ ଯାଏନାହିଁ । ମାଛିମାନେ ମେରେଦା ଉପରୁ ଘର ଉପର ଦେଇ ବିଲବାଡ଼ ବଗିଚାକୁ ଉଡ଼ି ଯାଇ ସୁବିଧାରେ ବାହାରେ ବାହାରେ ଆସି ମହୁ ସଞ୍ଚୟ କରନ୍ତି । ଚାଳ ମେରେଦା ଉପର ମହୁ ଘରାମାନ ବର୍ଷ ବର୍ଷ କାଳ ଥିବାର ଦେଖାଯାଏ । ହାଲୁକା କାଠର ପେଡ଼ିମାନଙ୍କୁ ମେରେଦା ଉପରେ ଇଟା କିମ୍ଵା ପଥରରେ ଟିକିଏ ଉଚ୍ଚ ଉଚ୍ଚ ପିଣ୍ତି କରି ଥୁଆ ଯିବା ଭଲ । ପିଣ୍ତିକି ଇଟା ଚୂନରେ କିମ୍ଵା ପଥର ଚୂନରେ ତିଆରି କରାଗଲେ ଉଈର ଆଶଙ୍କା ନଥାଏ । ସେପରି ପେଡ଼ି ହେଉଛି ଆଦର୍ଶ ମହୁଘରା । ଗଞ୍ଜାମ ଆଠଗଡ଼ ଭେଟନଇ ନିବାସୀ ମଧୁସୂଦନ ପଟ୍ଟନାୟକ ତାଙ୍କ ନିଜ ଘରେ କାଠ ପଟାରେ ଯେଉଁ ଘରାମାନ ତିଆରି କରି ମହୁମାଛିମାନଙ୍କୁ ତହିଁରେ ବର୍ଷ ବର୍ଷ ଧରି ପାଳିଆସୁଛନ୍ତି ତାହା ହେଉଛି ଆଦର୍ଶ ମହୁଚାଷ ।

Image

 

ପୋଷା ମହୁମାଛିଙ୍କ ଯତ୍ନ

 

ଆଦର୍ଶ ମହୁଘରା ତିଆର କରିଦେଇ ସେଥିରେ ରାଣୀ ମାଛିକି ପୂରେଇ ବସା ନିର୍ମାଣର ବ୍ୟବସ୍ଥା କରିଦେଲେ ହେଲା ନାହିଁ । ମହୁ ଘରାର ଏପରି ଯତ୍ନ ନେବାକୁ ହେବ ଯେପରି ମାଛିମାନେ ଉତ୍ତ୍ୟକ୍ତ ହୋଇ ଉଡ଼ି ନ ଯାନ୍ତି । ଏପରି ଦେଖା ଯାଇଛି, ଦିନେ ହଠାତ୍ ମାଛିମାନେ ଘରା ଛାଡ଼ି ଉଡ଼ି ପଳାଇଛନ୍ତି । ଅନୁଭବର କଥା । ମହୁମାଛି ପାଳକର ବାରି ଶାଲାରେ ପାଞ୍ଚଟା ମହୁ ଘରାର ପେଡ଼ିମାନ ଧାଡ଼ିରେ ମଣିଷ ଉଚ୍ଚ ଭାଡ଼ିରେ ରଖା ଯାଇଛି । ଗାଈ ତାର ବାଛୁରୀକି ନ ପାଇ ବହୁବାର ହମ୍ଵା ରଡ଼ି ଦେଲା । ଖରଖରି ଉପାସ ସେ ଘରର ମା’ ଛୋଟ ଛୁଆଟିକୁ ହଳଦି ଲଗେଇ ଗାଧୋଇ ଦେବାରୁ ଛୁଆ ଭାରି ରା’ ଧରି କାନ୍ଦିଲା । ବାରି ପହଣ୍ତରେ ଝିଅ ପୁଏ ଖରଖରି ପୂଜାକରି ଘଣ୍ଟ ବାଡ଼େଇ ବୁଢ଼ୀ ବୁଢ଼ୀଆଣୀକୁ ନଈରେ ଭସେଇ ଆସିଲେ । ବାରିପିଣ୍ତାରେ ସାହି ପିଲାଙ୍କର ରନ୍ଧା ବଢ଼ା ଆରମ୍ଭ ହେଲା । ମାଛିମାନେ ଗାଈ ହାମ୍ଵୋଡ଼ା, ଛୁଆ କାନ୍ଦଣା, ଘଣ୍ଟ ପିଟାରେ ତରକି ଯାଇଥିଲେ ପିଲାଙ୍କର ପାଟି ତୁଣ୍ତ ଧାଁ ଧପଡ଼ ଭିତରେ ଯେତେବେଳେ ଓଦାଳିଆ କାଠ ଠୁଲିରେ ନ ଜଳି ଧୂଆଁ ହେଲା, ମାଛିମାନେ ଆଉ ଦମ୍ଭ ଧରିଲେ ନାହିଁ । ପିଲାଙ୍କର ଭୋଜନ ଭାଜନ ସଇଲା । ଘରର ମାଲିକ ନିଶ୍ଚିନ୍ତରେ ମଧ୍ୟାହ୍ନ ଭୋଜନ ପରେ ବିଶ୍ରାମ କରୁଛନ୍ତି । ପାଞ୍ଚୋଟିଯାକ ମହୁଘରାର ମାଛି ଏକାଥରକେ ଘରା ଛାଡ଼ି ଉଡ଼ି ପଳାଇଲେ ଯେ ଘରମାନ ଖାଲି ପଡ଼ିଗଲା ଏବଂ ମାଛିଏ ଆଉ ପୋଷା ମାନିବାକୁ ଘରାମାନଙ୍କୁ ଲେଉଟିଲେ ନାହିଁ ।

 

କେବଳ ସେତିକି ନୁହ । ଯେଉଁ ଜାଗାରେ ମାଛି ଘରାମାନଙ୍କୁ ସାଇତିବ, ଦେଖିବାକୁ ହେବ ସେଠାକୁ ଯେପରି ରଙ୍ଗ ପିମ୍ପୁଡ଼ି ଧାଡ଼ି ନ ଲାଗନ୍ତି, ଯେପରି ଏଣ୍ତୁଅ ଝିଟିପିଟି ବେଶୀ ଗୁଡ଼ାଏ କାନ୍ଥ ବାଡ଼ରେ ନ ମାଳନ୍ତି, ଯେପରି ଖରା ଉତ୍ତାପ ନ ଲାଗେ କିମ୍ଵା ଶୀତର ପ୍ରକୋପ ନ ଥାଏ । ଶୀତଦିନେ ଘରାମାନଙ୍କ ଛିଦ୍ର ଛାଡ଼ି ସେମାନଙ୍କ ଉପରେ ଖଣ୍ତିଆ କମ୍ଵଳ କିମ୍ଵା ଅଖା ଘୋଡ଼େଇ ଦେବା ଭଲ । ମାଛିଘରା ଗୁଡ଼ିକୁ ଲଗା ଲଗି ରଖିଲେ ସେମାନଙ୍କର ଅସୁବିଧା ହୁଏ, ସଂଘର୍ଷ ବି ହୁଏ । ଗୋଟିଏ ଘରାର ମାଛି ଅନ୍ୟ ଘରାରେ ପଶିଗଲେ ଉପୁଜି ଯାଏ ବିରୋଧ । ତେଣୁ ଘରା ଗୁଡ଼ିକୁ ଛାଡ଼ି ଛାଡ଼ି ରଖିବାକୁ ହେବ । ଅନ୍ତତଃ ଛ’ ସାତଫୁଟ ଲେଖା ଅନ୍ତରରେ ମାଛିଘରା ମାନଙ୍କୁ ରଖାଯିବା ଉଚିତ ।

 

ପୋଷା ମାଛିଙ୍କ ମହୁ ଫଣାରୁ ମହୁ କାଢ଼ିଲା ବେଳେ ବଡ଼ ଯତ୍ନରେ କାଢ଼ିବା ଦରକାର । ଟିକିଏ ଯଦି ଛୁରୀ ଏ କଡ଼ ସେ କଡ଼ ହୁଏ, ଅଣ୍ତାମାନେ ନଷ୍ଟ ହୋଇଯିବେ । ରାଣୀ ମାଛିର ଅଙ୍ଗରେ ଆଘାତ ଲାଗିଯିବ, ଧାଈ ମା’ ମାନେ ଘାଉଡ଼ ହୋଇଯିବେ । ମାଛିମାନେ ପାଳକକୁ ଶତ୍ରୁ ବୋଲି ମନେ କରିବେ । ମହୁ ବାହାର କରିବା ଛୁରୀର ଦୁଇପାଖ ଧାରଥାଏ ଏବଂ ତାର ଅଗଟା ବଙ୍କାଥାଏ-। ସିଧା ଆଙ୍ଗୁଠିରେ ଘିଅ ଆସେ ନାହିଁ । ବଙ୍କା ଛୁରୀରେ ମହୁ ଆସେ । କିନ୍ତୁ ବଙ୍କା ଛୁରୀକି ମହୁ ଫଣାରେ ପ୍ରୟୋଗ କରିବାର ଅଭ୍ୟାସ ଓ ଅନୁଭୂତି ଥିବା ଲୋକହିଁ ଛୁରୀରେ ମହୁ ବାହାର କରିପାରେ । ଅତି ମାତ୍ରାରେ ମହୁ ବାହାର କରି ନେଲେ ମାଛିମାନେ ହଠାତ୍ ତାଟକା ହୋଇଯାନ୍ତି-। ମଧୁଭଣ୍ତାର ଶୂନ୍ୟ ହୋଇଗଲେ ସେମାନେ ଛାନିଆ ହୋଇ ପାଳକ-କର୍ତ୍ତାକୁ ଶତ୍ରୁ ଜ୍ଞାନ କରି ଘରା ଛାଡ଼ି ଉଡ଼ିଯାନ୍ତି । ଅସ୍ତ୍ର ଚିକିତ୍ସକ ଡାକ୍ତର ସିଦ୍ଧହସ୍ତ ହେଲେ ଅସ୍ତ୍ରୋପଚାର ସଫଳ ହୁଏ-। ମଧୁନିଷ୍କାସକ ସିଦ୍ଧହସ୍ତ ହେଲେ ଛୁରୀକାରେ ପରିମିତ ମଧୁ ନିଷ୍କାସନ କରା ଯାଇପାରେ ।

Image

 

ଅସାବଧାନ ହେଲେ ବିପଦ

 

ପୋଷା ମହୁଫଣାରୁ ମହୁ ବାହାର କଲାବେଳେ ଅସ୍ତ୍ରଚିକିତ୍ସକ ପରି ବଡ଼ ସାବଧାନ ହେବାକୁ ହୁଏ । ଅସାବଧାନତାରେ ଅଣ୍ତାକୋଷ ନଷ୍ଟ ହୋଇପାରେ, ମଧୁକୋଷ ନଷ୍ଟ ହୋଇପାରେ ଏବଂ ରାଣୀ ମାଛି ଦେହରେ ଅସ୍ତ୍ରାଘାତ ଲାଗି ପାରେ । ମାଛିମାନେ ସବୁ ଅତ୍ୟାଚାର ସହି ପାରନ୍ତି, କିନ୍ତୁ ରାଣୀ ମା’ ଉପରେ ଆଘାତ ଲାଗିଲେ ଆଦୌ ସହି ପାରନ୍ତି ନାହିଁ । ରାଣୀ ମା’ ଉପରେ ଅସ୍ତ୍ରାଘାତ ଲାଗିଲେ ଧାଈ ମାଛିମାନେ ବସା ଛାଡ଼ି ଉଡ଼ି ଯିବାକୁ ଆରମ୍ଭ କରନ୍ତି; ଉଡ଼ି ଯିବାକୁ ଆରମ୍ଭ କରିବା ପୂର୍ବରୁ ମହୁ ଭଣ୍ତାରତକ ଶୋଷି ନିଶେଷ କରି ଦିଅନ୍ତି ଏବଂ ଅସ୍ତ୍ରପ୍ରୟୋଗ କରିବା ବ୍ୟକ୍ତିକୁ ଶିକ୍ଷା ଦେଇ ଯାନ୍ତି ।

 

ମହୁ ଭଣ୍ତାରରେ ଅସ୍ତ୍ରୋପଚାର ହେଲାବେଳେ ଯଦି ବ୍ୟତିକ୍ରମ ଘଟେ ତେବେ ପୋଷାକ-ପାଳନ ଘରର ଯିଏ ଦିଶିଲା ତାରି ଉପରେ ମହୁମାଛିଙ୍କ ଶୁଙ୍କ ମାଡ଼ ବସିଯାଏ । ବାଘ ମୁହଁର ବଞ୍ଚିବାର ଉପାୟ ଅଛି, କିନ୍ତୁ ସାତପୁରୀ ମହୁମାଛିଙ୍କ ମୁହଁରୁ ବଞ୍ଚିବାର ବାଟନାହିଁ । ମାନିଥିଲେ ସେମାନେ ପାଳକକୁ ଗୁରୁ ପରି ମାନି ଥାନ୍ତି, ନମାନିଲେ ସେମାନେ ଋଷ ଚୀନର କମ୍ୟୁନିଷ୍ଟମାନଙ୍କ ପରି ରାଜବଂଶର ସୁଦ୍ଧା ଉଚ୍ଛେଦ ସାଧନ କରନ୍ତି ।

 

ବାଘମହୁ କଥା ଛାଡ଼ନ୍ତୁ । ତାର ମାଛି ବଣୁଆ ମାଛି । ସେ ଆଦୌ ପୋଷାମାନେ ନାହିଁ-। ତାର ରାଣୀ ମାଛିକି ଧରିବା ସହଜ ନୁହ କିମ୍ଵା ସେ ମହୁଘରା ପାଇଁ କୁଟୁମ୍ଵ ଥିବା ଘରେ ବସା ନିର୍ମାଣ କରାଇବା ସୁବିଧା ନୁହେ । ସାତପୁରୀ ମହୁମାଛିଙ୍କୁ ମନେଇ ହୁଏ ଯେହେତୁ ସେମାନେ ଆଶ୍ରୟ ଚାହାନ୍ତି । କିନ୍ତୁ ସେମାନଙ୍କ ଉପରେ ଅତିରିକ୍ତ ଅତ୍ୟାଚାର ହେଲେ ସେମାନେ ମାଲିକର ମୁହଁକୁ ନ ଚାହିଁ ତାରି ଉପରେ, ତା’ କୁଟୁମ୍ଵ ଉପରେ ଭୀଷଣ ପ୍ରତିହିଂସା ସାଧନ୍ତି ।

 

ଜଣେ ମହୁ ଚାଷୀ ସାତପୁରୀ ମହୁମାଛି ପାଳି ଥାଏ । ସେ ଦିନ ତାର ଘରେ କଣ ଭୋଜିଭାତ ହେଲା ଯେ ଚୁଲୀରୁ ପାଳଧୁଆଁ କାଠର ଧୁଆଁ ବାହାରି ମହୁମାଛି ଘରାମାନଙ୍କୁ ଟିକିଏ ବାଜି ଯାଇଥିଲା । ଓଧାଣୀ ହାଣ୍ତି ଭୁଷଳି ଗଲା ଯେ ଚୁଲିର ନିଆଁ ଧୂଆଁ ପାଉଁସ ଘରଯାକ ଖେଳେଇ ଗଲା । ତାର ଧାସ ବାଜି ଗଲା ମହୁମାଛିଙ୍କ ଉପରେ । ଘରର ବୋହୂଟିଏ ଚୁଲି ପେଲୁ ଥିଲା; ତାର ଗୋଡ଼ ଦିଓଟିରେ ତତଲା ଓଧାଣୀ ପାଣି ପଡ଼ି ଫୋଟକା ହୋଇଗଲା । ମହୁ ଚାଷୀ ବୁଢ଼ା ବଗିଚାକୁ ପନିପରିବା ପାଇଁ ଯାଇଛି । ଘରେ ଥିବା ମହୁ ଘଡ଼ିଟି ବିକା ସରିଛି । ନୂଆଁ ବୋହୂର ପୋଡ଼ା ଫୋଟକାରେ ମହୁ ବୋଳିବା କଥା । ଚାଷୀର ସାନ ପୁଅ ଛୁରୀଟା ନେଇ ତାଟିଆକୁ ମହୁ ନିଗାଡ଼ିଲା-। ମହୁମାଛିଏ ତ ବିଗିଡ଼ି କରିଥିଲେ । ଚାଷୀ ପୁଅର ଛୁରୀ ଯାଇ ରାଣୀ ମାଛି ଦିହରେ ଘସି ହୋଇ ଅଣ୍ତା ଘରାକୁ ଭେଦି ମହୁ ଭଣ୍ତାରରେ ପଶିଲା । ମହୁଝର ଆଉ ବନ୍ଦ ହେଲା ନାହିଁ । ଦଶ ମିନିଟ ଭିତରେ ମହୁଭଣ୍ତାର ନିଃଶେଷ କରି ଉଡ଼ିଲେ ମାଛି ପଲ । କୂଅ ମୂଳେ ଠିଆ ହୋଇଥିଲା ଚାଷୀ ପୁଅ । ତାରି ଉପରେ ମାଛିମାନେ ଶୁଙ୍କଯାକ ଢାଳି ଦେଇ ଗଲେ । ଚାଷୀ ପୁଅ ଅରଟରେ ବନ୍ଧାଥିବା ଦଉଡ଼ି ଧରି କୂଅ ଭିତରେ ପଶିଗଲା । କୂଅ ଭିତରେ ପଶିଗଲେ ମାଛି ପଲ କୂଅ ପାଣିରେ ଚାଷୀପୂଅ ବୁଡ଼ି ରହିଲା । ତା ମୁଣ୍ତ ଉପରେ ଉଡ଼ିଲେ ମାଛି । ପାଣିରୁ ମୁଣ୍ତ କାଢ଼ିଲା ତ ତାକୁ ଦଂଶି ଗଲେ ମାଛିମାନେ । ଚାଷୀ ବଗିଚାରୁ ଫେରୁ ଥିଲା, ଚାଷୁଣୀ ନଈରୁ ପାଣି ମାଠିଆ ମୁଣ୍ତେଇ ଆସୁ ଥିଲା । ମାଛିମାନେ ଚାଷୀ ଚାଷୁଣୀ ଦୁହିଁଙ୍କୁ ମାରି ମୁହଁ ଫୁଲେଇ ଦେଲେ-

 

ଏପରି ଅନେକ ଘଟଣା ଘଟିଛି । ପୋଷାମାଛିଙ୍କ ଘରା ଭିତରକୁ ଘରର ଚୁଲୁଚୁଲିଆ ପିଲାଏ ହଳିଆ ବାଡ଼ି ଭୁଷି ଦିଅନ୍ତି । ମାଛିମାନେ ଚାହାଳିଆ ହୋଇ ପୁଅକୁ ମାରନ୍ତି, ଝିଅକୁ ମାରନ୍ତି, ନୂଆଁ ବୋହୂକୁ ମାରନ୍ତି । ଘରର ସମସ୍ତଙ୍କର ମୁହଁ ଫୁଲେଇ ଦେଇ ମାଛିମାନେ ଘର ଛାଡ଼ି ବଣକୁ ଉଡ଼ିଯାନ୍ତି । ବରଣ ବାଘକୁ ମନେଇବା ସହଜ; କିନ୍ତୁ ମହୁମାଛିକି ମନେଇବା ସହଜ ନୁହେ । ମହୁମାଛିଙ୍କ ପାଇଁ ସଂଯତ ପରିବାର ଶାନ୍ତିମୟ କୁଟୀର ଆବଶ୍ୟକ । ମାଛିଏ ଚାହାନ୍ତି, ଶାନ୍ତିଶୃଙ୍ଖଳା-। ହଲିଲା ପାଣିରେ ଗୋଡ଼ ନ ଦେବା ପିଲାଏ ଯେଉଁଘରେ ସେହି ଘରେ ମହୁ ଚାଷର ସୁବିଧା ହୁଏ-। ଚାଲିବା ଶଗଡ଼ରେ ହାତଦେବା ପୁଏ କିମ୍ଵା ନାନା ଅସଲଟରେ ପଶିବା ପୁଏ ଯେଉଁ ଘରେ ଥାନ୍ତି ଅଥବା ଯେଉଁ ଘରେ ପାଟିତୁଣ୍ତ ବେଶୀହୁଏ ସେହି ଘରେ ମହୁଚାଷ ନିଷ୍ଫଳ ହୁଏ ।

Image

 

ଶୁଙ୍କର ବିଷ

 

ମହୁମାଛିର ଶୁଂକ ବିଷାକ୍ତ । ଛୋଟ ଛୋଟ ପିଲାଙ୍କ ଦିହରେ ମୁହଁରେ ଗୋଟିଏ ଦିଓଟି ବାଘ ମହୁମାଛିର ଶୁଙ୍କ ଭୂକି ଗଲେ ପିଲାଏ ଅଚେତ ହୋଇ ଯାଆନ୍ତି । ବିହିତ ସମୟରେ ବିହିତ ଚିକିତ୍ସା ନ ମିଳିଲେ ପିଲାଙ୍କର ବଞ୍ଚିବାର ଆଶଙ୍କା ହୁଏ । ଦିନ ବେଳେ ବାଘ ମହୁମାଛିମାନେ ଚାହାଳିଆ ହୋଇଗଲେ ପାଖ ପୁଖାରେ ଥିବା ଗାଈ ଗୋରୁ ଛେଳି ମେଣ୍ଢା ମଣିଷ ଯାହାକୁ ପାଇଲେ ତାହାକୁ ଗୋଡ଼େଇ ଗୋଡ଼େଇ ସେମାନେ ଦଂଶନ କରି ସେମାନଙ୍କ ଦିହରେ ଶୁଙ୍କ ଭରତି କରି ଦିଅନ୍ତି । ସାତପୁରୀ ମାଛି ନ ଚଳିଲେ ନାହିଁ ଚଳିଲେ ସେମାନଙ୍କ ଆକ୍ରମଣରୁ ରକ୍ଷା ନାହିଁ । ଥରେ ଏକ ଅପନ୍ତରିଆ ପଳାଶନଟୀ ବେଷ୍ଟିତ ଏକୁଟୀ ବରକୋଳି ଗଛ କୋରଡ଼ରେ ସାତପୁରୀ ବସିଥାଏ । କୋଳି ଲୋଭରେ ଗୋରୁ ମାହାରିଆ ପିଲାଏ କୋଳି ଗଛରେ ଚଢ଼ିଲେ । ତଳେ ଗୁଡ଼ାଏ ଟୋକା କୋଳି ଗୋଟେଇଲେ । ଜଣେ ଟୋକା ପୁଆରେ ଚଢ଼ି ଗଛକୁ ଝାଙ୍କିଲା । ପଳାଶନଟୀ ଭିତରେ ପଶି ଗୋରୁ ଗାଈ କଅଁଳ ଦୁବ ଚରୁଥିଲେ । କୋଳି ଝାଡ଼ୁ ଝାଡ଼ୁ ଗୋଟାଏ ଚୁଲୁଚୁଲିଆ ଟୋକା ଶୁଖିଲା ଡାଙ୍ଗଟାଏ ଭାଙ୍ଗି ମହୁଫଣା ଦିହକୁ ଗେଞ୍ଜି ଦେଲା । ଆଉ କି କୋଳି ତୋଳା ହୁଏ ? ମାଛି ଉଡ଼ି ମାଇଲେ ଯେ ପିଲାଙ୍କୁ ତିନୋଟି ପିଲା ଗଛରୁ ତଳକୁ ଖସି ପଡ଼ିଲେ । କୋଳି ଗୋଟାଉଥିବା ପିଲାଏ ଧାଇଁଛନ୍ତି ମାଛି ସେମାନଙ୍କୁ ଉଡ଼ି ଉଡ଼ି ମାରୁଛନ୍ତି । ଶୁଙ୍କ ମାଡ଼ ଖାଇ ଗାଈ ଗୋରୁ ହମ୍ଵା ରଡ଼ି ଛାଡ଼ି ଦଉଡ଼ିଛନ୍ତି । ପିଲାଙ୍କର ମୁହଁ ଦିହ ଫୁଲିଗଲା । ଶୁଙ୍କ ବାହାର କରି ମହୁ ବୋଳିବାରୁ ଜ୍ଵାଳା କମିଲା, ଫୁଲା କମିଲା ।

 

ମହୁ ମାଛିର ଶୁଙ୍କ ମୂଳରେ ଗୋଟିଏ ଗୋଟିଏ ବିଷମୁଣା ଥାଏ । ମହୁଭଣ୍ତାରକୁ ରକ୍ଷା କରିବାକୁ ପ୍ରକୃତି ମାଛି ମୁହଁରେ ଶୁଂକ ଦେଇଛି । ବିଷମୁଣାରେ ତରଳ ଜିନିଷ ଥାଏ । ମାଛି ମାରୁ ମାରୁ ଶୁଂକ ଫାଟିଯାଏ । ଶୁଂକ ଫାଟିଗଲେ ଗଲ ଗଲ ଲାଗେ, କୁଣ୍ଡେଇ ହୁଏ, ଜ୍ଵାଳା ହୁଏ । ନଖରେ କିମ୍ଵା ଛୁଞ୍ଚି ଆଗରେ ଅଥବା ବଣ କଣ୍ଟା ଆଗରେ ଶୁଙ୍କଟିମାନ କାଢ଼ି ଦେଲେ କିଛି ହୁଏ ନାହିଁ । ଶୁଙ୍କଗୁଡ଼ିକ ସୂତ୍ରରେ କୌଶଳରେ ବାହାର କରି ଦେଇ ସେହି ସ୍ଥାନରେ ମହୁ ବୋଳି ଦେଲେ ଜ୍ଵାଳା କମିଯାଏ, ଆହତ ସ୍ଥାନ ଫଳେ ନାହିଁ । ଗଲୁ ହେଲା ବୋଲି ଆହତ ସ୍ଥାନ ଘଷିଦେଲେ ଶୁଙ୍କ ଫାଟି ବିଷ ଦିହ ଭିତରେ ପଶିଯାଏ । ଶୁଙ୍କକୁ ଦିହ ଭିତରେ ଫାଟିବାକୁ ନଦେଇ ତାକୁ ପହିଲେ ବାହାର କରିବା ବିଧେୟ ହଠାତ୍ ମହୁ ନ ମିଳିଲେ ଶୁଙ୍କ ଫେଇ ଆହତ ସ୍ଥାନମାନଙ୍କୁ ନିଆଁରେ ସେକି ପକେଇଲେ ଜ୍ଵାଳା କମିଯାଏ । ଫୁଲା କମିଯାଏ ।

 

ମହୁମାଛି ରାଗିଗଲେ ଉଡ଼ି ଉଡ଼ି ପ୍ରାଣୀ ମାତ୍ରେ ଦେଖିଲେ ମାରେ । କିନ୍ତୁ ଯେଉଁ ମାଛି ପ୍ରାଣୀ ଦିହରେ ଶୁଙ୍କ ମାରିଦିଏ ସେ ମାଛି ଆଉ ବଞ୍ଚେ ନାହିଁ । ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି “କ୍ରୋଧାତ୍ ଭବତି ସମ୍ମୋହ, ସମ୍ମୋହାତ୍ ସ୍ମୃତି ଭ୍ରଂଶ୍ୟତ୍ ସ୍ମୃତି ଭ୍ରଂଶ୍ୟତ୍ ବୁଦ୍ଧି ନାଶ, ବୁଦ୍ଧି ନାଶାତ୍, ପ୍ରଣଶତି” କ୍ରୋଧରୁ ସମ୍ମୋହ, ସମୋହରୁ ସ୍ମୃତିଭ୍ରଂଶ, ସ୍ମୃତି-ଭ୍ରଂଶରୁ ବୁଦ୍ଧିନାଶ, ବୁଦ୍ଧିନାଶରୁ ମୃତ୍ୟୁ । ଅର୍ଥାତ୍ କ୍ରୋଧରୁ ମୃତ୍ୟୁ । ଯିଏ ମାରେ ସେ ମରେ । ଦଂଶନ କରି ଶୁଙ୍କ ଢାଳି ଦେଇ ମହୁମାଛି ଆଉ ଘରାକୁ ଫେରେ ନାହିଁ । ପଥରେ ହୁଏ ତାର ମୃତ୍ୟୁ ।

Image

 

ଶୁଙ୍କରୁ ମୁକ୍ତି

 

ମହୁମାଛି ପାଳିବାରେ ଯେଉଁମାନେ ଅଭ୍ୟସ୍ତ ସେମାନେ ଥରେ ଅଧେ ମହୁମାଛିଙ୍କ ମୁହଁରୁ ଦଂଶନ ପାଇବାର ସେମାନଙ୍କ ଅନୁଭୂତିରେ ଆସିଥାଏ । ଥରେ, ଦିଥର ତିନିଥର ଯାହା ଦେହରେ ମାଛିଙ୍କ ଶୁଙ୍କ ଗଳି ଯାଇଛି ତାକୁ ଆଉ ମହୁମାଛିର ଶୁଙ୍କ ବିଷ କାଟେ ନାହିଁ । ଧୁମ୍ରପାନ କିମ୍ଵା ଗୁଡ଼ାଖୁ ଘଷାରେ ଯେଉଁମାନଙ୍କର ଅଭ୍ୟାସ ସେମାନଙ୍କୁ ଧୂଆଁପତ୍ରର “ନିକଟିନ୍” ବିଷ ସେପରି କାଟେ ନାହିଁ । ଦେଖାଯାଇଛି ନାଗ ସାପ କାମୁଡ଼ାରୁ ଯେକି ଥରେ ବଂଚି ଯାଇଛି, ତାକୁ ଦ୍ଵିତୀୟ ଥର ନାଗସାପ ଦଂଶନ କଲେ ସେ ମୃତ୍ୟୁ ମୁଖରୁ ମୁକ୍ତି ପାଇଛି ।

 

ଗାଈ ଦୁହିଁବା ଲୋକ ନାତ ଖାଇଥାଏ । ବଣକୁ ଯିବା ଲୋକ କଣ୍ଟା କୁଦି ଥାଏ, ବାଘ ଭାଲୁଙ୍କ ମୁହଁରେ ପଡ଼ିଥାଏ । ମହୁଚାଷ କରିବା ଲୋକ ସେପରି ମାଛିଙ୍କ ଦଂଶନ ଅନୁଭବ କରିଥାଏ-

 

କିନ୍ତୁ ଯେଉଁ ପେଡ଼ିମାନଙ୍କରେ ମହୁ ମାଛିଙ୍କୁ ପୋଷା ଯାଇ ଥାଏ ସେହି ପେଡ଼ିମାନଙ୍କୁ ଆସ୍ତେ ଆସ୍ତେ ଉଠାଇ ନିଅ ଆଣ କଲେ ମାଛିମାନେ ହଲଚଲ ହୁଅନ୍ତି ନାହିଁ । ପେଡ଼ିମାନଙ୍କୁ ନ ଝାଙ୍କିଲେ ହେଲା । ଘରର ପିଲାମାନେ ପେଡ଼ିମାନଙ୍କରେ ହାତ ନ ଦେଲେ ହେଲା । ଅନେକ ଘରେ ଚାଲିବା ଶଗଡ଼ରେ ହାତ ଦେବା ପିଲା ଥାନ୍ତି । ଅନେକ ପିଲା ନାହିଁ ନଥିବା ଅସଲଟରେ ପସନ୍ତି । ସେପରି ପିଲାଏ ଯଦି ଡାଙ୍ଗ ନେଇ ମହୁ ଫଣାକୁ ଫୋଡ଼ନ୍ତି କିମ୍ଵା ପେଡ଼ିକି ଧରି ଝାଙ୍କନ୍ତି ଅଥବା ଓଲଟେଇ ଦିଅନ୍ତି ତାହା ହେଲେ ବହୁଦିନର ପୋଷାମାଛି ହେଲେ ସୁଦ୍ଧା ବିଗିଡ଼ି ଯାନ୍ତି ।

 

ମାଛିମାନେ ବିଗିଡ଼ିଲେ ମଣିଷର ମୁହଁକୁ ମୁହଁକୁ ମାରନ୍ତି । ସେଥିଯୋଗୁ ମହୁଚାଷ କରିବା ଲୋକେ ବେକଠାରୁ ମୁଣ୍ତଯାଏଁ ମଶାରୀ କନାର ହୁଗୁଳା ଅଙ୍ଗରଖା ପିନ୍ଧନ୍ତି ଏବଂ ହାତରେ ହାତ ମେଜୋଡ଼ୀ ଅଥବା ରବର ଘୋଡ଼ଣୀ ପିନ୍ଧନ୍ତି । ବହଳ ଲୁଗାରେ ମୁହଁ ଘୋଡ଼େଇ ବହଳ ହାତମୋଜାରେ ଦୁଇ ହାତକୁ ଆବରଣ କରି ମହୁଚାଷୀମାନେ ମହୁ ସଂଗ୍ରହ କରନ୍ତି । ମୁଣ୍ତରେ ସାହେବୀ ଟୋପୀ କିମ୍ଵା ଛୋଟ ନୁଆଗଡ଼ୀ ତଲାରୀ ମୁଣ୍ତେଇ ଟୋପୀ ବା ତଲାରୀର ଉପରଆଡ଼ୁ ବହଳ କନା ଖଣ୍ତିଏ ଘୋଡ଼େଇ ଆଣି ବେକରେ ଗୁଡ଼େଇ ଦିଅ । ଦୁଇ ହାତକୁ କନା ମେଜୋଡ଼ୀରେ ଆବରଣ କର । ବଙ୍କାଛୁରୀ ଡାହାଣ ହାତରେ ଧର । ବାଁ ହାତରେ ପାତ୍ରଟିଏ ଧର । ମହୁଫଣାକୁ ଅତି ସାବଧାନରେ ଛୁରୀ ଲଗାଅ । ଏପରି ସାବଧାନରେ ଛୁରୀ ପ୍ରୟୋଗ କର ଯେପରିକି, ଛୁରୀ କେବଳ ମହୁଫଣାର ମୁହଁଟା ଚିରିଦେବ ।

 

ତାହାହେଲେ ମହୁମାଛିମାନେ ବିଗିଡ଼ିବେ ନାହିଁ । ମହୁ ଫଣାରେ ଯେଉଁ ଛୁରୀ ପ୍ରୟୋଗ କରିବ ତାହା ଅଳ୍ପ ଉଷୁମ ଥିବା ଆବଶ୍ୟକ । ଲୁହାଛୁରୀ ଥଣ୍ତା ଥାଏ । ତେଣୁ ଦୁଇଟା ମହୁକଢ଼ା ଛୁରୀକି ଗରମ ଜଳରେ ବୁଡ଼େଇ ରଖା ହୋଇଥାଏ । ଗୋଟିକର ପ୍ରୟୋଗ ପରେ ଅନ୍ୟଟି ପ୍ରୟୋଗ କରାଯାଏ । ମାଛିଙ୍କ ଦେହରେ ସେମାନଙ୍କ ଦେହର ଉତ୍ତାପ ସମାନ ଗରମ ଥିବା ଛୁରୀ ବାଜିଲେ ସେମାନେ ସ୍ପର୍ଶସୁଖ ପାନ୍ତି । ସେପରି ସାବଧାନ ହେଲେ ମହୁକାଢ଼ି ହୁଏ ଏବଂ ମହୁମାଛିଙ୍କ ଶୁଙ୍କ ମାଡ଼ରୁ ମୁକ୍ତି ପାଇବାକୁ ହୁଏ ।

Image

 

ମହୁ କାଢ଼ିବା ଯନ୍ତ୍ର

 

ମହୁଫଣାରୁ ମହୁ ନିଗାଡ଼ି ବାହାର କରିବାର ଗୋଟିଏ ଯନ୍ତ୍ର ଅଛି ସେ ଯନ୍ତ୍ର କିଣିବାକୁ ହୁଏ । ତାର ଆଦର୍ଶରେ ଆମର ଲୋହରା, କମାରଙ୍କ ହାତରେ ଯନ୍ତ୍ରଟିକରେଇ ଦେଲେ ବି ହେବ । ମହୁଫଣାର ଯେଉଁଠି ମହୁ ଭଣ୍ତାର ଥାଏ ସେଠାରେ ଥିବା ମାଛିମାନଙ୍କୁ ବଗ ପକ୍ଷୀରେ ଆଡ଼େଇ ଆଡ଼େଇ ଦେବ । ଦେଖିବ ପର ଯେପରି ମାଛିଙ୍କି ସୁଖ ଦିଏ, କଅଁଳ ଲାଗେ । ଅଭ୍ୟସ୍ତ ହୋଇଗଲେ ମହୁଭଣ୍ତାର ଜଗିଥିବା ମାଛିମାନେ ବଗପକ୍ଷୀର ପର ଦେହରେ ବାଜିଲେ କଅଁଳା ଗାଈ ଚିର ଛାଡ଼ି ଦେଲା ପରି ମହୁଭଣ୍ତାରକୁ ପାଳକ ହାତରେ ଛାଡ଼ି ଦିଅନ୍ତି । ମହୁ ଚାଷୀ ଆସ୍ତେ ଆସ୍ତେ ମହୁକଢ଼ା ଯନ୍ତ୍ରକୁ ମହୁ ଭଣ୍ତାରରେ ମେରାକଣ୍ଟା (ସ୍ମୃ) ବୁଲେଇଲା ପରି ଭରତି କରେ । କେବଳ ମହୁଭଣ୍ତାରରେ ଯେପରି ଯନ୍ତ୍ର ପ୍ରବେଶ କରେ ସେଥିପ୍ରତି ଦୃଷ୍ଟି ଦେବାକୁ ହୁଏ । ଯନ୍ତ୍ର ଯେପରି ରାଣୀବାସ ଆଡ଼କୁ କିମ୍ଵା ଡିମ୍ଵ ଘରାମାନଙ୍କ ଆଡ଼କୁ ନଯାଏ ସେ ଦିଗରେ ଧ୍ୟାନ ଦେବା ଦରକାର । ମହୁକଢ଼ା ଯନ୍ତ୍ରର ତଳ ଭାଗରେ ବୋତଲ ପରି ଗୋଟାଏ ପାତ୍ର ଖଞ୍ଜା ହୋଇଥାଏ । ଯନ୍ତ୍ରର ନଳୀ ଦେଇ ମହୁ ଆସି ପାତ୍ରରେ ନିଗିଡ଼ି ରହେ । ପାତ୍ର ପୂର୍ଣ୍ଣ ହୋଇଗଲେ ମହୁ ପାତ୍ରରୁ ଅନ୍ୟ ପାତ୍ରକୁ ମହୁ ଅଜାଡ଼ି ଦେଇ ପୁଣି ତାକୁ ଯନ୍ତ୍ର ସହିତ ଖଞ୍ଜି ପୁଣି ତଦ୍ଵାରା ମହୁ ବାହାର କରାଯାଏ ।

 

ମହୁକଢ଼ା ଯନ୍ତ୍ର ସମସ୍ତଙ୍କ ହାତରେ ପ୍ରୟୋଗ କରାଯାଇ ପାରେ ନାହିଁ । ତାର ବ୍ୟବହାର ପାଇଁ ଅଭ୍ୟାସ ଲୋଡ଼ା, ସାବଧାନତା ଆବଶ୍ୟକ । ଯନ୍ତ୍ର ଚାଳନ ଏଣେ ତେଣେ ହୋଇଗଲେ ମହୁମାଛିମାନେ ଚାହାଳିଆ ହୋଇଯିବେ ଏବଂ ଚାଷିକୁ ମାଡ଼ଦେଇ ଘରା ଛାଡ଼ି ଉଡ଼ି ଯିବେ ।

 

ସାଧାରଣ ଚାଷୀଙ୍କ ପକ୍ଷରେ ସବୁଠାରୁ ମହୁ କାଢ଼ିବା ଉପାୟ ହେଉଛି ପୁର୍ବେ କୁହାଯିବା ଦୁଇ ପାଖ ଧାର ଥିବା ବଙ୍କା ଛୁରୀ । ଆଗେ କୁହାଗଲା ଭଳି ଛୁରା ଦିଓଟିକି ଗରମ ପାଣିରେ ବୁଡ଼େଇ ରଖିଥିବ । ମହୁଭଣ୍ତାର ଉପରେ ମାଲୁଥିବା ଜଗୁଆଳ ମାଛିମାନଙ୍କୁ ବଗପକ୍ଷୀରେ ଆସ୍ତେ ଆସ୍ତେ ଏପାଖକୁ ସେପାଖକୁ ଆଡ଼େଇ ଦେବ । ପକ୍ଷୀ ବା ପରର କୋମଳ ଅଂଶ ସେମାନଙ୍କ ଦେହରେ ବାଜିଲେ ସେମାନଙ୍କୁ ସୁଖ ବୋଧହୁଏ ଏବଂ କଅଁଳା ଗାଈ ଗଉଡ଼କୁ ପହ୍ନା ମେଣ୍ଢାଇ ଦେଲା ଭଳି ମାଛିମାନେ ଚାଷୀ ବା ପାଳକକୁ ମହୁଭଣ୍ତାର ସମର୍ପି ଦିଅନ୍ତି । ଚାଷୀ ବା ପାଳକ ପହିଲେ ମହୁଭଣ୍ତାର ଉପରୁ ଧୀରେ ଧୀରେ ପରରେ ମାଛିମାନଙ୍କୁ ଅଲଗା କରିଦିଏ ଏବଂ ମହୁଫଣାକୁ ବାମ ହସ୍ତରେ ଧରି ଡାହାଣ ହସ୍ତରେ ଛୁରି ନେଇ ଭଣ୍ତାରରେ ପ୍ରୟୋଗ କରେ । ଭଣ୍ତାର ତଳେ ସେ ଓସାର ମୁହା ପାତ୍ରଟାଏ ରଖି ଥାଏ । ପାତ୍ର ପୂର୍ଣ୍ଣ ହୋଇଗଲେ ଆଉ ଏକ ପାତ୍ର ରଖି ଦିଏ । ମହୁ ନିଗିଡ଼ି ବନ୍ଦହେଲେ ମହୁଭଣ୍ତାରର ଅନ୍ୟ ଅଂଶରେ ଅନ୍ୟ ଛୁରୀଟି ପ୍ରୟୋଗ କରି ମହୁ ବାହାର କରାଯାଇ ପାରେ । କିନ୍ତୁ ଦେଖିବାକୁ ହୁଏ, ମହୁମାଛି ମାନେ ଯେପରି ନ ଜାଣନ୍ତି ଯେ ସେମାନଙ୍କର ସମସ୍ତ ଭଣ୍ତାର ଜୁର ହେଉଛି ।

Image

 

ମହୁ ସାଇତା

 

ମହୁ ସଞ୍ଚୟ କଲେ ହେଲାନାହିଁ । ତାକୁ ଛାଣି ସଫାକରି ସାଇତି ରଖିବା ହେଉଛି ମୁଖ୍ୟ-। ଆଜି ଦଶ ସେର ମହୁ ସଂଗ୍ରହ କଲ । ତିନିଦିନଠି ସବୁତକ ମହୁ କାଞ୍ଜିପାଣି ପରି ଆମ୍ଵିଳି ହୋଇଗଲେ କି ଲାଭ ?

 

ପହିଲେ ମହୁ ବାହାର କଲା ବେଳେ ଦେଖିବାକୁ ହେବ ମହୁ ଭିତରକୁ ଯେପରି ମଲା ମହୁମାଛି, ମହୁମାଛିର ଅଣ୍ତା କିମ୍ଵା ମହୁମାଛିଙ୍କ ପକ୍ଷୀ, ପର, ମୁଣ୍ତ, ଗୋଡ଼ ନ ଆସେ । ମହୁକେଶର ମଧ୍ୟ ଯେପରି ମହୁ ସାଙ୍ଗରେ ମିଶି ନ ଆସେ ସେଥିପାଇଁ ମଧ୍ୟ ସାବଧାନ ଥିବାକୁ ହେବ । ନିରୋଳା ମହୁ ସାଙ୍ଗରେ ଅନ୍ୟ କୌଣସି ଜିନିଷ ଚାଲି ଆସିଲେ ମହୁ ବେଶୀଦିନ ରହେନାହିଁ । ଆମ୍ଵିଳ ହୋଇଯାଏ ।

 

ମହୁ ବାହାର କରିବା କ୍ଷଣି ମହୁକୁ ପରିଷ୍କାର କନାରେ ଛାଣି ଦେଇ ବୋତଲମାନଙ୍କରେ ଭରତି କରି ଠିପି ବନ୍ଦକରି କିଛି ସମୟ ଖରାରେ ରଖିବାକୁ ହେବ । ଠିପି ଯେପରି ଜୋରରେ ଦିଆହୁଏ ସେପରି ବନ୍ଦକରି ଦେଖିବାକୁ ହେବ । ଠିପି ହୁଗୁଳା ଥିଲେ ରଙ୍ଗ ପିମ୍ପୁଡ଼ି ଲାଗିଯାଇ ପାରନ୍ତି ।

 

ମହୁ ବୋତଲରେ ଠିପି କାଢ଼ି ଖୋଲା ରଖିବ ନାହିଁ । ମାଟି ଘଡ଼ିରେ ମହୁ ରଖିଲେ ଘଡ଼ି ମୁହଁକୁ ଦୁଇ ତିନି ପୁର କନା ବାନ୍ଧି ରଖିବ । ଘଡ଼ି ମୁହଁ ମେଲା ହୋଇଗଲେ ମହୁ ଆମ୍ଵିଳ ହୋଇଯାଏ । ଆମ୍ଵିଳ ମହୁ ମଦ ହୋଇଯାଏ । ବେଶୀ ପରିମାଣରେ ଆମ୍ଵିଳ ମହୁ ଖାଇଦେଲେ ମଣିଷ ନିଶାରେ ଅଚେତ ହୋଇଯାଏ । ବଣର କନ୍ଧମାନଙ୍କ ମଧ୍ୟରୁ କେହି କେହି ମହୁ କାଢ଼ୁ କାଢ଼ୁ ଅପର୍ଯ୍ୟାପ୍ତ ମହୁ ପିଇ ଦେଇ ଅଚେତ ହୋଇ ମରିଯିବାର ଜଣା ଯାଇଛି ।

 

ଠିପି ବନ୍ଦକରି ବୋତଲମାନଙ୍କରେ ମହୁ ରଖିବ ଏବଂ ତାହା ପୁଣି ଶୁଖିଲା ଘରେ ରଖିବ-। ଯେଉଁ ଘର ସନ୍ତସନ୍ତିଆ ଥିବ ଏବଂ ଯେଉଁ ଘରମାନଙ୍କରେ ଲୁଣ ରଖିଲେ ଲୁଣ ପାଣିଫାଟେ ନାହିଁ ସିମିତି ଘରମାନଙ୍କରେ ମହୁ ବୋତଲମାନ କାଠ ପଟାର ଭାଡ଼ିରେ ରଖିବା ଉଚିତ-

 

ମହୁ ବୋତଲମାନଙ୍କର ମୁହଁରେ ଠିପି ଦେଇ ଠିପି ଚାରିପଟେ ମହଣ ବୋଳି ଦେଲେ ଧୂଳି ବାଲି ବୋତଲ ଭିତରମାନଙ୍କୁ ପଶିପାରେ ନାହିଁ । ଧୂଳି କଣା ଯଦି ବୋତଲ ଭିତରେ ପଶିଯାଏ ମହୁ କ୍ରମଶଃ ବହଳିଆ ହୋଇଯାଏ । ମହୁ କାଠୁଆ ହୋଇଗଲେ ତାର ମୂଲ୍ୟ କମିଯାଏ-

 

ଦଶ ପନ୍ଦର ଦିନରେ ଥରେ ମହୁ ବୋତଲମାନଙ୍କୁ ଆଣି ଖରାରେ ରଖୁଥିବାକୁ ହେବ । ବୋତଲ ଗୁଡ଼ିକୁ କନାରେ ସଫାକରି ଦେବାକୁ ହେବ । ଠିପି ହୁଗୁଳା ହୋଇଯାଇଛି କି ନା, ଠିପି ଚାରିପଟ ମହଣ ଠିକ୍ ଅଛି କି ନା ପରୀକ୍ଷା କରୁଥିବାକୁ ହେବ । ଯେଉଁ କାଠପଟାର ଭାଡ଼ିରେ ମହୁ ବୋତଲମାନ ଥୁଆ ହୋଇଥାଏ ସେହି କାଠପଟାକୁ ଝାଡ଼ି ତହିଁରେ କନା ଦ୍ଵାରା କିରାସିନୀ ବୋଳି ଦେଉଥିଲେ ଉଈ କିମ୍ଵା ପିମ୍ପୁଡ଼ି ଲାଗିବାର ସମ୍ଭାବନା ନ ଥାଏ । କିରାସିନୀ ଗନ୍ଧକୁ ବିଛା, ଝିଟିପିଟି, ଏଣ୍ତୁଅ ମଧ୍ୟ ଯାଇ ପାରନ୍ତି ନାହିଁ । ଏମାନେ ମଧ୍ୟ ମଧୁଲୋଭୀ । ଅତି ପୁରୁଣା ମହୁର ବଡ଼ ଗୁଣ । ବୈଦ୍ୟ କବିରାଜମାନେ ପୁରୁଣା ମହୁକୁ ବେଶୀ ପଇସା ଦେଇ କିଣି ନିଅନ୍ତି । ମହୁକୁ ଯତ୍ନରେ ସାଇତି ଜାଣିଲେ ହେଲା । କଥାରେ ଅଛି ମହୁ ବୋହୁ, ଘିଅ ଝିଅଙ୍କୁ ଅତି ଯତ୍ନରେ ସମ୍ଭାଳିବାକୁ ହେବ ।

Image

 

ମହୁର ମୂଲ୍ୟ

 

ଲୋକେ କହନ୍ତି, ସାଧବଘର ଘିଅ ମହୁରେ ଭାସୁଛି । ଘିଅ ମହୁରେ ଭାସିବା ଘରେ ଲକ୍ଷ୍ମୀ ବିରାଜମାନ କରନ୍ତି । ଯେ ଘରେ ଗାଈ ରଖେ ନାହିଁ, ଦୁଧ ଦୁହିଁ ଦହି ମୁହିଁ, ଲହୁଣି ମାରି ଘିଅ କରେ ନାହିଁ ଏବଂ ମହୁମାଛିଙ୍କି ପାଳି ପୋଷା ଫଣାରୁ ମହୁ ଆଦାୟ କରେନାହିଁ ସେ ବଡ଼ କୃପାରପାତ୍ର । ଯେପରି ଦୁର୍ଭିକ୍ଷେ ଗାଈ ସଂଗ୍ରାମେ ଭାଇ, ସେପରି ଅସମୟେ ମହୁ କାର୍ଯ୍ୟେ ଆସଇ, ଲୋକମୁଖରୁ ଶୁଣାଯାଏ ଯା’ ଘରେ ମହୁ ବସେ ତା’ ଘରକୁ ଲକ୍ଷ୍ମୀ ଆସନ୍ତି । ମାର୍ଗିଶିର ମାସ ଗୁରୁବାର ଦିନ ଘରକୁ ଅଏଁଳା ଆସିଲେ ଲକ୍ଷ୍ମୀପୂଜା ହୁଏ । ଅଏଁଳାର ବିଧାତା ଖାଦ୍ୟସାର ପ୍ରଚୁର ପରିମାଣରେ ଥୋଇ ଦିଅନ୍ତି । ଯେ ଅଏଁଳା ଖାଏ ତାର ତେଜ ବୀର୍ଯ୍ୟ ଉଦୟ ହୁଏ । ପୂର୍ବାଚାର୍ଯ୍ୟମାନେ ସେଥିପାଇଁ ସଂକେତ ଦେଇଛନ୍ତି ଏବଂ ସଂକେତ ଛଳରେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସମୟରେ ନୂଆଁ ଚାଉଳର ନୂଆଁ ଭାତରେ ଶର୍କରା ଥାଏ ସେତିକିବେଳେ “ଧାର୍ତ୍ତ୍ରୀ” ସେବନ କଲେ ଅସୀମ ତେଜ ବୀର୍ଯ୍ୟ ଅଙ୍ଗରେ ସଞ୍ଚରିଯାଏ । ଆୟୁର୍ବେଦର ଭାଷାରେ ଜନନୀ ନାମ ଧାତ୍ତ୍ରୀ, ପୃଥିବୀ ନାମ ଧାତ୍ତ୍ରୀ, ଅଏଁଳା ନାମ ଧାତ୍ତ୍ରୀ । ଦଶମାତା ହରିତକୀ; କିନ୍ତୁ ଅଏଁଳା ସ୍ଵୟଂ ଧାତ୍ତ୍ରୀ । ଦଶଟା ମା’ର ଯତ୍ନ ଯେତେ ଏକା ହରିତକୀ (ହରିଡ଼ା) ର ଗୁଣ ସେତେ । ଅଏଁଳା ତ ନିଜେ ମା’ “ଧାତ୍ତ୍ରୀ” । ତ୍ରିଫଳାର ମୂଲ୍ୟ ଅପରିମିତା ମଞ୍ଜି କଢ଼ା ହରିଡ଼ା ଏକଭାଗ, ମଞ୍ଜି କଢ଼ା ବାହାଡ଼ା ଏକଭାଗ, ମଞ୍ଜି କଢ଼ା ଅଏଁଳା ତିନିଭାଗ ଏକତ୍ର ଚୂର୍ଣ୍ଣକରି ଗୁଆ ଘିଅରେ ପାଗ କରି ସାତପୁରୀ ମହୁରେ ମର୍ଦ୍ଦନ କରି ବାଟିପରି ଗୁଳା ଗୁଳା କରି ଯତ୍ନରେ ସାଇତି ରଖ । ପ୍ରତିଦିନ ସକାଳେ ସକାଳେ ଅଗତା ପେଟରେ ତହିଁରୁ ଗୋଟିଏ ଗୋଟିଏ ଗୁଳା ଖାଇ କିଛି ଗରମ ଦୁଧ ପିଅ । ଦେଖିବ ଦେହରୁ ସବୁ ରୋଗ ଚାଲିଯିବ ଏବଂ ଶରୀରରେ କେବେ କୌଣସି ରୋଗ ପଶି ପାରିବ ନାହିଁ ।

 

ଯେଉଁ ମା’ ତା ଛୁଆକୁ ନିତି ସକାଳେ ପୋଡ଼ା ହରିଡ଼ା, ପାଚଲା ଅଏଁଳା ଓ ବାହାଡ଼ା ଘୋରି ତହିଁରେ ମହୁ ମିଶାଇ ଖୁଆଇ ଦିଏ ଏବଂ ନିଜେ ତହିଁରୁ କିଛି ଚାଟିଦିଏ ତାହାର ଛୁଆ ହୁଏ ଶତାୟୁ ଏବଂ ସେ ନିଜେ ହୁଏ ସୁସ୍ଥ ଜନନୀ । ମହୁର ପୀତ ନାଶନ ଗୁଣ ଅଛି । ଯାହାର ମୁହଁ ବୁଲା ରୋଗ ଥାଏ, ଯାହାର ରକ୍ତଚାପ ହୁଏ ସେ କାଞ୍ଜିପାଣିରେ ମହୁମିଶେଇ ପାନ କଲେ ରୋଗ ମୁକ୍ତ ହୁଏ । ନିତି ସକାଳେ କିଞ୍ଚିତ୍ ମହୁ ଏବଂ ନିତି ଭୋଜନରେ କିଞ୍ଚିତ୍ ଘିଅ ଯାହା ପେଟକୁ ଯାଉଥାଏ ସେ ହୁଏ ନିରୋଗୀ । ରୋଗ ଜୀବାଣୁ ସହିତ ସଂଗ୍ରାମ କରିବାର ଶକ୍ତି ଉପୁଜେ ତା ଅଙ୍ଗରେ ।

 

ଘିଅର ମୂଲ୍ୟ ସହିତ ମହୁର ମୂଲ୍ୟ ସେଇଥିପାଇଁ ସମାନ । ହୋମ ଯାଗରେ ଘୃତମଧୁ, ବ୍ରତ ବିବାହରେ ଘୃତ ମଧୁ, ପଞ୍ଚାମୃତରେ ଘୃତ ମଧୁ ବଡ଼ ଆବଶ୍ୟକ । କାସ୍ପୀୟ ହ୍ରହ ଓ କୃଷ୍ଣସାଗର କୂଳରେ ଯଥାକ୍ରମେ କାସ୍ୟପଋଷି ଓ କୃଷ୍ଣ ଦ୍ଵୈପାୟନ ଉପାସନାରେ “ମଧୁଃ ମଧୁଃ ମଧୁଃ ବାତାୟତେ” ଉଚ୍ଚାରିବା ଦିନରୁ ଆମ ଦେଶରେ ବୈଦିକ ବ୍ରାହ୍ମଣମାନେ ଆବୃତ୍ତି କରି ଆସୁଛନ୍ତି ମଧୁଃ ମଧୁଃ ମଧୁଃ ବାତାୟତେ ।

 

ଅତଏବ ମହୁର ମୂଲ୍ୟ ଅସୀମ । ଗୁଆଘିଅ ସେର ପାଞ୍ଚଟଙ୍କା ହେଲେ, ବିଶୁଦ୍ଧ ସାତପୁରୀ ମହୁ ସେର ମଧ୍ୟ ପାଞ୍ଚଟଙ୍କା । ବର୍ତ୍ତମାନ ମହୁର ଚଢ଼ାଦର ସତ୍ତ୍ଵେ ଏକା କଲିକତା ସହରରେ ୪୦ ହଜାର ସେର ମହୁ ପ୍ରତି ବର୍ଷ ବିକାଯାଏ ।

Image

 

ମହଣ

 

ବୋଇଲା “ହାତୀ ମଲେ କଉଡ଼ି ଜୀଇଁଥିଲେ କଉଡ଼ି” । ହାତୀପରି ଜନ୍ତୁ ବଞ୍ଚିଥିଲେ ତାର ଉପଯୋଗ ବେଶୀ । ସେ ମଲେ ତାର ଦାନ୍ତର ମୂଲ୍ୟ, ହାଡ଼ର ମୂଲ୍ୟ, ଚର୍ବିର ମୂଲ୍ୟ ଅସୀମ । ସେପରି ମହୁମାଛି ଘର ବାନ୍ଧିବାଯାକ ତାର ଉପାଦେୟତା ବହୁତ । ମାଛି ଉଡ଼ିଗଲେ ତାର ମହଣର ଉପଯୋଗିତା କମ ନୁହେ ।

 

ମହୁଫଣାର ପ୍ରତ୍ୟେକ ଅଂଶ ପ୍ରାୟ ମହଣ ଉପାଦାନରେ ଗଠିତ । ଯେଉଁ ଫଣାରୁ ମାଛି ଉଡ଼ିଯାଏ ସେହି ଫଣାର ଗୋଟିକ ଯାକ ମହଣ କହିଲେ ଚଳେ । ମହୁମାଛିଙ୍କ ଘରା, ଅଣ୍ତାଙ୍କ ଘରା, ରାଣୀ ମାଛିର କୋଠରୀ, ମହୁ ଘରାର ସମସ୍ତ ଆବରଣ ମହଣରେ ତିଆରି ।

 

ସମସ୍ତ ଫଣାକୁ ଖଣ୍ତ ଖଣ୍ତ କାଟି ଥଣ୍ତା ପାଣିରେ ଦୁଇ ତିନି ରାତି ବତୁରେଇ ଦେବ । ପ୍ରତିଦିନ ସକାଳେ ସେଗୁଡ଼ିକୁ ସଫା କରି ଅନ୍ୟ ପାତ୍ରରେ ରଖି ଖରାରେ ଶୁଖେଇ ଦେଉଥିବ । ତା’ପରେ ଗୋଟିଏ ମାଟି ହାଣ୍ତିରେ ପରିମାଣ ଅନୁସାରେ ପାଣି ରଖି ତାକୁ ଚୁଲିରେ ବସାଇବ । ନିଆଁ ଜାଳି ମାଟି ହାଣ୍ତିକି ଖୁବ୍ ଗରମ କରିବ । ପାଣି ଫୁଟିଗଲେ ଅଳ୍ପ ଗରମ ଥାଉ ଥାଉ ତାକୁ ସରୁ କନାରେ ଅନ୍ୟ ପାତ୍ରକୁ ଛାଣି ପକାଇବ । ଛଣା ଜିନିଷକୁ ତା’ପରେ ଖରାରେ ରଖିବ । ମହଣ ତକ ପାତ୍ର ତଳେ ଶୀତ ଦିନର ନଡ଼ିଆ ତେଲ ପରି ବସିଯିବ । ପାତ୍ରରେ ଥିବା ପାଣି ନିଗାଡ଼ି ଦେଇ ମହଣକୁ ସାଧାରଣ ଖରାରେ କିଞ୍ଚିତ ଶୁଖିବାକୁ ଦେଇ ତାକୁ ବଡ଼ ବଡ଼ ଫରୁଆ ପରି ପାତ୍ରମାନଙ୍କରେ ଢାଙ୍କି ରଖିବ ।

 

ମହଣର ଇଷତ୍ ଧଳା-ହଳଦିଆ ରଙ୍ଗ ହୁଏ ଏବଂ ତାର ଏକ ସୁଗନ୍ଧ ଉପୁଜେ । ମହଣ ଲୋଭରେ ଏକ ଜାତିର ପ୍ରଜାପତି ଆସି ମହଣକୁ ନଷ୍ଟ କରି ଦିଅନ୍ତି, ଗୁଡ଼ାଏ ଖାଇଯାନ୍ତି ଏବଂ ତାର ଗନ୍ଧ ମାରି ଦିଅନ୍ତି, ରଙ୍ଗ ବଦଳେଇ ଦିଅନ୍ତି । ମହୁକୁ ଯତ୍ନରେ ସାଇତିଲା ପରି ମହଣକୁ ମଧ୍ୟ ଯତ୍ନ ସହକାରେ ସାଇତିବାକୁ ହୁଏ ।

 

ମହଣ ନାନା କାର୍ଯ୍ୟରେ ଲାଗେ । ଜଳପାତ୍ର ତଳେ କଣା ଫୁଟିଗଲେ ମହଣ ଦେଇ କଣା ବନ୍ଦ କରାଯାଏ । ଚିରା କନା ମାନଙ୍କରେ ମହଣ ବୋଲି ସଳିତା ଆକାରରେ ସାଇତି ରଖି ତାକୁ ମମ ବତୀ (ମହଣ ବତୀ) ରୂପେ ଦୀପ ପରି ଜଳା ଯାଏ । ମହଣକୁ ଆମଦେଶର ମାଇପୀ ଲୋକେ ଆଗ କାଳରେ ମଥା ସିଂଥାରେ ଲଗାଉ ଥିଲେ । ଏବେ ମଧ୍ୟ ଯେଉଁ ପଲ୍ଲିବାସିନୀ ମାନେ ନଥ ନାକଚଣା ନାକରେ ନାଉଛନ୍ତି, କପାଳରେ ସିନ୍ଦୁର ଟୋପା ମାରି କୁମ୍ଭ ପିଲ ପଡ଼ିଥିବା ରଙ୍ଗୁଣି ବୁଣା ଖଦୀ ପିନ୍ଧୁଛନ୍ତି, ସେମାନେ ମଝି ସିଂଥାରେ ମହଣ ବୋଳୁଛନ୍ତି, ଯେପରି ସିଂଥା ନ ଭାଙ୍ଗେ ।

 

ଆମ ଦେଶର ହଜାର ହଜାର ମହଣ ଓଜନର ମମ ବା ମହଣ ୟୁରୋପ ଆମେରିକାକୁ ରପ୍ତାନୀ ହେଉଚି । ସେ ଦେଶର ଶିଳ୍ପୀ କାରିଗରମାନେ ଅନ୍ୟାନ୍ୟ ସୁଗନ୍ଧ ମସଲା ଦେଇ ମହଣକୁ ରାନ୍ଧି ଛାଣି ସଫା କରି “ଭାସଲିନ” ଆକାରରେ ଆମ ଦେଶକୁ ପଠାନ୍ତି । ଆମେ ବହୁ ମୂଲ୍ୟରେ ଆମ ଦେଶକୁ “ଭାସଲିନ” ଆମଦାନୀ କରୁ । ଠିକ୍‍ ଯେପରି ଜଡ଼ା । ଆମ ଦେଶର ପ୍ରାଚୀନା ରମଣୀମାନେ ମଥାରେ ଜଡ଼ାତେଲ ଦେଉଥିଲେ । ତା’ ନା ଥିଲା “ମଥାଦେଇ” । ଏବେ ଆମର ତରୁଣୀମାନେ ବୋତଲ ଭାରା ସୁଗନ୍ଧ ଯୁକ୍ତ “ବାସନା ତେଲ” ବାଳରେ ବୋଳନ୍ତି । ହ୍ଵାଇଟ ଅଇଲ (ଧଳାତେଲ) ମିସା ବାସନା ତେଲରେ ତରୁଣୀମାନଙ୍କ ବାଳ ପାଚିଯାଏ । ଏ ଦେଶରୁ ଜଡ଼ା ବା ଜଡ଼ା ତେଲ ଯାଇ ସେ ଦେଶମାନଙ୍କରୁ “ମେଡ଼ିକେଟେଡ଼ କାଷ୍ଟାର ଅଇଲ” (ଔଷଧୀକୃତ ଗବ ତୈଳ) ନାମରେ ଆସୁଛି । ଯାହାର ବାଳ ଉପୁଡ଼ି ଯାଏ ମୁଣ୍ତ ବଥାଏ, ତାକୁ ଏହି ଗବ ତୈଳ ବ୍ୟବହାର କରିବାକୁ ଏବେ ଡକ୍ଟରମାନେ କହୁଛନ୍ତି ।

 

ସେପରି ମହଣ ଆମର ସିଂଥାରେ ଉପଯୋଗ ହେଉଥିଲା । ଏବେ ତାର ଅନ୍ୟ ରୂପ “ଭାସଲିନ” ଆମ କାମକୁ ଆସିଲା । ମହଣକୁ ଉପଯୋଗ କରି ଆମେ ମଧ୍ୟ ଭାସଲିନ ପ୍ରସ୍ତୁତ କରି ପାରିବା । ଔଷଧୀକୃତ ଗବତୈଳ ଓ ସୁଗନ୍ଧଯୁକ୍ତ ଭାସଲିନ ପାଇଁ ଆମ ସ୍ଵାଧୀନ ଭାରତରେ ଉପାଦାନ ଅଛି ।

Image